କଲ୍ୟାଣ ମଣ୍ଡପ ନିର୍ମାଣରେ ବିଳମ୍ବ ମାମଲା, ଜବାବ ଦାଖଲ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ : ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ତହସିଲ ଅନ୍ତର୍ଗତ ତୁରିନକିରା ପଞ୍ଚାୟତରେ କଲ୍ୟାଣ ମଣ୍ଡପ ନିର୍ମାଣ ପ୍ରସଂଗକୁ ନେଇ ରୁଜୁ ଜନସ୍ୱାର୍ଥ ମାମଲାରେ ହାଇକୋର୍ଟ ୨ ସପ୍ତାହ ଭିତରେ ଜବାବ ଦାଖଲ ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ଭିନିତ ସରନ ଓ ଡକ୍ଟର ଜଷ୍ଟିସ ବି.ଆର୍‌.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଅକ୍ଷୟ ମହାନ୍ତିଙ୍କ ପକ୍ଷରୁ ରୁଜୁ ମାମଲାର ଶୁଣାଣି କରି ଜବାବ ଦାଖଲ ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଦିଲ୍ଲୀପ ରାୟ, ସ୍ମିତା ଦାସ, କୁମୁଦ ବଲ୍ଲଭ ମିଶ୍ର ଓ ଶକ୍ତି ପ୍ରସାଦ ମିଶ୍ର ମାମଲା ପରିଚାଳନା କରୁଛନ୍ତି। ମାମଲାରେ ପଞ୍ଚାୟତିରାଜ ସଚିବ, ଖୋର୍ଦ୍ଧା ଜିଲ୍ଲାପାଳ, ଉପଜିଲାପାଳ, ବିଡିଓ ଓ ତହସିଲଦାରଙ୍କୁ ପକ୍ଷଭୁକ୍ତ କରାଯାଇଛି।

ପଟିଆଗଡରେ ସରକାରୀ ଜମି ଜବରଦଖଲ ଅଭିଯୋଗ: ହାଇକୋର୍ଟଙ୍କ ନୋଟିସ୍‌

କଟକ : ପଟିଆଗଡ ଅଞ୍ଚଳରେ ଥିବା ସରକାରୀ ଜମିରେ ହୋଇଥିବା ବେଆଇନ ନିର୍ମାଣକୁ ବିରୋଧ କରି ରୁଜୁ ମାମଲାରେ ହାଇକୋର୍ଟ ସରକାରଙ୍କୁ ନୋଟିସ୍‌ ଜାରି କରିଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ଭିନିତ ସରନ ଓ ଡକ୍ଟର ଜଷ୍ଟିସ ବି.ଆର୍‌.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ କୁନା କୁମାର ଜେନାଙ୍କ ପକ୍ଷରୁ ଦାୟର ଜନସ୍ୱାର୍ଥ ମାମଲାରେ ପକ୍ଷ ରଖିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଅନ୍ତର୍ଯ୍ୟାମୀ ସ୍ୱାଇଁ ମାମଲା ପରିଚାଳନା କରୁଛନ୍ତି । ଦାୟର ଆବେଦନରେ ଦର୍ଶାଯାଇଛି ଯେ ପଟିଆଗଡ ଅଞ୍ଚଳରେ ଥିବା ସର୍ବସାଧାରଣ ଜମିକୁ ସ୍ଥାନୀୟ ଅଞ୍ଚଳର ବାସିନ୍ଦା ବିଭିନ୍ନ ସାମୁହିକ କାର୍ଯ୍ୟରେ ବ୍ୟବହାର କରି ଆସୁଥିବାବେଳେ ସେଠାରେ ଏବେ ଆପାର୍ଟମେଣ୍ଟ ନିର୍ମାଣ କରାଯାଇଛି । ଏହି ସରକାରୀ ଜମିରୁ ବେଆଇନ ନିର୍ମାଣକୁ ତୁରନ୍ତ ଭାଙ୍ଗିବା ସହ ଗ୍ରାମର ରାଜସ୍ୱ ରାସ୍ତାର ପୁନଃଉଦ୍ଧାର କରିବା ପାଇଁ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ମାମଲାରେ ଆଇନ ସଚିବ, ରାଜସ୍ୱ ସଚିବ, ସାଧାରଣ ପ୍ରଶାସନ ସଚିବ, ଭୁବନେଶ୍ୱର ମହାନଗର ନିଗମ, ବିଡିଏ, ଖୋର୍ଦ୍ଧା ଜିଲ୍ଲାପାଳ ଭୁବନେଶ୍ୱର ଡିସିପିଙ୍କୁ ପକ୍ଷଭୁକ୍ତ କରାଯାଇଛି।

ସମ୍ବନ୍ଧିତ ଖବର