ସେନାରେ ଅସ୍ତ୍ର ସଙ୍କଟ: ଚୀନ୍‌, ପାକିସ୍ତାନ ମାଡ଼ି ଆସିଲେ ମୁକାବିଲା କରିବା କଷ୍ଟକର

oଉନ୍ନତ ଯୁଦ୍ଧାସ୍ତ୍ର ନାହିଁ କି ସାମରିକ ଆଧୁନିକୀକରଣ ନାହିଁ

ନୂଆଦିଲ୍ଲୀ : କୌଣସି ପରିସ୍ଥିତିରେ ପଡ଼ୋଶୀ ପାକିସ୍ତାନ ଓ ଚୀନ୍‌ ପଟୁ ଆଶୁ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହେଲେ ଭାରତୀୟ ସେନା ଏହାର ସଫଳ ମୁକାବିଲା କରିପାରିବନି ବୋଲି ଆଶଙ୍କା ପ୍ରକାଶ ପାଇଛି। ସାମରିକ ବଳକୁ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର, ଜ୍ଞାନକୌଶଳ ଏବଂ ଆନୁଷଙ୍ଗିକ ସୁବିଧା ସୁଯୋଗ ଉପଲବ୍ଧ କରାଇବା ପାଇଁ ସରକାରଙ୍କ ଅନୁଦାନର ଅଭାବ ହିଁ ଏହାର କାରଣ ବୋଲି ଖୋଦ୍‌ ସେନାବାହିନୀ ପକ୍ଷରୁ କୁହାଯାଇଛି। ପାକିସ୍ତାନ ଓ ଚୀନ୍‌ ସେମାନଙ୍କ ସୈନିକଙ୍କୁ ସଜାଗ ରଖିବା ପାଇଁ ସାମରିକ ଆଧୁନିକୀକରଣରେ ବ୍ୟାପକ ବ୍ୟୟବରାଦ କରୁଥିବା ବେଳେ ଏ ଦିଗରେ ଭାରତର ପଛଘୁଞ୍ଚା ଯବାନମାନଙ୍କୁ ବାସ୍ତବରେ ପଛୁଆ କରି ରଖିଛି ବୋଲି କୁହାଯାଇଛି।
ମଙ୍ଗଳବାର ସଂସଦରେ ଉପସ୍ଥାପିତ ହୋଇଥିବା ଅଧିକାଂଶ ସାମରିକ ପ୍ରସ୍ତୁତି ରିପୋର୍ଟରେ ସେନା ପକ୍ଷରୁ ସରକାରଙ୍କ ଦୁର୍ବଳ ଅର୍ଥବରାଦକୁ ଅଙ୍ଗୁଳି ନିର୍ଦ୍ଦେଶ କରାଯାଇଛି। ସେହିପରି ଚୀନ୍‌ ସୀମାରେ ଗୁରୁତ୍ୱପୂର୍ଣ୍ଣର୍ ରାସ୍ତା ନିର୍ମାଣ ଲାଗି ମଧ୍ୟ ଠୋସ ପଦକ୍ଷେପ ନିଆଯାଇନାହିଁ। ଏସବୁ ସମାମସ୍ୟାର ମୁକାବିଲା ପାଇଁ ସେନାବାହିନୀକୁ ଉନ୍ନତମାନର ଯୁଦ୍ଧାସ୍ତ୍ର ସାଙ୍ଗକୁ ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରଣାଳୀ ଯୋଗାଇ ଦିଆଯାଇନାହିଁ। ଅପରପକ୍ଷେ, ତତ୍କାଳ ଯୁଦ୍ଧ ପରିସ୍ଥିତିର ମୁକାବିଲା ପାଇଁ ଉନ୍ନତ ଭିତ୍ତିଭୂମି ବିକାଶ ଦିଗରେ ତତ୍ପରତା ନାହିଁ କି ପ୍ରସ୍ତାବିତ କିଛି ପ୍ରମୁଖ ଅତ୍ୟାଧୁନିକ ସାମରିକ ପ୍ରକଳ୍ପର ନିର୍ମାଣ ଆରମ୍ଭ ହୋଇନାହିଁ। ସେନାବାହିନୀର ଉପମୁଖ୍ୟ ଲେଫ୍ଟନାଣ୍ଟ୍‌ ଜେନେରାଲ୍‌ ଶରତ ଚନ୍ଦ୍ର ସଂସଦୀୟ କମିଟି ଆଗରେ ଏଭଳି ଅସନ୍ତୋଷ ପ୍ରକାଶ କରିଥିବା ଜଣାଯାଇଛି।
ଚଳିତ ଆର୍ଥିକ ବର୍ଷ ବଜେଟ୍‌ରେ ସେନାବାହିନୀ ପାଇଁ ଉଦ୍ଦିଷ୍ଟ ବ୍ୟୟବରାଦରେ ସାମାନ୍ୟ ବୃଦ୍ଧି ହୋଇଥିଲେ ହେଁ ତାହା ମୁଦ୍ରାସ୍ଫୀତିକୁ ମଧ୍ୟ ଭରଣା କରିବାକୁ ଯଥେଷ୍ଟ ନୁହେଁ। ଏଥି ସହିତ ଅନ୍ୟାନ୍ୟ ଟିକସ ବ୍ୟବସ୍ଥା କଥା ବି ରହିଛି। ମୋଟାମୋଟି ଭାବେ ସେନା ପାଇଁ ଆବଶ୍ୟକ ଅଟକଳ ଠାରୁ ୧୨,୨୯୬ କୋଟି ଟଙ୍କା ସରକାର କମ୍‌ ବରାଦ କରିଥିବାରୁ ଲେଫ୍ଟନାଣ୍ଟ୍‌ ଜେନେରାଲ୍‌ କ୍ଷୋଭ ପ୍ରକାଶ କରିଛନ୍ତି।

ଆଜି ସଂସଦରେ ଉପସ୍ଥାପିତ ହୋଇଥିବା ଏହି ରିପୋର୍ଟରେ ସେନାର ଆଧୁନିକୀକରଣ ପାଇଁ ଚାଲୁରହିଥିବା ମୋଟ ୧୨୫ଟି ଯୋଜନାରେ ୨୯,୦୩୩ କୋଟି ଟଙ୍କା ଖର୍ଚ୍ଚ କରାଯିବାକୁ ପ୍ରତିଶ୍ରୁତି ଦିଆଯାଇଥିବା ଦର୍ଶାଯାଇଛି। ମାତ୍ର ସେଥିପାଇଁ ୨୧,୩୩୮ କୋଟିର ବ୍ୟୟବରାଦ ହୋଇଥିବା ଉଲ୍ଲେଖ ରହିଛି। ସେହିପରି କୌଣସି ଆଶୁ ପରିସ୍ଥିତିରେ ମାତ୍ର ୧୦ଦିନର ଯୁଦ୍ଧ ପରିଚାଳନା ପାଇଁ ଆବଶ୍ୟକ ଅସ୍ତ୍ରଶସ୍ତ୍ର ମହଜୁଦ ଉଦ୍ଦେଶ୍ୟରେ ସେନା ପକ୍ଷରୁ ୬,୩୮୦ କୋଟି ଟଙ୍କାର ପ୍ରସ୍ତାବ ଦିଆଯାଇଥିବା ବେଳେ ତାହା କାର୍ଯ୍ୟକାରୀ ହୋଇନଥିବା କୁହାଯାଇଛି।

ସମ୍ବନ୍ଧିତ ଖବର