୧୦ କରୋନା ଆକ୍ରାନ୍ତ ଚିହ୍ନଟ ପରେ ବି ଚେତୁନାହାନ୍ତି ଲୋକ

ଜିଲ୍ଲାପାଳଙ୍କ ନିର୍ଦ୍ଦେଶନାମାକୁ ମାନିଲେନି , ଖୋଲିଲା ମାଛ ଓ ମାଂସ ଦୋକାନ

ରାଉରକେଲା : ସୁନ୍ଦରଗଡ ଜିଲ୍ଲାରେ ୧୦ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଲକଡାଉନ କଟକଣାକୁ କଡାକଡ଼ି କରିଛି ଜିଲ୍ଲା ପ୍ରଶାସନ l ପରିବା ଓ ଆମିଷ ବଜାରରେ ହେଉଥିବା ହାଉଜାଉ ଭିଡ କମାଇବାକୁ ଜିଲ୍ଲାପାଳ ନିର୍ଦ୍ଦେଶନାମା ଜାରୀ କରିଛନ୍ତି l ନିର୍ଦ୍ଦେଶନାମା ଅନୁଯାୟୀ ପରିବା, ଫଳ ଓ ଅଣ୍ଡା ଦୋକାନ ସକାଳ ୬ ଟା ରୁ ୧୧ଟା, ଆମିଷ ଯେମିତି ମାଛ, ମାଂସ, ଚିକେନ କେବଳ ସପ୍ତାହକୁ ଥରେ ରବିବାର ଦିନ ୭ଟା ରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବିକ୍ରି ହୋଇପାରିବ l କିନ୍ତୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ଆଜି ଫୁ କରି ଉଡାଇଦେଲେ ସହରବାସୀ l

ଆଜି ସହରର ପ୍ରମୁଖ ଆମିଷ ବଜାର ସହ ଗଳି କନ୍ଦିରେ ସମସ୍ତ ମାଛ, ଚିକେନ ଓ ମାଂସ ଦୋକାନ ଖୋଲା ରହିଛି l ସବୁଠି ଅସମ୍ଭବ ଭିଡ l କେହି ସାମାଜିକ ଦୂରତା ନିୟମ ପାଳନ କରୁନାହାନ୍ତି l ଠେଲାପେଲା ହେଉଥିଲେ ବି ଦୋକାନୀମାନେ ରୋଜଗାର ନିଶାରେ ଗ୍ରାହକମାନଙ୍କୁ ବାରଣ କରୁନାହାନ୍ତି l ସ୍ଥାନୀୟ ପୁଲିସ ଓ ଆରଏମସି ଏନଫୋର୍ସ ଟିମ ବି କୌଣସି ପଦକ୍ଷେପ ନେଉନାହାନ୍ତି l

ସହରର ଡେଲିମାର୍କେଟ ହୋଲସେଲ ମାଛ ବଜାର ସମେତ ପାନପୋଷ ଏନଏସି ମାର୍କେଟ, ଡିଏଭି ମାଛ ମାର୍କେଟ, ଛେଣ୍ଡ ଭିଏସଏସ ମାର୍କେଟ , କଳିଙ୍ଗ ବିହାର , ଇସ୍ପାତ ମାର୍କେଟ, ମୁଣ୍ଡା ମାର୍କେଟ,ଫର୍ଟିଲାଇଜର, ବନ୍ଧମୁଣ୍ଡା, ବେଦବ୍ୟାସ ଆଦି ମାର୍କେଟରେ ଏଭଳି ଚିତ୍ର ଦେଖିବାକୁ ମିଳିଛି l ସୂଚନାଯୋଗ୍ୟ ନାଲାରୋଡ଼ ଆକ୍ରାନ୍ତ ଲିଙ୍କ ପରେ ସେକ୍ଟର ୧୮ ର ପ୍ରମୁଖ ମାଛ, ଅଣ୍ଡା, ଚିକେନ ଓ ମାଂସ ଦୋକାନଗୁଡିକୁ ଆରଏମସି ପକ୍ଷରୁ ସିଲ କରି ଦିଆଯାଇଛି l ତେବେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶନାମାକୁ ନ ମାନି ଖୋଲାଥିବା ଆମିଷ ବଜାର ଭିଡ ଯୋଗୁଁ କରୋନା ସଂକ୍ରମଣର ଅଧିକ ଭୟ ରହିଛି l

ସମ୍ବନ୍ଧିତ ଖବର