ପୁଣି ଫୁଟବଲର ବିକାଶ ଦେଖିବ ମୟୂରଭଞ୍ଜ: କୋଲକାତାର ମୋହନ ବାଗାନ କ୍ଲବ ସହାୟତା କରିବ

ବାରିପଦା: ମୟୂରଭଞ୍ଜ ଏବେ ପୁଣି ଫୁଟବଲର ବିକାଶ ଦେଖିବ। କୋଲକାତାର ମୋହନବାଗାନ କ୍ଲବ ଏଥିପାଇଁ ସହାୟତାର ହାତ ବଢ଼ାଇଛି। ଏଥି ସହିତ ଏହି କ୍ଲବ ଖେଳାଳି ଓ କୋଚ୍‌ଙ୍କୁ ବୈଷୟିକ ତାଲିମ ଦେବ। ମୟୂରଭଞ୍ଜ କ୍ରୀଡ଼ା ସଂଗଠନ ପକ୍ଷରୁ ଏହି ସୂଚନା ମିଳିବା ପରେ ପୂର୍ବରୁ ଦେଶ ବିଦେଶରେ ଏହି ଖେଳକୁ ନେଇ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ମୟୂରଭଞ୍ଜ ତାର ଗୌରବ ଫେରି ପାଇବା ସ୍ପଷ୍ଟ ହୋଇଛି।

୧୯୧୮ରେ ବାରିପଦା ଷ୍ଟାଡିୟମଠାରେ ଆରମ୍ଭ ହୋଇଥିଲା ଶ୍ରୀରାମ ଚନ୍ଦ୍ର ମେମୋରିଆଲ ଚ୍ୟାଲେଂଜ ସିଲ୍ଡ ଫୁଟବଲ ଟୁର୍ଣ୍ଣାମେଣ୍ଟ । ଯେଉଁଥିରେ ବିଦେଶୀ ଦଳ ଅଂଶଗ୍ରହଣ କରୁଥିଲେ । ରାଜତନ୍ତ୍ର ପରେ ବି ଦୀର୍ଘ ବର୍ଷ ଧରି ଫୁଟବଲ ଦୁନିଆରେ ମୟୂରଭଞ୍ଜର ଦବଦବା ଥିଲା। ଧିରେଧିରେ କ୍ରିକେଟ ପ୍ରତି ଲୋକଙ୍କ ଆଦର ବଢ଼ିବା ପରେ ଫୁଟବଲ ଖେଳର ଲୋକପ୍ରିୟତା ହ୍ରାସ ପାଇବାକୁ ଲାଗିଲା। ଫଳରେ ଭିତ୍ତିଭୂମି ଅସଜଡା ହୋଇଗଲା। ଏଥିପ୍ରତି କାହାର ଦୃଷ୍ଟି ନପଡିବାରୁ ଫୁଟବଲ ଜଗତରୁ ମୟୂରଭଞ୍ଜର ଆଧିପତ୍ୟ ନିମ୍ନଗାମୀ ହେବାରେ ଲାଗିଲା। ଏହି ଖେଳ ପ୍ରତି ଖେଳାଳିଙ୍କ ଯେଉଁ ଆଶା ଥିଲା ତାହା ମଉଳିଗଲା। ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ମୟୂରଭଞ୍ଜ କ୍ରୀଡା ସଂଗଠନ ମୟୂରଭଞ୍ଜରେ ପୁଣି ଏହି ଖେଳର ବିକାଶ ପାଇଁ ଅଣ୍ଟା ଭିଡ଼ିଥିଲା। ସଂଗଠନର ସାଧାରଣ ସଂପାଦକ କିଶୋର କୁମାର ବିଶ୍ୱାଳ ମୟୂରଭଞ୍ଜ ରାଜ ପରିବାର ପକ୍ଷରୁ ଏନେଇ ମୋହନ ବାଗାନ କ୍ଲବକୁ ଅନୁରୋଧ କରିଥିଲେ। କ୍ଲବର ସମ୍ପାଦକ ଦେବାଶିଷ ଦତ୍ତ ଏହାକୁ ସ୍ବୀକୃତି ଦେଇଥିଲେ। ସ୍ଥାନୀୟ ବେଲଗଡିଆ ରାଜପ୍ରାସାଦରେ ମହାରାଣୀ ରଶ୍ମି ରାଜ୍ୟଲକ୍ଷ୍ମୀ ଭଂଜଦେଓଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏକ ବୈଠକରେ ସଂଗଠନ ସାଧାରଣ ସମ୍ପାଦକ ଶ୍ରୀ ବିଶ୍ୱାଳ ଏବଂ କ୍ଲବ ସମ୍ପାଦକ ଶ୍ରୀ ଦତ୍ତଙ୍କ ମଧ୍ୟରେ ପ୍ରାରମ୍ଭିକ ଆଲୋଚନା ହୋଇଛି। ବାରିପଦା ଷ୍ଟାଡିୟମରେ ଫୁଟବଲ ଖେଳ ପ୍ରତି ଭିତ୍ତିଭୂମିର ବିକାଶ ଦେଖି ଖୁସି ହୋଇଥିଲେ। ନିର୍ମାଣାଧୀନ ହଷ୍ଟେଲ କାର୍ଯ୍ୟ ସରିବା ପରେ ତୃଣମୂଳ ସ୍ତରର ପ୍ରତିଭାବାନ ଖେଳାଳିଙ୍କ ପାଇଁ ଏବଂ ଜିଲ୍ଲାର ଫୁଟବଲ କୋଚଙ୍କୁ ବୈଷୟିକ ତାଲିମ ପ୍ରଦାନ କରିବାକୁ କ୍ଲବ ପକ୍ଷରୁ ସ୍ୱତନ୍ତ୍ର ଶିବିର ଆୟୋଜନ କରାଯିବ। ୧୯୯୧ରୁ ବନ୍ଦ ପଡ଼ିଥିବା ମହାରାଜା ଶ୍ରୀରାମଚନ୍ଦ୍ର ମେମୋରିଆଲ ଚ୍ୟାଲେଞ୍ଜ ସିଲ୍ଡ ଫୁଟବଲ ଟୁର୍ଣ୍ଣାମେଣ୍ଟ ପୁଣିଥରେ ଆରମ୍ଭ କରାଯିବ। ଏଥିପ୍ରତି କ୍ଲବର ସହଯୋଗ ରହିବ ବୋଲି ପ୍ରତିଶ୍ରୁତି ମିଳିଥିବା  ମୟୂରଭଞ୍ଜ କ୍ରୀଡା ସଂଗଠନ ସମ୍ପାଦକ ଶ୍ରୀ ବିଶ୍ବାଳ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର