ପିପିଲି ହାଜତ ନିର୍ଯାତନା ମାମଲା, ଡିଜିଙ୍କୁ ରିପୋର୍ଟ ତଲବ

ଭୁବନେଶ୍ୱର : ଗୋଟିଏ ପଟେ ମାଓ ଦମନରେ ପୁଲିସ ଡିଜି ଶ୍ରୀ ଅଭୟ ସୁନାମ ଅର୍ଜନ କରୁଥିବା ବେଳେ ଅନ୍ୟପଟେ ପୁଲିସ ଅଧିକାରୀଙ୍କ ଆଚରଣ ସମଗ୍ର ବିଭାଗକୁ ବଦନାମ କରୁଛି। ପୁରୀ ହାଜତ ମୃତ୍ୟୁ ଘଟଣା ସହ ଭୁବନେଶ୍ବର ନାବାଳିକା ଦୁଷ୍କର୍ମ ମାମଲାରେ ଡିଜିଙ୍କୁ ଅପଦସ୍ତ ହେବାକୁ ପଡ଼ିଛି। ଏବେ ପିପିଲି ହାଜତ ନିର୍ଯାତନା ପାଇଁ ଡିଜିଙ୍କୁ ରିପୋର୍ଟ ତଲବ କରିଛନ୍ତି ଜାତୀୟ ମାନବାଧିକାର କମିସନ (ଏନଏଚଆରସି)। ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ଆଦେଶ ହୋଇଛି। କେଉଁ ପରିସ୍ଥିତିରେ ପୁଲିସ ହାଜତରେ ଥିବା ଅଭିଯୁକ୍ତଙ୍କୁ ମାଡ଼ ହେଲା? ଏଥିପାଇଁ କେଉଁ ଅଧିକାରୀ ଦାୟୀ? ଡିଜି ତାଙ୍କ ଉପରେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି? ଏ ସବୁ ଉପରେ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି। ତେବେ ଡିଆଇଜି(କେନ୍ଦ୍ରାଞ୍ଚଳ) ପିପିଲି ଏସ୍‌ଡିପିଓଙ୍କ ଜରିଆରେ ତଦନ୍ତ କରାଇଛନ୍ତି। ଏ ନେଇ ଡିଆଇଜିଙ୍କର ରିପୋର୍ଟ ମଧ୍ୟ ହସ୍ତଗତ ହୋଇଛି। ତେବେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ।

ସୂଚନାଯୋଗ୍ୟ, ପିପିଲି ଭବାନୀପୁର ଗ୍ରାମରେ ଜଣେ ଯୁବକକୁ ଆକ୍ରମଣ ଅଭିଯୋଗ‌ରେ ପିପିଲି ଥାନା ପୁଲିସ ପ୍ରତାପ ବେହେରାଙ୍କ ସମେତ ୬ ଜଣଙ୍କୁ ଗତ ମାସରେ ଗିରଫ କରିଥିଲା। ସେମାନଙ୍କୁ କୋର୍ଟ ଚାଲାଣ କଲାବେଳେ ସେମାନଙ୍କର ସ୍ବାସ୍ଥ୍ୟାବସ୍ଥା ଅତ୍ୟନ୍ତ ଗୁରୁତର ଥିଲା। ସେମାନଙ୍କୁ ପ୍ରଥମେ ପୁରୀ ଓ ପରେ କଟକ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ପ୍ରତାପଙ୍କର ମେରୁଦଣ୍ଡ ହାଡ଼ ଭାଙ୍ଗି ଯାଇଥିବା ଜଣାପଡ଼ିଥିଲା। ପୁଲିସ ମାଡ଼ରେ ହାଡ଼ ଭାଙ୍ଗିଥିବା ପ୍ରତାପ ଅଭିଯୋଗ କରିଥିଲେ। ଏ ନେଇ ଏନଏଚଆରସିରେ ଅଭିଯୋଗ ହେବା ପରେ ରିପୋର୍ଟ ତଲବ କରାଯାଇଛି।

ସମ୍ବନ୍ଧିତ ଖବର