ଯୁକ୍ତ ୩ କଲେଜ ପାଇଁ ସ୍ପଟ୍‌ ନାମଲେଖା: ୯ରୁ ୧୭ ଯାଏ ଆବେଦନ, ୨୭ ଓ ୨୮ରେ ନାମଲେଖା

ଇଗ୍ନୋ ନାମଲେଖା‌ ଅବଧି ବଢ଼ିଲା

ଭୁବନେଶ୍ବର : ପ୍ରଥମ ପର୍ଯ୍ୟାୟ ନାମଲେଖା ପରେ ଯୁକ୍ତ୩ କଲେଜରେ ଖାଲିଥିବା ସିଟ୍‌ ପାଇଁ ସ୍ପଟ୍‌ ନାମଲେଖା ଅନୁଷ୍ଠିତ ହେବ। ଖାଲିଥିବା ସିଟ୍‌ ସମ୍ପର୍କରେ ଅକ୍ଟୋବର ୪ରୁ ୬ ମଧ୍ୟରେ ଯାଞ୍ଚ କରାଯିବ। ୮ ତାରିଖ ଅପରାହ୍ଣ ୫ଟାରେ ଖାଲି ପଡ଼ିଥିବା ସିଟ୍‌ର ଚୂଡ଼ାନ୍ତ ତାଲିକା ସାମ୍‌ସ ୱେବସାଇଟ୍‌, ଶିକ୍ଷାନୁଷ୍ଠାନର ଇ‌-ସ୍ପେସ୍‌ ଓ ଯୁକ୍ତ୩ କଲେଜ ନୋଟିସ୍‌ ବୋର୍ଡରେ ପ୍ରଦର୍ଶିତ ହେବ। ୯ରୁ ୧୭ ତାରିଖ ପର୍ଯ୍ୟନ୍ତ ଯୋଗ୍ୟ ପ୍ରାର୍ଥୀ ତଥା ଗତ ଅଗଷ୍ଟ ୨୦ରୁ ସେପ୍ଟେମ୍ବର ୪ ମଧ୍ୟରେ ପ୍ରଥମ ପର୍ଯ୍ୟାୟରେ ନାମ ପଞ୍ଜୀକରଣ କରିଥିବା ଓ କମନ୍‌ ଆପ୍ଲିକେସନ ଫର୍ମ(ସିଏଏଫ୍‌) ଦାଖଲ କରିଥିବା ପ୍ରାର୍ଥୀମାନେ ସ୍ପଟ୍‌ ନାମଲେଖା ପାଇଁ ଆବେଦନ କରିପାରିବେ। ଉକ୍ତ ଛାତ୍ରଛାତ୍ରୀ ନିଜର ପୂର୍ବ ୟୁଜର୍‌ନେମ୍‌ ଓ ପାସୱାର୍ଡ ବ୍ୟବହାର କରି ନୂଆ ଅପ୍‌ସନ୍‌(କଲେଜ ଓ ବିଷୟ) ସମ୍ପର୍କରେ ଉଲ୍ଲେଖ କରିପାରିବେ। ଜଣେ ପ୍ରାର୍ଥୀ ଅତି ବେଶିରେ ୫ଟି ଅପସନ୍‌ ଦେଇପାରିବେ।

କଲେଜର କେଉଁ ବିଭାଗ ଓ କଉଁ ବିଷୟରେ କେତେ ସିଟ୍‌ ଖାଲି ରହିଛି ସେସମ୍ପର୍କରେ www.samsodisha.gov.in ୱେବସାଇଟ୍‌ରେ ଉଲ୍ଲେଖ କରାଯିବ। ଏଥର ନାମଲେଖା ସମୟରେ କୌଣସି ପ୍ରକାର ୱେଟେଜ୍‌ ରହିବ ନାହିଁ। ତେବେ ବିଭିନ୍ନ ବର୍ଗ ପ୍ରାର୍ଥୀଙ୍କ ଲାଗି ସଂରକ୍ଷଣ ବ୍ୟବସ୍ଥା ଲାଗୁ ହେବ। ଏଥର ନାମଲେଖା କେବଳ ମାର୍କ ଆଧାରରେ ହେବ। ଅକ୍ଟୋବର ୧୬, ୧୮, ୧୯, ୨୦ ଓ ୨୧ ତାରିଖରେ ପ୍ରାର୍ଥୀଙ୍କୁ ହାତଲେଖା ଆବେଦନପତ୍ର ସହ ନିଜସ୍ବ ଦସ୍ତଖତ ଥିବା ମାର୍କସିଟ୍‌, ଜାତି ପ୍ରମାଣପତ୍ର, ପିଡବ୍ଲୁଡି ପ୍ରମାଣପତ୍ର ଓ ଅନ୍ୟାନ୍ୟ ଡକ୍ୟୁମେଣ୍ଟ କଲେଜ ଅଧ୍ୟକ୍ଷଙ୍କ ନିକଟରେ ଦାଖଲ କରିବାକୁ ପଡ଼ିବ। ୨୩ ତାରିଖରେ ଯୋଗ୍ୟ ପ୍ରାର୍ଥୀଙ୍କ ତାଲିକା କଲେଜ ନୋଟିସ୍‌ ବୋର୍ଡରେ ପ୍ରକାଶ କରାଯିବ। ୨୪ରୁ ୨୭ ତାରିଖ ମଧ୍ୟରେ ଯଦି କୌଣସି ପ୍ରାର୍ଥୀ ଏକାଧିକ ଚଏସ୍‌/ଅପ୍‌ସନ୍‌ ପାଇଥିବେ ସେଥିମଧ୍ୟରୁ ଗୋଟିଏକୁ ବାଛିବେ। ଗୋଟିଏକୁ ଚଏସ୍‌ କରିବା କ୍ଷଣି ଅନ୍ୟ ଅପ୍‌ସନ୍‌ଟି ସଙ୍ଗେ ସଙ୍ଗେ ଅଦୃଶ୍ୟ ହୋଇଯିବ। ୨୪ରୁ ୨୭ ତାରିଖ ମଧ୍ୟରେ ପ୍ରାର୍ଥୀମାନେ ଅନ୍‌ଲାଇନ୍‌ ଫି’ ଦାଖଲ କରିବେ। ଅକ୍ଟୋବର ୨୭ ଓ ୨୮ ତାରିଖରେ ଡକ୍ୟୁମେଣ୍ଟ ଯାଞ୍ଚ ସହ ନାମଲେଖା ଅନୁଷ୍ଠିତ ହେବ।

ଇଗ୍ନୋ ନାମଲେଖା‌ ଅବଧି ବଢ଼ିଲା
ଭୁବନେଶ୍ବର : ଉଚ୍ଚଶିକ୍ଷା ପାଇଁ ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ବବିଦ୍ୟାଳୟ(ଇଗ୍ନୋ)ରେ ନାମ ଲେଖାଇବାକୁ ଆଗ୍ରହୀ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର। ନାମଲେଖା ଲାଗି ପୂର୍ବରୁ ସେପ୍ଟେମ୍ବର ୩୦କୁ ଶେଷ ସମୟ ଧାର୍ଯ୍ୟ କରାଯାଇଥିଲା। ‌ମାତ୍ର ଏବେ ସମୟ ସୀମାକୁ ଅକ୍ଟୋବର ୧୧ ଯାଏ ବୃଦ୍ଧି କରାଯାଇଛି। ଛାତ୍ରଛାତ୍ରୀ ଏହାର ସୁଯୋଗ ନେବାକୁ ଭୁବନେଶ୍ବରସ୍ଥିତ ଆଞ୍ଚଳିକ ନିର୍ଦେଶକ ଏସ୍‌ କେ ତ୍ରିପାଠୀ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ ବିଭିନ୍ନ କାରଣରୁ ଅଧାରୁ ପାଠ ଛାଡ଼ିଥିବା କିମ୍ବା ‌କୌଣସି କାରଣରୁ ଉଚ୍ଚଶିକ୍ଷାରୁ ବଞ୍ଚିତ ଯେକୌଣସି ବୟସର ବ୍ୟକ୍ତିବିଶେଷ ଇଗ୍ନୋରେ ୨୦୦ରୁ ଅଧିକ ବିଷୟରେ ନାମ ଲେଖାଇପାରିବେ। ୟୁଜି ଓ ପିଜି ଡିପ୍ଲୋମା କାର୍ଯ୍ୟକ୍ରମରେ ନାମ‌ ପଞ୍ଜୀକରଣ କରିବାକୁ ଚାହୁଁଥିବା ଏସ୍‌ସି/ଏସ୍‌ଟି ଛାତ୍ରଛାତ୍ରୀଙ୍କ ପାଇଁ ନାମଲେଖା‌ ଦେୟ ଓ ପୁନର୍ବାର ପଞ୍ଜୀକରଣ ଦେୟ ଛାଡ଼ କରାଯାଇଛି। ଆଗ୍ରହୀ ଛାତ୍ରଛାତ୍ରୀ ଇଗ୍ନୋ ୱେବସାଇଟ୍‌ରୁ www.ignhou.ac.in ଅଧିକ ତଥ୍ୟ ପାଇପାରିବେ। ଏଥର ଏମ୍‌ଏସ୍‌ସି ପରିବେଶ ବିଜ୍ଞାନ, ଏମ୍‌ଏସ୍‌ସି ସୂଚନା ନିରାପତ୍ତା ପାଠ୍ୟକ୍ରମ ନୂତନ ଭାବେ ଖୋଲିଛି। ଏମ୍‌ବିଏ ପାଠ୍ୟକ୍ରମ ପ୍ରବେଶିକା ପରୀକ୍ଷା ବିନା ନାମଲେଖା ହେଉଛି।

ସମ୍ବନ୍ଧିତ ଖବର