ଫସଲରେ ପୋକ ଲାଗିବା ପରେ ଚେତିଲା କୃଷି ବିଭାଗ : ୧୫ ବରିଷ୍ଠ ଅଧିକାରୀଙ୍କୁ ଜିଲ୍ଲା ଗସ୍ତ ପାଇଁ ନିର୍ଦ୍ଦେଶ ଦେଲା, ଜଣେ ଅଧିକାରୀ ୨ଟି ଜିଲ୍ଲା ଗସ୍ତ କରିବାକୁ ନର୍ଦ୍ଦେଶ

ଚାଷୀମାନଙ୍କୁ ଦେବେ ଆବଶ୍ୟକ ପରାମର୍ଶ, ୫'ଟି' କାର୍ଯ୍ୟକାରିତା ନେଇ ନଭେମ୍ବର ୧୦ ତାରିଖ ସୁଦ୍ଧା ରିପୋର୍ଟ

ଭୁବନେଶ୍ବର : ଚଳିତବର୍ଷ କେଉଁ ଜିଲ୍ଲାରେ ବର୍ଷା ଅଧିକ ଆଉ କେଉଁଠି କମ୍ ବର୍ଷା। ବର୍ଷାର ଅନିୟମିତତା ଯୋଗୁଁ ଫସଲରେ ରୋଗପୋକ ଲାଗିବା ଆରମ୍ଭ ହୋଇଛି। ଏ ନେଇ ଖବର ପ୍ରକାଶ ପାଇବା ପରେ କୃଷି ବିଭାଗ ତତ୍ପର ହୋଇଛି। ଫସଲର ସ୍ଥିତି ଓ ଚାଷାମାନଙ୍କୁ ଆବଶ୍ୟକ ପରାମର୍ଶ ଦେବା ପାଇଁ ୧୫ ଜଣ ବରିଷ୍ଠ ଅଧିକାରୀଙ୍କୁ ଜିଲ୍ଲା ଗସ୍ତ କରିବା ପାଇଁ ଆଜି ବିଭାଗ ନିର୍ଦ୍ଦେଶନାମା ଜାରି କରିଛି। ପ୍ରଶାସନିକ ସ୍ତରରେ ନିଆଯାଉଥିବା ନିଷ୍ପତ୍ତି ଓ ଯୋଜନାଗୁଡ଼ିକ ତୃଣମୂଳ ସ୍ତରରେ କିପରି କାର୍ଯ୍ୟକାରୀ ହେଉଛି ତାର ସୁଫଳ ସିଧାସଳଖ ଚାଷୀମାନଙ୍କ ପାଖରେ ପହଞ୍ଚୁଛି କି ନାହିଁ ସେ ନେଇ ବରିଷ୍ଠ ଅଧିକାରୀମାନେ ତଦାରଖ କରିବେ। ଆସନ୍ତା ନଭେମ୍ବର ୧୦ ତାରିଖ ସୁଦ୍ଧା ବିଭାଗୀୟ ପ୍ରମୁଖ ଶାସନ ସଚିବଙ୍କୁ ଏ ନେଇ ଅଧିକାରୀମାନେ ରିପୋର୍ଟ ପ୍ରଦାନ କରିବାକୁ କୁହାଯାଇଛି।

କୃଷି ବିଭାଗର ନିର୍ଦ୍ଦେଶ ଅନୁଯାୟୀ, ଅତିରିକ୍ତ ଶାସନ ସଚିବ ଦୁଃଖୀଶ୍ୟାମ ପାଇକଙ୍କୁ କୋରାପୁଟ ଓ ରାୟଗଡ଼ା ଜିଲ୍ଲା ଗସ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବାବେଳେ ମେରି ଲାକ୍ରା ଅନୁଗୋଳ ଓ ଢେଙ୍କାନାଳ, ଚିତ୍ତରଞ୍ଜନ ପାତ୍ର କନ୍ଧମାଳ ଓ ବଲାଙ୍ଗୀର, ବନାନୀ ମହାନ୍ତି ସୁବର୍ଣ୍ଣପୁର ଓ ବୌଦ୍ଧ, ମନ୍ମଥ କୁମାର ପାଣି କେନ୍ଦୁଝର ଓ ଦେବଗଡ଼ ଜିଲ୍ଲା ଗସ୍ତ କରିବେ। ସେହିପରି ଚିନ୍ମୟ କବି ଭଦ୍ରକ ଓ ଯାଜପୁର, ଓଡ଼ିଶା ଆଗ୍ରୋ ଇଣ୍ଡଷ୍ଟ୍ରିଜ୍ କର୍ପୋରେସନ ପରିଚାଳନା ନିର୍ଦ୍ଦେଶକ ସଦାନନ୍ଦ ନାୟକ ମୟୁରଭଞ୍ଜ ଓ ବାଲେଶ୍ବର, ଓଡ଼ିଶା ରାଜ୍ୟ ବିହନ ନିଗମ ପରିଚାଳନା ନିର୍ଦ୍ଦେଶକ ଜ୍ୟୋତିରଞ୍ଜନ ମିଶ୍ର ସୁନ୍ଦରଗଡ଼ ଓ ଝାରସୁଗୁଡ଼ା, ଅତିରିକ୍ତ ନିର୍ଦ୍ଦେଶକ ଶିବନାରାୟଣ ନନ୍ଦ ଖୋର୍ଦ୍ଧା ଓ ପୁରୀ, ଆପିକଲର ପରିଚାଳନା ନିର୍ଦ୍ଦେଶକ ଶୁଭେନ୍ଦୁ ଶେଖର ଦେ କଟକ ଓ ନୟାଗଡ଼ ଜିଲ୍ଲା ଗସ୍ତ କରିବେ। ଉପଶାସନ ସଚିବ ପ୍ରାଚୀ ମହାପାତ୍ର କେନ୍ଦ୍ରାପଡ଼ା ଓ ଜଗତସିଂହପୁର, ଯୁଗ୍ମ ଶାସନ ସଚିବ ପଦ୍ମଲୋଚନ ନାୟକ ମାଲକାନଗିରି ଓ ନବରଙ୍ଗପୁର, ଯୁଗ୍ମ ଶାସନ ସଚିବ ଅଶ୍ବିନୀ କୁମାର ସୁରଜିତ କଳାହାଣ୍ଡି ଓ ନୂଆପଡ଼ା, ଉପଶାସନ ସଚିବ ବିପିନ ବିହାରୀ ପାଣିଗ୍ରାହୀ ଗଞ୍ଜାମ ଓ ଗଜପତି ଏବଂ ଉପଶାସନ ସଚିବ ଗୋବର୍ଦ୍ଧନ ଦେବତା ସମ୍ବଲପୁର ଓ ବରଗଡ଼ ଜିଲ୍ଲା ଗସ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

New Indian Express

ଏହି ଅଧିକାରୀମାନେ ନଭେମ୍ବର ୨ ତାରିଖ ମଧ୍ୟରେ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ଜିଲ୍ଲା ଗସ୍ତକାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଗସ୍ତ ସମୟରେ ଅଧିକାରୀମାନେ ସାର ଓ କୀଟନାଶକ ଔଷଧର ଯୋଗାଣ ଓ ଗୁଣବତ୍ତା ନେଇ ଯାଞ୍ଚ କରିବା ସହ ଫସଲରେ ରୋଗପୋକ ସ୍ଥିତି ଅନୁଧ୍ୟାନ କରିବେ। ମୃତ୍ତିକା ସଂରକ୍ଷଣ, ମନରେଗା ଯୋଜନାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ, କୃଷି ସେବା କେନ୍ଦ୍ରଗୁଡ଼ିକର ସ୍ଥିତି ଓ ଏହାର ପରିଚାଳନା, ‘ଆତ୍ମା’ର କାର୍ଯ୍ୟକାରିତା, ବ୍ଲକ ସ୍ତରରେ ଫାର୍ମ ଇନଫରମେସନ ଆଡଭାଇଜେରୀ କେନ୍ଦ୍ରର ନିୟମିତ ବୈଠକ, ଏଡିଏପିଟି କାର୍ଯ୍ୟକ୍ରମର ତଥ୍ୟ ଅପଲୋଡ କରିବା, ଭିଏଡବ୍ଲ୍ୟୁମାନଙ୍କର ଗ୍ରାମ ପଞ୍ଚାୟତରେ ଉପସ୍ଥାନ, ଜନଜାତି ଅଧ୍ୟୁଷିତ ଜିଲ୍ଲାଗୁଡ଼ିକରେ ଓଡ଼ିଶା ମିଲେଟ ମିସନ ସମ୍ପର୍କରେ ଅଧିକାରୀମାନେ ତଦାରଖ କରିବେ। ଏହାସହିତ ସ୍ବୟଂ ସହାୟକ ଗୋଷ୍ଠୀ, କୃଷି ଉତ୍ପାଦନ ସଂଗଠନର କର୍ମକର୍ତ୍ତାଙ୍କୁ ଭେଟିବା ସହିତ ଜିଲ୍ଲାସ୍ତରରେ ବୈଠକ କରି ଜିଲ୍ଲାର କୃଷି ପରିସ୍ଥିତି ସମ୍ପର୍କରେ ଆଲୋଚନା କରିବେ।

ସମ୍ବନ୍ଧିତ ଖବର