ଶାରୀରିକ ପୀଡ଼ାଠୁ ବଳିଗଲା ସାମାଜିକ ପୀଡ଼ା, ଜିଲ୍ଲାପାଳଙ୍କୁ ଗୁହାରି ଜଣାଇଲେ ଦୁଷ୍କର୍ମ ପୀଡ଼ିତା

ବାଲେଶ୍ବର: ସ୍ବାମୀ ଆରପାରିକୁ ଛାଡ଼ି ଚାଲିଗଲେ। ଦୁଃଖର ପୀଡ଼ା ଭିତରେ ଥିବାବେଳେ ଦୁଷ୍କର୍ମରେ ଶିକାର ହେଲି। ଏହି ଅପବାଦରେ କାହାକୁ ଆଉ ମୁହଁ ଦେଖାଇ ପାରିଲିନି। ସମାଜର ଟାଇଟାପୁରା ଶୁଣିଶୁଣି ଛାତିକୁ ପଥର କରିଦେଲି। ହେଲେ ଏହା ପରେ ବି ଦୁଃଖ କମିଲାନି। ପରିବାର ସମ୍ଭାଳିବାର ରୋଜଗାର ବାଟ ବି ବନ୍ଦ ହୋଇଯାଇଛି। ଶରୀର ଯନ୍ତ୍ରଣା ପୀଡ଼ାଠୁ ବଳିଗଲାଣି ସାମାଜିକ ପୀଡ଼ା। ଏ ବୟସରେ ଏତେ ବଡ଼ ଅପବାଦ ମୁଣ୍ଡେଇବା କଷ୍ଟ ହେଉଛି। ‌ଦୁଷ୍କର୍ମକାରୀକୁ ପୁଲିସ୍‌ ସିନା ବାନ୍ଧିନେଲା। ହେଲେ କିଛି ଭୁଲ ନ ଥିଲେ ଆଜି ମୁଁ ସମାଜ ଆଗରେ ବଡ଼ ଦୋଷୀ ହୋଇଯାଇଛି। କରିବି କଣ? କେହି ମୋ ଦୁଃଖକୁ ବୁଝିବା ଆଗରୁ ମୋତେ ହିଁ ଦୋଷୀ କରି ମାନସିକ ଯନ୍ତ୍ରଣା ଦେଉଛନ୍ତି। ଆଉ ଏଇ ଯନ୍ତ୍ରଣାରେ ମୁଁ ଦିନରାତି ଛଟପଟ ହେଉଛି। ଆଜି ରେମୁଣା ଥାନା ଅଞ୍ଚଳର ଜଣେ ଦୁଷ୍କର୍ମ ପୀଡ଼ିତା ମହିଳା ଜିଲ୍ଲାପାଳଙ୍କୁ ନିଜର ଗୁହାରି ଶୁଣାଇବାକୁ ଆସି କୋହଭରା କଣ୍ଠରେ କହିଥିଲେ।

ସୂଚନା ଅନୁସାରେ, ୨୦୨୧ ମସିହା‌ରେ ସ୍ବାମୀଙ୍କର ମୃତ୍ୟୁ ହେବାରୁ ୨୦୨୨ ଏପ୍ରିଲ ୮ ତାରିଖରେ ମହିଳା ଜଣକ ସ୍ବାମୀଙ୍କ ସକ୍‌ସେସନ୍‌ ସାର୍ଟିଫିକେଟ୍‌ ଆଣିବାକୁ ଜଳେଶ୍ବର ଯାଇଥିଲେ। ଟ୍ରେନ୍‌ରୁ ଓହ୍ଲାଇବା ପରେ ଜ୍ବାଇଁଙ୍କ ଭଣଜା ସେଠାରେ ଦେଖା ହୋଇଥିଲା। ସାର୍ଟିଫିକେଟ୍‌ ଆଣିବା ପାଇଁ କୋର୍ଟକୁ ନେଇଯିବାକୁ କହି ମହିଳା ଜଣଙ୍କୁ ଏକ ଅଜଣା ସ୍ଥାନକୁ ନେଇ ମୃଦୁପାନୀୟରେ ନିଶା ଦେଇ ଦୁଷ୍କର୍ମ କରିଥିଲା। ଆଉ ଏହାର ଭିଡିଓ ମହିଳାଙ୍କ ମୋବାଇଲ୍‌ରେ ରେକର୍ଡ କରି ସମସ୍ତଙ୍କୁ ଭାଇରାଲ କରିଥିଲା। ମହିଳା ଜଣକ ଅସୁସ୍ଥ ହୋଇ ଫେରିବା ପରେ ଘଟଣା ସଂପର୍କରେ ଜାଣିବାକୁ ପାଇଥିଲେ। ପରେ ଏନେଇ ଜଳେଶ୍ବର ଓଲମରା ଥାନାରେ ଅଭିଯୋଗ କରିବା ପରେ ଅଭିଯୁକ୍ତକୁ ପୁଲିସ୍‌ ଗିରଫ କରିଥିଲା। ମହିଳା ଜଣଙ୍କର କିଛି ଭୁଲ୍‌ ନଥାଇ ବି ସାମାଜିକ ଅପବାଦ ମୁଣ୍ଡେଇବାକୁ ପଡ଼ିଲା। ଏହାସହିତ ଯେଉଁ ସେବାଶ୍ରମରେ ଚାକିରି କରିଥିଲେ ସେଠାକୁ ଯିବାର ରାସ୍ତା ବି ଏବେ ବନ୍ଦ ହୋଇଯାଇଛି। ଏନେଇ ମହିଳା ଜଣକ ନ୍ୟାୟ ଦାବିରେ ଆଜି ଜିଲ୍ଲାପାଳଙ୍କୁ ଗୁହାରି କରିବା ସହିତ ଚାକିରିରେ ଯୋଗଦାନ କରିବାକୁ ଦାବିପତ୍ର ଦେଇଛନ୍ତି। ସେହିପରି ଜିଲ୍ଲା ମଙ୍ଗଳ ଅଧିକାରୀ ଓ ଜିଲ୍ଲାପରିଷଦ ଅଧ୍ୟକ୍ଷଙ୍କୁ ମଧ୍ୟ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।

ସମ୍ବନ୍ଧିତ ଖବର