ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟକୁ ସ୍ଥାୟୀ କୁଳସଚିବ ଆସିବେ କେବେ? ଜାନୁୟାରିରୁ ନିଯୁକ୍ତି, ଏଯାଏଁ ଆସିନାହାନ୍ତି

କାର୍ଯ୍ୟରେ ଯୋଗଦେଇନାହାନ୍ତି, ପାଇଗଲେ ନୋସ୍ନାଲ ପ୍ରମୋସନ୍

ବାରିପଦା: ଆଦିବାସୀ ଅଧ୍ୟୁଷିତ ବୃହତ୍ ଜିଲ୍ଲା ମୟୂରଭଞ୍ଜରେ ଉଚ୍ଚଶିକ୍ଷାର ପ୍ରାଣକେନ୍ଦ୍ର ପାଲଟିଥିବା ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟରେ ସ୍ଥାୟୀ କୁଳସଚିବ ନାହାନ୍ତି । କାମଚଳା କୁଳସଚିବରେ ଚାଲିଛି ବିଶ୍ବବିଦ୍ୟାଳୟ। ଯାହାଫଳରେ ବିଶ୍ବବିଦ୍ୟାଳୟର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ପ୍ରତିବନ୍ଧକ ଘଟୁଛି। ସେହିପରି ନାନା ଦୁର୍ନୀତି ମଧ୍ୟ ମୁଣ୍ଡ ଟେକୁଛି। ଯାହାକି ବିଶ୍ବବିଦ୍ୟାଳୟର ପ୍ରତିଷ୍ଠାକୁ ରାଜ୍ୟସ୍ତରରେ କ୍ଷୁର୍ଣ୍ଣ କରୁଛି। ତେବେ ଚଳିତ ବର୍ଷ ଜାନୁୟାରି ୨୦ରେ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବିଡିଓ ଥିବା ସହଦେବ ସମଧିଆ(ଓଏଏସ୍)ଙ୍କୁ ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟର କୁଳସଚିବ ଭାବେ ନିଯୁକ୍ତି ଦିଆଯାଇଥିଲା। ମାତ୍ର ୯ ମାସ ଅତିକ୍ରମ କରିବାକୁ ବସିଥିଲେ ମଧ୍ୟ ଏଯାବତ ଶ୍ରୀ ସମାଧିଆ ବିଶ୍ବବିଦ୍ୟାଳୟରେ କାର୍ଯ୍ୟରେ ଯୋଗ ଦେଇନାହାନ୍ତି। ଓଲଟି ଶ୍ରୀ ସମାଧିଆଙ୍କୁ ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟର କୁଳସଚିବ ଭାବେ କାର୍ଯ୍ୟରତ ଥିବାରୁ ନୋସ୍ନାଲ ପ୍ରମୋସନ୍ ଦିଆଯାଇଛି। ଯାହାକି ରାଜ୍ୟ ସରକାରଙ୍କ ବିଚିତ୍ର ନୀତିକୁ ପଦାରେ ପକାଇଛି।

୯ମାସ ହେଲାଣି କାର୍ଯ୍ୟରେ ଯୋଗଦେଇନାହାନ୍ତି ମାତ୍ର ଉକ୍ତ ପଦବୀକୁ ନେଇ ହିଁ ପାଇଲେ ପ୍ରମୋସନ୍। ଶ୍ରୀ ସମାଧିଆଙ୍କ ସହିତ ବଦଳି ହୋଇଥିବା ଅନ୍ୟ ବିଶ୍ବବିଦ୍ୟାଳୟର କୁଳସଚିବମାନେ କାର୍ଯ୍ୟରେ ଯୋଗଦେଇସାରିଲେଣି। ମାତ୍ର କେଉଁ ଅଦୃଶ୍ୟ ଶକ୍ତି ପ୍ରଭାବରୁ କାର୍ଯ୍ୟରେ ଯୋଗଦେଉନାହାନ୍ତି ତାହା ପ୍ରହେଳିକା ସୃଷ୍ଟି କରୁଛି। ଏପଟେ ସ୍ଥାୟୀ କୁଳସଚିବ ନଥିବାରୁ ‘ବାଘ ଘରେ ମିରୀଗ ନାଟ’ ଭଳି ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟରେ ନାନା କେଳେଙ୍କାରୀ ମୁଣ୍ଡ ଟେକୁଛି।

୨୦୧୯ ଫେବ୍ରୁଆରିରୁ ପ୍ରଫେସର ପ୍ରମୋଦ କୁମାର ଶତପଥୀ ଭାରପ୍ରାପ୍ତ କୁଳସଚିବ ଭାବେ କାର୍ଯ୍ୟ କରୁଛନ୍ତି। ପାଠପଢ଼ା ସହିତ ବିଶ୍ବବିଦ୍ୟାଳୟର କୁଳସଚିବ ଭାବେ ବିଭିନ୍ନ ପ୍ରଶାସନିକ କାର୍ଯ୍ୟ ନ୍ୟସ୍ତ ଥିବାରୁ ସେ ଚାପରେ ରହୁଛନ୍ତି। ଯାହାକି ବିଶ୍ବବିଦ୍ୟାଳୟରେ ପ୍ରାୟ ୨ବର୍ଷ ହେବ ବିଭିନ୍ନ ବିଭାଗରେ ସ୍ଥାୟୀ ଅଧ୍ୟାପକ ନିଯୁକ୍ତି ମଧ୍ୟ ହୋଇପାରୁନାହିଁ। ଏନେଇ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ପ୍ରଦୀପ କୁମାର ଚାନ୍ଦ କହିଛନ୍ତି ଯେ ଆମେ ମଧ୍ୟ ସ୍ଥାୟୀ କୁଳସଚିବଙ୍କ କାର୍ଯ୍ୟରେ ଯୋଗଦେବାକୁ ଅପେକ୍ଷା କରିଛୁ। ୨୦୨୦ ଜାନୁୟାରିରୁ ନିଯୁକ୍ତି ହୋଇଥିଲେ ମଧ୍ୟ ସ୍ଥାୟୀ କୁଳସଚିବ ଏଯାଏ କାର୍ଯ୍ୟରେ ଯୋଗଦେଇନାହାନ୍ତି ବୋଲି ଶ୍ରୀ ଶତପଥୀ ସୂଚନା ଦେଇଛନ୍ତି।

ସେହିପରି ୨୦୧୫ରେ ବିଶ୍ବବିଦ୍ୟାଳୟରେ ସ୍ଥାୟୀ କୁଳସଚିବ ନଥିବାରୁ ଏସ୍ଫ୍ସି ସଂସ୍କୃତ ବିଭାଗରେ ରିଡର୍ ଭାବେ ଯୋଗ୍ୟତା ନଥାଇ ଜଣେ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯାଇଥିଲା। ଜାଲିଆତି କରାଯାଇ ଉକ୍ତ ପ୍ରାର୍ଥୀଙ୍କର ପିଏଚ୍ଡି ନଥାଇ ମଧ୍ୟ ତାଙ୍କ ନାମ ପୂର୍ବରୁ ଡକ୍ତର ଯୋଡ଼ାଯାଇ ପିଏଚ୍ଡି ଯୋଗ୍ୟତା ଥିବା ଦର୍ଶାଯାଇଥିଲା। ଫଳରେ ଯୋଗ୍ୟ ପ୍ରାର୍ଥୀମାନେ ବାଦ୍ ପଡ଼ିଥିଲେ। ଏନେଇ ଏଜି କାର୍ଯ୍ୟାଳୟରୁ ଉଚ୍ଚଶିକ୍ଷା ବିଭାଗକୁ କୈଫୟତ ତଲବ କରାଯାଇଥିଲା। ଯେଉଁଥିପାଇଁ ଉଚ୍ଚଶିକ୍ଷା ବିଭାଗ ସଂପୃକ୍ତ କୁଳସଚିବଙ୍କୁ ସ୍ପଷ୍ଟୀକରଣ ମାଗିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ତାହା ପ୍ରଦାନ କରାଯାଇନଥିବା ଜଣାପଡ଼ିଛି। ଯାହାକି ବିଶ୍ବବିଦ୍ୟାଳୟରେ ସବୁକିଛି ସ୍ପଷ୍ଟତାର ସହିତ ସଂପାଦିତ ହେଉନଥିବା ଅଭିଯୋଗ ହୋଇଛି।

ବିଶ୍ବବିଦ୍ୟାଳୟରେ ତୁରନ୍ତ ସ୍ଥାୟୀ କୁଳସଚିବ ଯୋଗଦେବା ନିମନ୍ତେ ଉଚ୍ଚଶିକ୍ଷା ବିଭାଗ ତୁରନ୍ତ ତତ୍ପରତା ଦେଖାଇବା ଆବଶ୍ୟକ। ସ୍ଥାୟୀ କୁଳସଚିବ ନଥିବାରୁ ଦୀର୍ଘ ତିନି ଦଶନ୍ଧିର ଜନଆନ୍ଦୋଳନ ସ୍ବରୂପ ରାଜ୍ୟର ସର୍ବବୃହତ୍ ଜିଲ୍ଲା ମୟୂରଭଞ୍ଜରେ ପ୍ରତିଷ୍ଠିତ ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟରେ ବିକାଶମୂଳକ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ଏହାସହିତ ବିଭିନ୍ନ ଦୁର୍ନୀତି ମଧ୍ୟ ମୁଣ୍ଡ ଟେକୁଥିବା ବିଶ୍ବବିଦ୍ୟାଳୟ ସଂଘର୍ଷ ବାହିନୀ ପ୍ରତିଷ୍ଠାତା ଆବାହକ ବିଭୁଦତ୍ତ ଦାସ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର