ଲୋକଙ୍କ ଅଜାଣତରେ ଉଠାଇନେଲେ ଡାକ୍ତରଖାନା, ସଂକଟରେ ୧୦ ହଜାର ଲୋକଙ୍କ ସ୍ୱାସ୍ଥ୍ୟସେବା

ରାଉରକେଲା: ଦଶବର୍ଷ ଧରି ପ୍ରାୟ ୧୦ ହଜାର ଲୋକଙ୍କ ସେବା କରୁଥିବା ବନ୍ଧମୁଣ୍ଡାର ଡି-ସେକ୍ଟର ସାପ୍ତାହିକବଜାରସ୍ଥ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନୀୟ ଲୋକଙ୍କୁ ଅନ୍ଧାରରେ ରଖି ଅନ୍ୟତ୍ର ଉଠାଇ ନିଆଯାଇଛି। ୧୨ କିମି ଦୂର ଟିମ୍ବରକଲୋନିରେ ଏହାକୁ ଖୋଲାଯାଇଛି। ଏକ ସପ୍ତାହ ଧରି ଡାକ୍ତରଖାନାଟି ବନ୍ଦ ପଡ଼ିଛି। ଲୋକେ ନୂଆଖାଇ ଯୋଗୁ ହୁଏତ ଡାକ୍ତରଖାନା ବନ୍ଦ ଅଛି ପ୍ରଥମେ ଭାବିଥିଲେ। ଏବେ ବାଧ୍ୟହୋଇ ଘରୋଇ ଡାକ୍ତର ଓ କ୍ବାକ୍‌ମାନଙ୍କ ସହାୟତା ନେଉଛନ୍ତି। ସେମାନଙ୍କ ଅଜାଣତରେ ରାତି ଅନ୍ଧାରରେ ଏତେବଡ଼ ଘଟଣା ଘଟିଯାଇଥିବା ବିଶ୍ବାସ କରି ପାରୁନାହାନ୍ତି।

ସୂଚନାଯୋଗ୍ୟ ଯେ ଏହି ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରଟି ପ୍ରାୟ ୧୦ ବର୍ଷ ତଳେ ୨୦୧୨ ମସିହାରେ ନିର୍ମିତ ହୋଇଥିଲା। ନିର୍ମାଣହେବାର ପ୍ରାୟ ୪ ବର୍ଷ ପର୍ଯ୍ୟନ୍ତ ଏହା ବନ୍ଦପଡ଼ିଲା। ଡାକ୍ତର କିଂବା ସ୍ବାସ୍ଥ୍ୟ କର୍ମଚାରୀ ନିଯୁକ୍ତ କରାଗଲା ନାହିଁ। ଲୋକଙ୍କ ବାରମ୍ବାର ଦାବି ଓ ସ୍ଥାନୀୟ ଜନ ପ୍ରତିନିଧିଙ୍କ ଚେଷ୍ଟାରେ ୨୦୧୫ରେ ଡାକ୍ତର ଓ ସ୍ବାସ୍ଥ୍ୟ କର୍ମଚାରୀ ନିଯୁକ୍ତହୋଇ ସ୍ଵାସ୍ଥ୍ୟକେନ୍ଦ୍ରଟି ଆରମ୍ଭହେଲା। ଏହି ଡାକ୍ତରଖାନା ଉପରେ ବନ୍ଧମୁଣ୍ଡା ଡି-କ୍ୟାବିନ, ଗୁଣ୍ଡିଚାପଲ୍ଲୀ, ଗାନ୍ଧୀନଗର, ଡୁମର୍ତା, କପାଟମୁଣ୍ଡା, ବଗଦାବସ୍ତି, ଚୁଡ଼ିବସ୍ତି, ନେପାଳୀବସ୍ତି, ୧୦ ନମ୍ବର ବସ୍ତି, ମୁଖୀବସ୍ତି ସମେତ ଆଖପାଖ ଅଞ୍ଚଳର ପ୍ରାୟ ୧୦ ହଜାର ଲୋକ ନିର୍ଭର କରନ୍ତି। ମୁଖ୍ୟତଃ ପ୍ରସୂତି ଓ ଗର୍ଭବତୀ, ଶିଶୁ ଟିକାକରଣ ଓ ପ୍ରାଥମିକ ଚିକିତ୍ସା ପାଇଁ ସ୍ଥାନୀୟ ଅଞ୍ଚଳରେ ଏହି ସ୍ବାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରନ୍ତି। ଏଠାରେ ଜଣେ ଏମ୍‌ବିବିଏସ୍‌ ଡାକ୍ତର, ଜଣେ ଦାନ୍ତ ଡାକ୍ତର, ଦୁଇଜଣ ଷ୍ଟାଫ୍‌ ନର୍ସ ଓ ଦୁଇଜଣ ସ୍ଵାସ୍ଥ୍ୟକର୍ମୀଙ୍କୁ ନିଯୁକ୍ତ କରାଯାଇଥିଲା। ଡାକ୍ତରଖାନାଟି ସକାଳ ୮ରୁ ସନ୍ଧ୍ୟା ୫ ପର୍ଯ୍ୟନ୍ତ କାର୍ଯ୍ୟ କରୁଥିବାବେଳେ ଜରୁରୀକାଳୀନ ସେବା ପାଇଁ ୨ଟି ଶଯ୍ୟା ବ୍ୟବସ୍ଥା ମଧ୍ୟ ଥିଲା। ବନ୍ଧମୁଣ୍ଡା ଓ ଆଖପାଖ ଆଦିବାସୀବହୁଳ ଅଞ୍ଚଳ ହେଇଥିବାରୁ ଏହି ସ୍ଵାସ୍ଥ୍ୟକେନ୍ଦ୍ରଟିର ବିଶେଷ ଗୁରୁତ୍ବ ଥିଲା। ମାତ୍ର ଗତ ୨୯ ତାରିଖ ସୋମବାର ସନ୍ଧ୍ୟାବେଳେ ସ୍ବାସ୍ଥ୍ୟକେନ୍ଦ୍ରଟି ବନ୍ଦକରି ଏହାର ଆସବାବପତ୍ର ସ୍ଥାନାନ୍ତର କରାଯାଇଛି। ସ୍ଵାସ୍ଥ୍ୟକେନ୍ଦ୍ରଟି ବନ୍ଦହେବା ଯୋଗୁ ଲୋକଙ୍କୁ ୫ କିଲୋମିଟର ଦୂର ତିଲକାନଗର କିଂବା ୧୫ କିଲୋମିଟର ଦୂର ରାଉରକେଲା ସରକାରୀ ସ୍ଵାସ୍ଥ୍ୟକେନ୍ଦ୍ରକୁ ଯିବାକୁ ପଡୁଛି। ଗର୍ଭବତୀ ଓ ପ୍ରସୂତି, ଶିଶୁ ଟିକାକରଣ ପାଇଁ ଲୋକେ ବହୁ ଅସୁବିଧାରେ ପଡ଼ୁଛନ୍ତି। ଅନ୍ୟପକ୍ଷରେ ଡାକ୍ତରଖାନା ବନ୍ଦ ବିଷୟରେ ନ ଜାଣି ବହୁଲୋକ ପ୍ରତିଦିନ ନିରାଶ ହୋଇ ଡାକ୍ତରଖାନାରୁ ଫେରୁଛନ୍ତି।

ଏ ସଂପର୍କରେ ସ୍ବାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ଡା. ସୁରେନ୍ଦ୍ରନାଥ ମେହେର କହିଛନ୍ତି, ‘‘ସ୍ଵାସ୍ଥ୍ୟକେନ୍ଦ୍ରଟିକୁ ବର୍ତ୍ତମାନ ରାଉରକେଲାର ଟିମ୍ବର କଲୋନିକୁ ସ୍ଥାନାନ୍ତର କରାଯାଇଛି। ଖୁବ୍‌ଶୀଘ୍ର ବନ୍ଧମୁଣ୍ଡାର ଏହି ସ୍ଵାସ୍ଥ୍ୟକେନ୍ଦ୍ରଟିକୁ ପଲିକ୍ଲିନିକ୍ ଭାବରେ ଆରମ୍ଭ କରାଯିବ।’’ ମାତ୍ର ସ୍ଥାନୀୟ ଲୋକଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା ନ କରି କିଂବା କୌଣସି ସୂଚନା ନ ଦେଇ ଡାକ୍ତରଖାନା ଉଠାଇନେବାକୁ ତୀବ୍ର ବିରୋଧ କରାଯାଉଛି। ଟିମ୍ବର କଲୋନି ଏଠାରୁ ଦୂର ହୋଇଥିବାରୁ ଗର୍ଭବତୀ ଓ ପ୍ରସୂତି ଏବଂ ଶିଶୁ ଟିକାକରଣ ପାଇଁ ଲୋକେ ହୀନସ୍ତା ହେବେ‌ ବୋଲି ଅଭିଯୋଗ କରିଛନ୍ତି। ତୁରନ୍ତ ଡାକ୍ତରଖାନାଟିକୁ ପୁନଃକାର୍ଯ୍ୟକ୍ଷମ କରିବାକୁ ଲୋକେ ଦାବି କରିଛନ୍ତି। ଏ ସମ୍ପର୍କରେ ସ୍ଥାନୀୟ ବିଜେପି ନେତା ଧୀରେନ ମଲ୍ଲିକ ଓ ନୂତନ ଦୀପ୍ କହିଛନ୍ତି ଯେ ପ୍ରଶାସନ ଗରିବ ଲୋକଙ୍କ ସହିତ ଉପହାସ କରୁଛି। ବିକଳ୍ପ ବ୍ୟବସ୍ଥା ନ କରି କିଂବା ଅଗ୍ରୀମ ସୂଚନା ନ ଦେଇ ସ୍ବାସ୍ଥ୍ୟକେନ୍ଦ୍ରକୁ ଏଭଳି ଭାବରେ ବନ୍ଦକରିବା ଲୋକଙ୍କୁ ହତାଶ କରିଛି। ବିଶେଷକରି ସ୍ଥାନୀୟ ଦିନମଜୁରିଆ ମହିଳାମାନେ ଏହାଦ୍ବାରା ବହୁ ସମସ୍ୟାର ସମ୍ମୁଖୀନ ହେବେ। ତୁରନ୍ତ ସ୍ବାସ୍ଥ୍ୟକେନ୍ଦ୍ରଟିକୁ ଖୋଲିବା ନଚେତ୍ ବିକଳ୍ପ ବ୍ୟବସ୍ଥା ନ କଲେ ଜନ ଆନ୍ଦୋଳନ କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର