ଜୁଲାଇରେ ପିଜି ଓ ୟୁଜି ପରୀକ୍ଷା

କୁଳପତି ସମ୍ମିଳନୀରେ ବାହାରିଲାନି ନିର୍ଯ୍ୟାସ
୧୮ରେ ପରବର୍ତ୍ତୀ ବୈଠକ, ଚୂଡ଼ାନ୍ତ ନିଷ୍ପତ୍ତି
କଲେଜ ଅଧ୍ୟକ୍ଷଙ୍କ ସହ ଆଲୋଚନା କରିବେ କୁଳପତି

ଭୁବନେଶ୍ବର : ରାଜ୍ୟ ବିଶ୍ବବିଦ୍ୟାଳୟ ସମେତ ସରକାରୀ ଓ ଅନୁଦାନପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟର ୟୁଜି(ସ୍ନାତକ) ଓ ପିଜି(ସ୍ନାତକୋତ୍ତର) ଶେଷ ବର୍ଷ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଜୁଲାଇରେ ହେବ। ତେବେ କେଉଁ ପଦ୍ଧତିରେ କରାଯିବ, ସେନେଇ ଆଜି ବସିଥିବା କୁଳପତି ସମ୍ମିଳନୀରେ ନିଷ୍ପତ୍ତି ହୋଇପାରିନାହିଁ। ଜୁନ୍‌ ୧୮ରେ ଦ୍ବିତୀୟ ପର୍ଯ୍ୟାୟ ବୈଠକ ବସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ଏହା ପୂର୍ବରୁ ବିଶ୍ବବିଦ୍ୟାଳୟ କୁଳପତିମାନେ ସେମାନଙ୍କ ଅଧୀନ କଲେଜ ଅଧ୍ୟକ୍ଷ ଓ ଛାତ୍ରଛାତ୍ରୀଙ୍କ ସହ ପରୀକ୍ଷା ସମ୍ପର୍କରେ ବିଶଦ୍‌ ଆଲୋଚନା କରିବେ। ସମସ୍ତଙ୍କ ମତାମତକୁ ଆଧାର କରି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ସୂଚନା ଦେଇଛନ୍ତି।

ମନ୍ତ୍ରୀ ଶ୍ରୀ ସାହୁଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ୍‌ ମାଧ୍ୟମରେ ବସିଥିବା ବୈଠକରେ ପରୀକ୍ଷା ସମ୍ପର୍କରେ ବ୍ୟାପକ ଆଲୋଚନା ହୋଇଥିଲା। ଅଧିକାଂଶ ବିଶ୍ବବିଦ୍ୟାଳୟ କୁଳପତି ଅନ୍‌ଲାଇନ୍‌ ପରୀକ୍ଷା ସପକ୍ଷରେ କହିଥିବା ବେଳେ କିଛି ବିଶ୍ବବିଦ୍ୟାଳୟ କୁଳପତି ଅଫ୍‌ଲାଇନ୍‌ରେ ପରୀକ୍ଷା କରିବାକୁ ଯୁକ୍ତି ବାଢ଼ିଥିଲେ। ସମସ୍ତଙ୍କ ମତାମତକୁ ଆଧାର କରି ପରୀକ୍ଷା କରିବାକୁ ଶେଷରେ ନିଷ୍ପତ୍ତି ହୋଇଛି। ଆଗାମୀ ବୈଠକରେ ପ୍ରତ୍ୟେକ ଦିଗ ପ୍ରତି ଅନୁଧ୍ୟାନ କରାଯାଇ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବାକୁ ସ୍ଥିର ହୋଇଛି।

ଏହାବ୍ୟତୀତ ବୈଠକରେ ଚଳିତବର୍ଷ ସ୍ନାତକୋତ୍ତର ବିଭାଗରେ ନାମଲେଖା ପାଇଁ ଏକକ ପିଜି ପ୍ରବେଶିକା ପରୀକ୍ଷା ପରିଚାଳନା ସମ୍ପର୍କରେ ବିଶଦ୍‌ ଆଲୋଚନା ହୋଇଛି। ଓଡ଼ିଶା ରାଜ୍ୟ ଉଚ୍ଚ ଶିକ୍ଷା ପରିଷଦକୁ ଅଧିକ ସୁଦୃଢ଼ କରିବା ଦିଗ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ବି ଆଲୋଚନା ହୋଇଥିଲା। ଉଚ୍ଚଶିକ୍ଷା କ୍ଷେତ୍ରରେ ଗବେଷଣାକୁ ପ୍ରାଧାନ୍ୟ ଦେବା ଏବଂ ରାଜ୍ୟରେ ଏକ ଗବେଷଣା ସଂସ୍କୃତି ଗଢ଼ିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଚଳନ କରାଯାଇଥିବା ଓଡ଼ିଶା ବିଶ୍ବବିଦ୍ୟାଳୟ ଅନୁସନ୍ଧାନ ଓ ଅଭିନବୀକରଣ ପ୍ରୋତ୍ସାହନ ଯୋଜନା ସମ୍ପର୍କରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା। ଏଥିସହ ଏକାଡେମିକ ଅଡିଟ ଓ ନାକ୍‌ ମାନ୍ୟତା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଛି। ବୈଠକରେ ଉଚ୍ଚଶିକ୍ଷା ସଚିବ ଶାଶ୍ବତ ମିଶ୍ର, ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ଉପାଧ୍ୟକ୍ଷ ପ୍ରଫେସର ଅଶୋକ କୁମାର ଦାସଙ୍କ ସମେତ ସମସ୍ତ ବିଶ୍ବବିଦ୍ୟାଳୟ କୁଳପତି ସାମିଲ ହୋଇଥିଲେ।

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର କିଶୋର ବାସା କହିଛନ୍ତି ଯେ ପରୀକ୍ଷା ନେଇ କୌଣସି ନିଷ୍ପତ୍ତି ହୋଇନାହିଁ। ୧୮ ତାରିଖରେ ବସିବାକୁ ଥିବା ବୈଠକରେ ବିଶଦ୍‌ ଆଲୋଚନା କରାଯାଇ ଚୂଡ଼ାନ୍ତ ନିଷ୍ପତ୍ତି ହେବ। ତା’ ପୂର୍ବରୁ ଆମେ ବିଭିନ୍ନ କଲେଜ ଅଧ୍ୟକ୍ଷ ଓ ଛାତ୍ରଛାତ୍ରୀଙ୍କ ସହ ପରୀକ୍ଷା ବିଷୟରେ ଆଲୋଚନା କରିବୁ।

ସମ୍ବନ୍ଧିତ ଖବର