ବାରମ୍ବାର ଭାଇରାଲ୍‌ ହେଉଛି ଶ୍ରୀମନ୍ଦିର ଭିତର ଫଟୋ, କଡ଼ା କାର୍ଯ୍ୟାନୁଷ୍ଠାନ କେବେ?

ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଢିଲା

ପୁରୀ : ଶହଶହ ପୁଲିସ କର୍ମଚାରୀ ପହରା ଦେଉଛନ୍ତି। ସେବାୟତ ଓ ଭକ୍ତଙ୍କ ଆତଯାତ ହେଉଛି। ଏସବୁ ସତ୍ତ୍ବେ ଶ୍ରୀମନ୍ଦିର ଗର୍ଭଗୃହର ଫଟୋ ଉଠାଇ ନେଉଛନ୍ତି ଭକ୍ତ। ଏପରିକି ସବୁ ନିୟମକୁ ଜଳାଞ୍ଜଳି ଦେଇ ରତ୍ନ ସିଂହାସନରେ ବସିଥିବା ମହାପ୍ରଭୁଙ୍କ ଭିଡିଓକୁ ଭାଇରାଲ କରିଦେବା ଭଳି ଘଟଣା ଖାଲି ସୁରକ୍ଷା ବ୍ୟବସ୍ଥା ଉପରକୁ ଅଙ୍ଗୁଳି ନିର୍ଦେଶ କରିନାହିଁ, ବରଂ ଭାବାବେଗକୁ ଆଘାତ ଦେଇଛି। ଏହି ଘଟଣାରେ ମହାପ୍ରଭୁଙ୍କ ଗର୍ଭଗୃହ ଭିଡିଓ ଭାଇରାଲ୍‌ କରିଥିବା ଆକାଶ ଚୌଧୁରୀଙ୍କ ବ‌ିରୋଧରେ ଗତକାଲି ଏକାଦଶୀ ମହାସଂଘ ପକ୍ଷରୁ ଏତଲା ଦିଆଯାଇଥିବା ବେଳେ ଆଜି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସିଂହଦ୍ବାର ଥାନାରେ ଏତଲା ଦିଆଯାଇଛି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଏହି ଘଟଣା ପ୍ରଥମଥର ଘଟିନାହିଁ। ବାରମ୍ବାର ଏଭଳି ଘଟଣା ସାମ୍ନାକୁ ଆସୁଛି। ଏନେଇ ସିଂହଦ୍ବାର ଥାନାରେ ଆଗରୁ ମଧ୍ୟ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏତଲା ଦିଆଯାଇଛି। ମାତ୍ର ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଅଭାବରୁ ବାରମ୍ବାର ଏଭଳି ଘଟଣା ଭିଆଇବା ନେଇ ଲୋକେ ସାହସ ଜୁଟାଉଛନ୍ତି। ତେଣୁ ଅନ୍ତତଃ କଡ଼ା କାର୍ଯ୍ୟାନୁଷ୍ଠାନ ହେଲେ ଅନ୍ୟମାନେ ଏଥିରୁ ବିରତ ରହିବେ ବୋଲି ବିଭିନ୍ନ ଆଧ୍ୟାତ୍ମିକ ‌ଅନୁଷ୍ଠାନ ପକ୍ଷରୁ କୁହାଯାଇଛି।

୨୦୨୧ ମସିହା ମେ’ ମାସରେ ମଧ୍ୟ ଶ୍ରୀମନ୍ଦିର ରତ୍ନସିଂହାସନରେ ବିରାଜିତ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶନଙ୍କ ଫଟୋଚିତ୍ର ଫେସ୍‌ବୁକରେ ପୋଷ୍ଟ ହେବା ପରେ ଭାଇରାଲ୍‌ ହୋଇଥିଲା। ପଶ୍ଚିମବଙ୍ଗର ଜଣେ ଯୁବକ ଏହି ଫଟୋ ପୋଷ୍ଟ କରିବା ପରେ ଜଣେ ସେବାୟତଙ୍କୁ ଟ୍ୟାଗ୍‌ କରିଥିଲେ। ଏହି ଘଟଣାର ତଦନ୍ତ କରାଯାଇଥିଲା। ସିଂହଦ୍ବାର ଥାନାରେ ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏତଲା ମଧ୍ୟ ଦିଆଯାଇଥିଲା। ସେହିଭଳି ୨୦୧୭ ମସିହା ଡିସେମ୍ବର ମାସରେ ଜଣେ ବ୍ୟକ୍ତି ଶ୍ରୀମନ୍ଦିର ଗର୍ଭଗୃହର ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ୩ ଥର ଗର୍ଭଗୃହର ଫଟୋ ସୋସିଆଲ ମିଡିଆରେ ପୋଷ୍ଟ ହେବା ସହ ଭାଇରାଲ୍‌ ହୋଇସାରିଛି।

କେବଳ ଗର୍ଭଗୃହ ନୁହେଁ, ଭିନ୍ନ ଭିନ୍ନ ସମୟରେ ଶ୍ରୀମନ୍ଦିର ମଧ୍ୟରେ ବିଭିନ୍ନ ସ୍ଥାନରେ ସେଲ୍‌ଫି ନେବାର ଭିଡିଓ ମଧ୍ୟ ଭାଇରାଲ୍ ହୋଇଛି। ୨୦୧୯ ମସିହାରେ କିଛି ଭକ୍ତ ଶ୍ରୀମନ୍ଦିରର ବିଭିନ୍ନ ସ୍ଥାନରେ ସେଲ୍‌ଫି ନେଇ ଏହାକୁ ସୋସିଆଲ୍‌ ମିଡିଆରେ ପୋଷ୍ଟ କରିଥିଲେ। ଏପରିକି ଆନନ୍ଦବଜାରରେ ଅବଢ଼ା ବିକ୍ରି ହେଉଥିବାର ଫଟୋ ଉତ୍ତୋଳନ କରାଯାଇଥିଲା। ସେହି ବର୍ଷ ଏହିଭଳି ୨ଟି ଘଟଣା ସାମ୍ନାକୁ ଆସିଥିଲା। ଏନେଇ ସିଂହଦ୍ବାର ଥାନାରେ ଏତଲା ମଧ୍ୟ ହୋଇଥିଲା। ହେଲେ ଘଟଣାର ପୁନରାବୃତ୍ତି ହେଲା।

ସେହିଭଳି ୨୦୨୧ ମସିହା ଫେବ୍ରୁଆରି ମାସରେ ଇନ୍‌ଷ୍ଟାଗ୍ରାମରେ ଶ୍ରୀମନ୍ଦିରର ଭିତର ଫଟୋ ପୋଷ୍ଟ ହୋଇଥିଲା। ଚଳିତ ବର୍ଷ ଜୁନ୍‌ ମାସରେ ଶ୍ରୀମନ୍ଦିର କୋଇଲି ବୈକୁଣ୍ଠ ଓ ନୃସିଂହ ମନ୍ଦିର ନିକଟରେ ଜଣେ ବ୍ୟକ୍ତି ସେଲ୍‌ଫି ନେଇ ସେ ଫଟୋକୁ ସୋସିଆଲ ମିଡି‌ଆରେ ସେୟାର କରିଥିଲେ। ୨୦୧୮ ମସିହାରେ ହାଇଦ୍ରାବାଦର ଜଣେ ପର୍ଯ୍ୟଟକ ତାଙ୍କ ଫେସବୁକ୍‌ରେ ଶ୍ରୀମନ୍ଦିର ନାଟମଣ୍ଡପ ଓ ଜଗମୋହନ ବାହାର ପାର୍ଶ୍ବ ‌ଫଟୋ ଉତ୍ତୋଳନ କରି ଫେସ୍‌ବୁକ୍‌ରେ ପୋଷ୍ଟ କରିଥିଲେ। ଭକ୍ତଙ୍କୁ ସଚେତନ କରିବା ଲାଗି ସତର୍କ କରିବା ଲାଗି ଚାରିଦ୍ବାରରେ ସୂଚନା ଫଳକ ଲଗାଯାଇଛି। ଡାକବାଜି ଯନ୍ତ୍ରରେ ସଚେତନ କରାଯାଉଛି। ଚାରିଦ୍ବାରରେ ଡୋର୍‌ ମେଟାଲ୍‌ ଡିଟେକ୍ଟର ଜରିଆରେ ମୋବାଇଲ୍‌ ଫୋନ ଯାଞ୍ଚ କରି ଭକ୍ତଙ୍କୁ ଭିତରକୁ ଛଡ଼ାଯାଉଛି। ଏହାସତ୍ତ୍ବେ ଶ୍ରୀମନ୍ଦିର ଭିତରକୁ କିଭଳି ମୋବାଇଲ୍‌ ଯାଉଛି ସେନେଇ ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର