କରୋନା ପ୍ରସଂଗକୁ ନେଇ ଜନସ୍ବାର୍ଥ ମାମଲା : ମାସ୍କ ଓ ସାନିଟାଇଜର ପ୍ରସଂଗରେ ସ୍ପଷ୍ଟୀକରଣ ଲୋଡିଲେ ହାଇକୋର୍ଟ

PIL filed in Orissa High Court seeking

କଟକ : କରୋନା ସଂକ୍ରମଣ ରୋକିବା ପାଇଁ କ’ଣ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଇଛି ଓ ପ୍ରଭାବିତ ଦେଶରୁ ଆସୁଥିବା ଜାହାଜ, ବିମାନରେ ଯାତ୍ରା କରି ଓଡ଼ିଶାରେ ପହଞ୍ଚୁ ଥିବା‌ ବ୍ୟକ୍ତିଙ୍କର ‌କରୋନା ଭୂତାଣୁ ସଂପର୍କିତ ପରୀକ୍ଷା କରାଯାଉଛି କି ନାହିଁ ସେ ନେଇ ଅବଗତ କରିବାକୁ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ ସଞ୍ଜୁ ପଣ୍ଡା ଓ ଜ‌ଷ୍ଟିସ ସଙ୍ଗମ କୁମାର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ଜନସ୍ବାର୍ଥ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ବିମାନ ଓ ଜାହାଜରେ ପରିବହନ କରାଯାଉଥିବା ସାମଗ୍ରୀ ଯାଞ୍ଚ ସଂପର୍କରେ ମଧ୍ୟ ସରକାର ପକ୍ଷ ରଖିବେ। ଏଥିସହିତ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ମାସ୍କ ଓ ହ୍ୟାଣ୍ଡ୍ ସାନିଟାଇଜର ଉପଯୁକ୍ତ ମୂଲ୍ୟରେ ବିକ୍ରି ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପ ନେଇ ସରକାର ହାଇକୋର୍ଟରେ ସ୍ଥିତି ରଖିବେ। ମାସ୍କ ଓ ସାନିଟାଇଜର ଅଧିକ ମୂଲ୍ୟରେ ବିକ୍ରି ହେଉଛି ଏବଂ ବର୍ତ୍ତମାନ ଏହି ସବୁ ସାମଗ୍ରୀ ବଜାରରେ ଅଭାବ ଦେଖା ଦେଇଥିବା ଅଭିଯୋଗ ହୋଇଛି। ଉପଯୁକ୍ତ ମୂଲ୍ୟରେ ଏ ସବୁ ଜିନିଷର ବିକ୍ରି ପାଇଁ ବିଜ୍ଞପ୍ତି ଜାରି କରାଯିବା ପ୍ରସଂଗରେ ହାଇକୋର୍ଟଙ୍କୁ ପରବର୍ତ୍ତୀ ଶୁଣାଣି ସମୟରେ ସରକାର ଅବଗତ କରିବେ।

ଆଜି ମାମଲାର ପ୍ରାରମ୍ଭିକ ଶୁଣାଣି କରି ଖଣ୍ଡପୀଠ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସହିତ ଭୁବନେଶ୍ବର ଏମ୍ସକୁ ନୋଟିସ୍ ଜାରି କରିଛନ୍ତି। ପୂର୍ବରୁ ମାମଲାରେ ଏମ୍ସକୁ ପକ୍ଷଭୁକ୍ତ କରାଯାଇ ନଥିବା ବେଳେ ଆଜି ଶୁଣାଣି ବେଳେ ଆବେଦନକାରୀ ଆଇନଜୀବୀ ବିଜୟ କୁମାର ରଗଡଙ୍କୁ ଏମ୍ସକୁ ପ୍ରତିପକ୍ଷ ଭାବେ ପକ୍ଷଭୁକ୍ତ ପାଇଁ ଅନୁମିତି ପ୍ରଦାନ କରାଯାଇଥିଲା। ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଏହି ମାମଲାର ପରବର୍ତ୍ତୀ ଶୁଣାଣି ସମୟରେ କରୋନା ପ୍ରସଂଗରେ ଗ୍ରହଣ କରାଯାଇଥିବା ପଦକ୍ଷେପ ନେଇ ପକ୍ଷ ରଖିବେ। ମାମଲାର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୨୩କୁ ଧାର୍ଯ୍ୟ କରାଯାଇଛି। ସରକାରଙ୍କ ପକ୍ଷରୁ ଆଡଭୋକେଟ ଜେନେରାଲ ଅଶୋକ କୁମାର ପରିଜା ମାମଲା ପରିଚାଳନା କରୁଥିବା ବେଳେ ଆବେଦନକାରୀ ଶ୍ରୀ ରଗଡ ମାମଲା ପରିଚାଳନା କରୁଛନ୍ତି। ମାମଲାରେ ରାଜ୍ୟ ମୁଖ୍ୟ ଶାସନ ସଚିବ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ, ଜଳ ସଂପଦ ସଚିବ, କେନ୍ଦ୍ର ସରକାର, ପାରାଦୀପ ପୋର୍ଟ ଟ୍ରଷ୍ଟ, ଧାମରା ପୋର୍ଟ, ଗୋପାଳପୁର ପୋର୍ଟ, ବିମାନ ଚଳାଚଳ ମନ୍ତ୍ରାଳୟ, ଏମ୍ସକୁ ପକ୍ଷଭୁକ୍ତ କରାଯାଇଛି।

ସମ୍ବନ୍ଧିତ ଖବର