୧୯ ଜିଲ୍ଲାରେ ପାଇପ୍‌ ଯୋଗେ ମିଳିବ ରନ୍ଧନ ଗ୍ୟାସ୍‌

ଭୁବନେଶ୍ୱର : ଭୁବନେଶ୍ୱର ଓ କଟକ ସମେତ ରାଜ୍ୟର ୧୯ଟି ଜିଲ୍ଲାରେ ପାଇପ୍‌ ଯୋଗେ ମିଳିବ ରନ୍ଧନ ଗ୍ୟାସ୍‌। ଉର୍ଜ୍ଜା ଗଙ୍ଗା ପାଇପ୍‌ଲାଇନ୍‌ ଯାଉଥିବା ଜିଲ୍ଲା ଓ ପାଖ ଜିଲ୍ଲାରେ ଏହି ସୁବିଧା ମିଳିବ। ଏହି ଜିଲ୍ଲାଗୁଡ଼ିକ ହେଲା ଅନୁଗୁଳ, ଢେଙ୍କାନାଳ, ସୁନ୍ଦରଗଡ଼, ଝାରସୁଗୁଡ଼ା, ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, ବରଗଡ଼, ଦେବଗଡ଼, ସମ୍ବଲପୁର, ଗଞ୍ଜାମ, ନୟାଗଡ଼, ପୁରୀ, ଜଗତସିଂହୁପର, କେନ୍ଦ୍ରାପଡ଼ା, ଯାଜପୁର ଓ କେନ୍ଦୁଝର। ଆଜି ଭୁବନେଶ୍ୱରରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନଙ୍କ ଉପସ୍ଥିତିରେ କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ପ୍ରକଳ୍ପର ସମୀକ୍ଷା କରିଛନ୍ତି।

ବୈଠକ ପରେ ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି, ଓଡ଼ିଶାର ଧାମରାରୁ ଆରମ୍ଭ ହୋଇ ଝାଡ଼ଖଣ୍ଡ, ବିହାର ଦେଇ ଉତ୍ତର ପ୍ରଦେଶର ଜଗଦୀଶପୁର ପର୍ଯ୍ୟନ୍ତ ଯାଉଥିବା ଉର୍ଜ୍ଜା ଗଙ୍ଗା ପାଇପ୍‌ଲାଇନ୍‌ ରାଜ୍ୟରେ ଯାଉଥିବା ଜିଲ୍ଲା ଓ ପାଖ ଜିଲ୍ଲାଗୁଡ଼ିକରେ ପାଇପ୍‌ ଯୋଗେ ଗ୍ୟାସ୍‌ ବିତରଣ ପ୍ରକଳ୍ପ ଆରମ୍ଭ କରାଯିବ। ୨ଟି ଜିଓଗ୍ରାଫିକାଲ୍‌ ଏରିଆ(ଜିଏ) ଗଠନ କରାଯାଇ କଟକ ଓ ଭୁବନେଶ୍ୱରକୁ ଆଧାର କରି ଖୋର୍ଦ୍ଧା ଜିଲ୍ଲାରେ ପାଇପ୍‌ ଯୋଗେ ପ୍ରାକୃତିକ ଗ୍ୟାସ୍‌ ଯୋଗାଣର ବ୍ୟବସ୍ଥା ହୋଇଛି। ଏହା ସହ ଏହି ଗ୍ୟାସ୍‌ ପାଇପ୍‌ଲାଇନ୍‌ ଯାଉଥିବା ଉତ୍ତର, ମଧ୍ୟ ଓ ପଶ୍ଚିମ ଓଡ଼ିଶାରେ ଆଉ ୭ଟି ଜିଓଗ୍ରାଫିକାଲ୍‌ ଏରିଆ ଗଠନ କରାଯିବାର ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଏଥିରେ ରାଜ୍ୟର ଆଉ ୧୭ଟି ଜିଲ୍ଲାରେ ପାଇପ୍‌ ଯୋଗେ ଗ୍ୟାସ୍‌ ଯୋଗାଣର ବ୍ୟବସ୍ଥା ତିଆରି ହେବ।

କେନ୍ଦ୍ର ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ୨୦୧୪ ମସିହା ସୁଦ୍ଧା ଦେଶରେ ୪୭ଟି ଜିଓଗ୍ରାଫିକାଲ୍‌ ଏରିଆରେ ୭୩ଟି ଜିଲ୍ଲାରେ ପାଇପ୍‌ ଯୋଗେ ଗ୍ୟାସ୍‌ ବିତରଣ ବ୍ୟବସ୍ଥା ଥିଲା। ଏବେ ସୁଦ୍ଧା ଏହା ୯୪ ଜିଏରେ ପହଞ୍ଚିବା ସହ ୧୩୦ଟି ଜିଲ୍ଲାରେ ପ୍ରକଳ୍ପ ଆରମ୍ଭ ହୋଇଛି। ଚଳିତ ପ୍ରକ୍ରିୟାରେ ଆଉ ୮୬ଟି ନୂଆ ଜିଏରେ ୧୭୬ଟି ଜିଲ୍ଲା ସାମିଲ୍‌ ହେବ। ଏହି ନୂଆ କରି ଆରମ୍ଭ ହେଉଥିବା ଜିଲ୍ଲାଗୁଡ଼ିକ ମଧ୍ୟରେ ଓଡ଼ିଶାର ୧୭ଟି ଜିଲ୍ଲା ସାମିଲ୍‌ ହେବେ। ଓଡ଼ିଶାର ଶିଳ୍ପାୟନ ପାଇଁ ସ୍ୱଚ୍ଛ ଉର୍ଜ୍ଜାର ଆବଶ୍ୟକତାକୁ ଏହି ପାଇପ୍‌ଲାଇନ୍‌ ଯୋଗୁଁ ବ୍ୟାପକ ସହଯୋଗ ମିଳିବ।

ଆରବ ଦେଶଗୁଡ଼ିକରେ ଓଡ଼ିଶାର କୃଷିଜାତ ଦ୍ରବ୍ୟର ବଜାର ସୁଯୋଗ ସମ୍ପର୍କରେ ଶ୍ରୀ ପ୍ରଧାନ କହିଲେ, ତେଲ ପାଇଁ ଭାରତ ଆରବ ଦେଶଗୁଡ଼ିକ ଉପରେ ନିର୍ଭରଶୀଳ ଥିଲା ବେଳେ ଏହି ଦେଶଗୁଡ଼ିକୁ ସେମାନଙ୍କ ଖାଦ୍ୟ ସୁରକ୍ଷା ପାଇଁ ଭାରତ ଉପରେ ନିର୍ଭରଶୀଳ କରିବା ପାଇଁ ପ୍ରଧାନମନ୍ତ୍ରୀ ଯୋଜନା ପ୍ରସ୍ତୁତ କରୁଛନ୍ତି। ଭାରତ ତେଲ କିଣିବାରେ ପ୍ରଚୁର ଅର୍ଥ ଖର୍ଚ୍ଚ କରୁଥିଲା ବେଳେ ଏହି ଦେଶଗୁଡ଼ିକ ଭାରତରେ ଖାଦ୍ୟ ପ୍ରକ୍ରିୟାକରଣ ଓ କୃଷି କ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ ଯୋଜନା ହୋଇଛି। ଓଡ଼ିଶା ଏହି ନୂଆ ସମ୍ଭାବନାରେ ଅଧିକ ଲାଭବାନ ହୋଇପାରିବ। ଓଡ଼ିଶାରେ ଧାନ ଉତ୍ପାଦନ ବଢ଼ିଛି। ଓଡ଼ିଶାର କୃଷିଜାତ ଦ୍ରବ୍ୟକୁ ଆରବରେ ବିକ୍ରି କରି ଓଡ଼ିଶାର କୃଷକ ଓ ରାଜ୍ୟର ଅର୍ଥନୀତିକୁ ସୁଦୃଢ଼ କରିବା ପାଇଁ ଏକ ସୁଯୋଗ ସୃଷ୍ଟି ହୋଇଛି। ଇଡ୍‌କୋ ସହ ମିଶି ଇଣ୍ଡିଆନ୍‌ ଅଏଲ୍‌ ପାରାଦୀପରେ ପ୍ଲାଷ୍ଟିକ୍‌ ପାର୍କ ପ୍ରତିଷ୍ଠା କରୁଛି। ଆଜିର ବୈଠକରେ ପ୍ଲାଷ୍ଟିକ୍‌ ପାର୍କର ଅଗ୍ରଗତି ସମ୍ପର୍କରେ ସମୀକ୍ଷା ହୋଇଥିଲା। ବୈଠକରେ ରାଜ୍ୟ ସରକାରଙ୍କ ପକ୍ଷରୁ ଶିଳ୍ପ ବିଭାଗର ପ୍ରମୁଖ ସଚିବ ସଞ୍ଜୀବ ଚୋପ୍ରା, ଇଡ୍‌କୋ ସିଏମ୍‌ଡି ସଞ୍ଜୟ ସିଂହଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରଣାଳୟ ଓ ବିଭିନ୍ନ ତୈଳ କମ୍ପାନିର ବରିଷ୍ଠ ଅଧିକାରୀମାନେ ଏଥିରେ ସାମିଲ୍‌ ହୋଇଥିଲେ। ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ବୈଠକକୁ ଡକାଯାଇଥିଲା। କିନ୍ତୁ ସେ ଏଥିରେ ଯୋଗ ଦେଇ ନ ଥିଲେ। ମୁଖ୍ୟ ଶାସନ ସଚିବ ସମ୍ଭବତଃ ବ୍ୟସ୍ତ ଥିବାରୁ ବୈଠକକୁ ଆସିଲେନି ବୋଲି କେନ୍ଦ୍ର ମନ୍ତ୍ରୀ କହିଥିଲେ।

ସମ୍ବନ୍ଧିତ ଖବର