ଯୁକ୍ତ୨ ପରୀକ୍ଷା କେନ୍ଦ୍ର ଚୟନ‌ରେ ଫିକ୍ସିଂ ଘଟଣା : ପରୀକ୍ଷା କେନ୍ଦ୍ର ସ୍ଥିର କରୁଛି କିଏ?

ପରୀକ୍ଷା ପରିଚାଳନା କମିଟି ନା ସେଲ୍ଫ ଫାଇନାନ୍ସିଂ କଲେଜ
ମାନବାଧିକାର କମିସନଙ୍କ ଦ୍ବାରସ୍ଥ ହେଲା ଅଭିଭାବକ ମହାସଂଘ

ଭୁବନେଶ୍ବର : ଯୁକ୍ତ୨ ପରୀକ୍ଷା କେନ୍ଦ୍ର ଚୟନ‌ରେ ଫିକ୍ସିଂ ଘଟଣା ଦିନକୁ ଦିନ ‌ରୋଚକ ହେବାରେ ଲାଗିଛି। କମିଟିର ସଦସ୍ୟମାନେ ସେଲ୍ଫ ଫାଇନା‌ନ୍ସିଂ କଲେଜ ପାଇଁ ଓକିଲାତି କରୁଥିବା ନେଇ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ଆହୁରି ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାତରେ ଲାଗିଛି। ରାଜ୍ୟର ଆହୁରି ଅନେକ ସେଲ୍ଫ ଫାଇନାନ୍ସିଂ କଲେଜ ମଧ୍ୟ ନିଜ ଛାତ୍ରଛାତ୍ରୀଙ୍କ ଉପଯୋଗୀ ହେବାକୁ ଥିବା କଲେଜରେ ପରୀକ୍ଷା କେନ୍ଦ୍ର କରିବାକୁ ଚାପ ପକାଉଥିବା ବିଶେଷସୂତ୍ରରୁ ଜଣାପଡ଼ିଛି। ଏବେ ପ୍ରଶ୍ନ ଉଠୁଛି କେଉଁଠି ପରୀକ୍ଷା କେନ୍ଦ୍ର ହେବ ସ୍ଥିର କରିବ କିଏ?

ପରୀକ୍ଷା ପରିଚାଳନା କମିଟିର ସଦସ୍ୟ ତଥା ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି ଯେ ପରୀକ୍ଷା ପରିଚାଳନା କମିଟିର ବିନା ଅନୁମତିରେ ପରୀକ୍ଷା କେନ୍ଦ୍ର ଚୟନ ହୋଇଛି। ଜାନୁଆରି ୧୬ ଓ ୧୭ରେ ବସିଥିବା ବୈଠକରେ ପରୀକ୍ଷା କେନ୍ଦ୍ର ଚୂଡ଼ାନ୍ତ ହୋଇ ନ ଥିଲା। କମିଟିର ସଦସ୍ୟମାନେ କହିଥିଲେ ଯେ ୨୦୧୯ରେ ଯେଉଁ ପରୀକ୍ଷା କେନ୍ଦ୍ରଗୁଡ଼ିକ ବିରୋଧରେ ଅଭିଯୋଗ ନାହିଁ, ଜଣେ ବି କପି କରି ଧରାପଡ଼ି ନାହାନ୍ତି ସେଠାକାର ପରୀକ୍ଷା କେନ୍ଦ୍ରକୁ ପରିବର୍ତନ କରା ନ ଯାଉ। ତେବେ ପରିଷଦ ପକ୍ଷରୁ ଉକ୍ତ ଦୁଇ ଦିନର ଆଲୋଚନାକୁ ଗ୍ରହଣ କରାଯାଇ ରାଜ୍ୟ ସରକାରଙ୍କ ନିକଟକୁ ପଠାଯାଇଥିଲା ଏବଂ ପରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଗତ ୭ ତାରିଖରେ ଡକାଯାଇଥିବା ବୈଠକରେ ପୂର୍ବ ବୈଠକର ନିଷ୍ପତ୍ତି ଉପରେ ଆଲୋଚନା ହୋଇଥିଲା। ଏଥିରେ ଦେଖିବାକୁ ମିଳିଥିଲା ଯେ କିଛି କଲେଜର ପରୀକ୍ଷା କେନ୍ଦ୍ର ପରିବର୍ତନ ହୋଇଛି। ଯାହାକୁ ବିରୋଧ କରି କମିଟିର ସଦସ୍ୟମାନେ ପଳାଇ ଆସିଥିଲେ। ପରୀକ୍ଷାରେ ସ୍ବଚ୍ଛତା ରଖାଯାଉ। ଏନେଇ ଆଗାମୀ ଦିନରେ ବସିବାକୁ ଥିବା ପରିଚାଳନା କମିଟି ବୈଠକରେ ଉଠାଯିବ।

ଗଣଶିକ୍ଷା ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ ସରକାରଙ୍କ ଗାଇଡ୍‌ଲାଇନ୍‌ରେ ରହିଛି ଯେ ପ୍ରଥମେ ସରକାରୀ କଲେଜରେ ପରୀକ୍ଷା କେନ୍ଦ୍ର କରାଯିବ। ଏହାପରେ ବେସରକାରୀ କଲେଜରେ ସେଲ୍ଫ ଫାଇନାନ୍ସିଂ କଲେଜର ପରୀକ୍ଷା କେନ୍ଦ୍ର ହେବ। ପରୀକ୍ଷା କେନ୍ଦ୍ର ଚୂଡ଼ାନ୍ତ କରିବା ପାଇଁ ୧୬ ଓ ୧୭ ତାରିଖରେ ବୈଠକ ଡକାଯାଇଥିଲା। ତେଣୁ ସେଥିରେ ଯାହା ସ୍ଥିର ହୋଇଥିଲା ତାହାକୁ ସରକାରଙ୍କ ଅନୁମୋଦନ ପାଇଁ ପଠାଯାଇଥିଲା। ସେହି ଅନୁଯାୟୀ ୨୦ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଛି। ଗତ ୭ ତାରିଖରେ ଡକାଯାଇଥିବା ବୈଠକ ପରୀକ୍ଷା କେନ୍ଦ୍ର ପାଇଁ ନ ଥିଲା। କେତେକ ସେଲ୍ଫ ଫାଇନାନ୍ସିଂ କଲେଜ ବେସରକାରୀ କଲେଜରେ ସେମାନଙ୍କ ପରୀକ୍ଷା କେନ୍ଦ୍ର କରିବାକୁ ଚାପ ପକାଉଛନ୍ତି।

ଏହି ପ୍ରସଙ୍ଗରେ ଓଡ଼ିଶା ଅଭିଭାବକ ମହାସଂଘର ଏକ ପ୍ରତିନିଧି ଦଳ ରାଜ୍ୟ ମାନବାଧିକାର କମିସନଙ୍କ ଦ୍ବାରସ୍ଥ ହୋଇ ନିରପେକ୍ଷ ତଦନ୍ତ ଦାବି କରିଛି। ଯାହାକୁ ଗ୍ରହଣ କରି କମିସନଙ୍କ ପକ୍ଷରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦକୁ ରିପୋର୍ଟ ତଲବ କରାଯାଇଛି। ୧୮ ତାରିଖ ସୁଦ୍ଧା ରିପୋର୍ଟ ଦେବାକୁ କୁହାଯାଇଥିବା ମହାସଂଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟ କହିଛନ୍ତି।

ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ ହୋଇଥିବା ସେଲ୍ଫ ଫାଇନାନ୍ସିଂ କଲେଜ କର୍ତୃପକ୍ଷ ଆଜି ପକ୍ଷ ରଖିଛନ୍ତି। କଲେଜର ଜଣେ ଅଧିକାରୀ କହିଛନ୍ତି ଯେ ଯେଉଁ ଅଭିଯୋଗ ହୋଇଛି ତାହା ସମ୍ପୂର୍ଣ୍ଣ ଭିତ୍ତିହୀନ। କଲେଜର ୫ ଏକର ଜମି ରହିଛି। କଲେଜ ଛାତ୍ରଛାତ୍ରୀଙ୍କ ସଫଳତାକୁ ଦେଖି ନିକଟସ୍ଥ କଲେଜ ବଦନାମ କରିବାକୁ ଉଦ୍ୟମ କରୁଛି। କଲେଜର ପରୀକ୍ଷା‌ କେନ୍ଦ୍ର ଯେଉଁଠି ବି ହେଉନା କାହିଁକି କୌଣସି ଅଭିଯୋଗ ନାହିଁ। କଲେଜର ଛାତ୍ରଛାତ୍ରୀଙ୍କ ଯିବା ଆସିବା ପାଇଁ ସୁବିଧା ଥିବା ଆବଶ୍ୟକ।

ସମ୍ବନ୍ଧିତ ଖବର