ଅସାବଧାନତା ଯୋଗୁଁ ରାଜଭବନ ନିକଟରେ ଥିବା ପେଟ୍ରୋଲ ଟାଙ୍କିରେ ବିସ୍ଫୋରଣ

ରାଜ୍ୟରେ ପ୍ରଥମ ବିସ୍ଫୋରଣ, ପେଟ୍ରୋଲ ଟାଙ୍କି ବିସ୍ଫୋରଣର ତଦନ୍ତ କରୁଛି ପେସୋ

ଭୁବନେଶ୍ୱର : ରାଜଭବନ ନିକଟରେ ଥିବା ପେଟ୍ରୋଲ ଟାଙ୍କି ବିସ୍ଫୋରଣକୁ ନେଇ ତଦନ୍ତ କରୁଛି କେନ୍ଦ୍ର ସରକାରଙ୍କ ପେଟ୍ରୋଲିୟମ ଆଣ୍ଡ ଏକ୍ସପ୍ଲୋସିଭ୍‌ ସେଫ୍ଟି ଅର୍ଗାନାଇଜେସନ(ପେସୋ)। ବରିଷ୍ଠ ଅଧିକାରୀମାନେ ଏହାର କାରଣ ଖୋଜିବାରେ ଲାଗିଛନ୍ତି। ଦୀର୍ଘ ସମୟର ଛାନ୍‌ଭିନ୍‌ ପରେ ଏହା ରାଜ୍ୟର ପ୍ରଥମ ଘଟଣା ବୋଲି ପେସୋ ପକ୍ଷରୁ କୁହାଯାଇଛି। ଅଣ୍ଡର ଗ୍ରାଉଣ୍ଡ ଚାମ୍ବର ବ୍ଲାଷ୍ଟରେ ଏଭଳି ଘଟଣା ପୂର୍ବରୁ ଘଟି ନାହିଁ ବୋଲି କହିଛନ୍ତି ପେସୋ ଡେପୁଟି ଚିଫ୍ କଣ୍ଟ୍ରୋଲର ରୁଆବି ଅଲ୍ଲୀ।

ତାଙ୍କ ସୂଚନା ମୁତାବକ, ଟାଙ୍କିର ହାଇଡ୍ରୋ ଟେଷ୍ଟ ହେଉଥିଲା। ପ୍ରଥମେ ହାଇଡ୍ରୋଜେନ୍ ଗ୍ୟାସ୍ ଭର୍ତ୍ତି ହୋଇଥିଲା, ତା’ ପରେ ନାଇଟ୍ରୋଜେନ୍ ଗ୍ୟାସ୍ ଫିଲିଙ୍ଗ ସଫଳ ହୋଇଥିଲା, କିନ୍ତୁ ଯେତେବେଳେ ଏଲପିଜି ରିଫିଲିଙ୍ଗ ହେଲା ସେତେବେଳେ ଲିକ୍ ହୋଇ ବିସ୍ଫୋରଣ ହେଲା। ବିସ୍ଫୋରଣ ବେଳେ ସାଢେ ୪ ମେଟ୍ରିକ୍‌ ଟନ୍‌ ଏଲପିଜି ଥିଲା ଓ ୧୦ ହଜାର ଲିଟର ପାଣି ଥିଲା। ତଦନ୍ତ ରିପୋର୍ଟ ଆସିବାକୁ ଆଉ କିଛି ସମୟ ବାକି ରହିଛି। ତେବେ ରିଫିଲିଂ ବେଳେ ଅସାବଧାନତା ଯୋଗୁଁ ଏତେ ବଡ଼ ଅଘଟଣ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

ମାଟିତଳେ ରହୁଥିବା ଗ୍ୟାସ୍‌ ଟାଙ୍କି ପାଇଁ ଯେଉଁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥାଏ ସେହି ବ୍ୟବସ୍ଥା ଏଠାରେ ଗ୍ରହଣ କରାଯାଇଥିଲା। ଏହି ବ୍ୟବସ୍ଥା ସବୁ ଠାରୁ ସୁରକ୍ଷିତ ବ୍ୟବସ୍ଥା ଭାବେ ଗଣା ଯାଇଥାଏ। ଏଭଳି ଅଘଟଣ କେମିତି ଘଟିଲା ତାହାର ପୁଙ୍ଖାନୁପୁଙ୍ଖ ତଦନ୍ତ ହେଉଛି। ବିସ୍ଫୋରଣ ପରେ ପରେ ହିଁ ପେସୋ ତଦନ୍ତ ଆରମ୍ଭ କରିଛି। ଫିଲିଙ୍ଗ ଷ୍ଟେସନ ପରିସର ତଦନ୍ତ ସରିବା ପରେ ଆହତମାନଙ୍କୁ ପଚରା‌ ଉଚରା ବାକି ରହିଛି। ଆଇଓସିଏଲ୍‌ ସହ ମଧ୍ୟ ଆଲୋଚନା ହୋଇଛି। ଏହା ଉପରେ ପେସୋ ଏକ ରିପୋର୍ଟ ମଧ୍ୟ ପ୍ରସ୍ତୁତ କରୁଛି। ଯାହା ସରକାରଙ୍କୁ ପ୍ରଦାନ କରାଯିବ।

ଗତକାଲିଠାରୁ ଏହାର ତଦନ୍ତ ଆରମ୍ଭ ହୋଇଥିଲେ ମଧ୍ୟ ଘଟଣାସ୍ଥଳରେ ବିପଦ ଥିବାରୁ ତଦନ୍ତରେ ସମସ୍ୟା ହୋଇଥିଲା। ମାଟିତଳେ ଥିବା ଟାଙ୍କିରୁ ତେଲ ଓ ଗ୍ୟାସ୍‌ ଖାଲି କରାଯିବା ପରେ ଘଟଣାସ୍ଥଳ ବିପଦମୁକ୍ତ ହୋଇଥିଲା। ବିପଦମୁକ୍ତ ହେବା ପରେ ପେସୋର ବରିଷ୍ଠ ଅଧିକାରୀଙ୍କ ସହିତ ରୁଆବି ଅଲ୍ଲୀ ଘଟଣାସ୍ଥଳରେ ଅନୁଧ୍ୟାନ କରିଥିଲେ। ଏହି ବ୍ୟବସ୍ଥା ସୁରକ୍ଷିତ ହୋଇଥିଲେ ମଧ୍ୟ ଏଭଳି ଏକ ଦୁର୍ଘଟଣା କାହିଁକି ଘଟିଲା, ଭୁଲ କେଉଁଠି ରହିଲା ସେ ନେଇ ବିଭାଗୀୟ ଅଧିକାରୀମାନେ ଚିନ୍ତାରେ ପଡ଼ିଥିଲେ। ତେବେ ବୈଷୟିକ ଦଳ ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରୁଥିବାରୁ ଅଘଟଣ ପଛର କାରଣ ଖୁବ୍‌ଶୀଘ୍ର ଜଣାପଡ଼ିବା ସହ ଅନ୍ୟ ଟାଙ୍କିଗୁଡ଼ିକ ସୁରକ୍ଷା ପାଇଁ ଉପଯୁକ୍ତ ପଦକ୍ଷେପ ନିଆଯିବ। ଭବିଷ୍ୟତରେ ଯେଭଳି ଏହି ଘଟଣାର ପୁନରାବୃତ୍ତି ନ ଘଟେ ସେଥିପାଇଁ ଉପଯୁକ୍ତ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ପେଟ୍ରୋଲ ଟାଙ୍କି ସୁରକ୍ଷା ନେଇ ପେସୋ ନିୟମିତ ବ୍ୟବଧାନରେ ଯାଞ୍ଚ କରିଥାଏ ବିସ୍ଫୋରଣ ନିରାପତ୍ତା ପ୍ରମାଣପତ୍ର ପ୍ରଦାନ କରିଥାଏ। ଯାଞ୍ଚରେ କୌଣସି ସମସ୍ୟା ପରିଲକ୍ଷିତ ହେଲେ ଏହି ପ୍ରମାଣପତ୍ର ମିଳେନାହିଁ। ଅଘଟଣ ଘଟିଥିବା ଟାଙ୍କିର ଏହି ପ୍ରମାଣପତ୍ର ବୈଧ ଥିଲା। କିନ୍ତୁ ରିଫିଲିଂରେ ଅସାବଧାନତା ଏତେବଡ଼ ଅଘଟଣ ଘଟାଇଦେଲା ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର