ଆଜିଠୁ ଯୁକ୍ତ୨ ପ୍ରାକ୍ଟିକାଲ ପରୀକ୍ଷା
ଭୁବନେଶ୍ବର : ସୋମବାର ତଥା ଜାନୁଆରି ୨୮ରୁ ଯୁକ୍ତ୨ ପ୍ରାକ୍ଟିକାଲ ପରୀକ୍ଷା। ଏକାଥରେ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ବିଭାଗର ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ ହେବ। ବିଜ୍ଞାନ ବିଭାଗର ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଉଦ୍ଭିଦ ବିଜ୍ଞାନ, ପ୍ରାଣୀ ବିଜ୍ଞାନ, ଇଲେକ୍ଟ୍ରୋନିକ୍ସ, କମ୍ପ୍ୟୁଟର ସାଇନ୍ସ, ବାୟୋ-ଟେକ୍ନୋଲୋଜି, କମ୍ପ୍ୟୁଟର ଆପ୍ଲିକେସନ୍ ଆଦି ବିଷୟ ସହ କଳା ବିଭାଗର ଷ୍ଟାଟିଷ୍ଟିକ୍ସ, ଭୂଗୋଳ, ଭୂତତ୍ତ୍ବ ବିଜ୍ଞାନ, ଶିକ୍ଷା, ଆଇଟି, ମନସ୍ତତ୍ତ୍ବ ବିଜ୍ଞାନ, ନୃତତ୍ତ୍ବ ବିଜ୍ଞାନ, ଭାରତୀୟ ସଙ୍ଗୀତ ଓ ଗୃହ ବିଜ୍ଞାନ ବିଷୟର ପ୍ରାକ୍ଟିକାଲ ପରୀକ୍ଷା ହେବ। ଫେବ୍ରୁଆରି ୮ ତାରିଖ ପର୍ଯ୍ୟନ୍ତ ପ୍ରାକ୍ଟିକାଲ ପରୀକ୍ଷା ଚାଲିବ।
Sambad is now on WhatsApp
Join and get latest news updates delivered to you via WhatsApp
ବାଣିଜ୍ୟ ବିଭାଗ ପରୀକ୍ଷାର୍ଥୀଙ୍କ ପାଇଁ ପ୍ରକଳ୍ପ ମୂଲ୍ୟାୟନ ଓ ଭାଇଭା ପରୀକ୍ଷା ହେବ। ପରୀକ୍ଷା ସରିବାର ୭ ଦିନ ମଧ୍ୟରେ ସମସ୍ତ ପ୍ରୋଜେକ୍ଟ ରିପୋର୍ଟ ସହ ବାଣିଜ୍ୟ ବିଭାଗର ମାର୍କ-ଫୁଏଲ୍ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ନିକଟରେ ଦାଖଲ କରିବାକୁ ନିର୍ଦେଶ ଦିଆଯାଇଛି। ଆବାସିକ କଲେଜଗୁଡ଼ିକ ପ୍ରାକ୍ଟିକାଲ ପରୀକ୍ଷାର ଭିଡିଓ, ପରୀକ୍ଷାର ଉତ୍ତର ଖାତା ଓ ମାର୍କ ଫୁଏଲ୍ ୭ଦିନ ମଧ୍ୟରେ ଦାଖଲ କରିବେ। ଇଣ୍ଟିଗ୍ରେଟେଡ୍ ଭୋକେସନାଲ୍ ପ୍ରାକ୍ଟିକାଲ ପରୀକ୍ଷା ପାଇଁ ୩ଘଣ୍ଟା ସମୟ ଦିଆଯିବ। ବାଣିଜ୍ୟ ବିଭାଗ ପରୀକ୍ଷାର୍ଥୀଙ୍କ ପ୍ରୋଜେକ୍ଟ ଇଭାଲ୍ୟୁଏସନ ଓ ଭାଇଭା ପାଇଁ ଗଠିତ ହେବାକୁ ଥିବା ଗ୍ରୁପ୍ରେ ଅତି କମ୍ରେ ୩୨ଜଣ ପରୀକ୍ଷାର୍ଥୀ ରହିବେ। ୩ ଘଣ୍ଟା ମଧ୍ୟରେ ଗୋଟିଏ ଗ୍ରୁପ୍ର ମୂଲ୍ୟାୟନ ଓ ଭାଇଭା ଶେଷ କରିବାକୁ ପରିଷଦ ପକ୍ଷରୁ କୁହାଯାଇଛି।
ଅନ୍ୟପକ୍ଷରେ ଏଏସ୍ଓ ପରୀକ୍ଷାରେ ଭିନ୍ନକ୍ଷମ ପରୀକ୍ଷାର୍ଥୀଙ୍କୁ ସୁଯୋଗ ଦିଆଯାଇନଥିଲା। ଏହାକୁ ନେଇ ସାରା ରାଜ୍ୟରେ ତମ୍ବିତୋଫାନ ହୋଇଥିଲା। ତାହାକୁ ଦୃଷ୍ଟିରେ ରଖି ପରିଷଦ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଉଭୟ ଥିଓରି ଓ ପ୍ରାକ୍ଟିକାଲ ପରୀକ୍ଷାର ଗାଇଡ୍ଲାଇନ୍ ସମ୍ପର୍କରେ ସମସ୍ତ ପରୀକ୍ଷା କେନ୍ଦ୍ରକୁ ଅବଗତ କରାଯାଇଛି। ଆରପିଡବ୍ଲୁଡି ଆକ୍ଟ ୨୦୧୬ର ସେକ୍ସନ ୨(ଆର) ଅନୁଯାୟୀ ଭିନ୍ନକ୍ଷମ ପରୀକ୍ଷାର୍ଥୀଙ୍କୁ ସୁବିଧା ପ୍ରଦାନ କରିବାକୁ ପରିଷଦ ପକ୍ଷରୁ ନିର୍ଦେଶ ଦିଆଯାଇଛି।
ଚଳିତବର୍ଷ ୩ଲକ୍ଷ ୬୭ ହଜାର ୫୦୦ ଛାତ୍ରଛାତ୍ରୀ ଯୁକ୍ତ୨ ପରୀକ୍ଷା ଦେଉଛନ୍ତି। ବିଜ୍ଞାନ ବିଭାଗର ୯୯ହଜାର ଛାତ୍ରଛାତ୍ରୀ ପ୍ରାକ୍ଟିକାଲ ପରୀକ୍ଷା ଦେବାକୁ ଥିବା ବେଳେ ଏହା ତଳକୁ କଳା ବିଭାଗର ୬୮ ହଜାର ଓ ବାଣିଜ୍ୟ ବିଭାଗର ୧୭ ହଜାର ପରୀକ୍ଷାର୍ଥୀ ପ୍ରାକ୍ଟିକାଲ ପରୀକ୍ଷା ଦେବେ। ପ୍ରାକ୍ଟିକାଲ ପରୀକ୍ଷା ପାଇଁ ୧୪୦୦ କଲେଜରେ ପରୀକ୍ଷା କେନ୍ଦ୍ର ହୋଇଛି। ୩୦୦ରୁ ଅଧିକ ରେସିଡେଣ୍ଟସିଆଲ୍ କଲେଜରେ ପରୀକ୍ଷା କେନ୍ଦ୍ର ହୋଇଥିବା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି।