ଆଜିଠୁ ଯୁକ୍ତ୨ ଅଫ୍‌ଲାଇନ୍‌ ଖାତାଦେଖା

୬୬ଟି ମୂଲ୍ୟାୟନ କେନ୍ଦ୍ରରେ ୧୧ ହଜାର ଅଧ୍ୟାପକ, ପ୍ରଥମେ କଳା, ପରେ ଧନ୍ଦାମୂଳକ ଶିକ୍ଷା ଉତ୍ତର ଖାତା ମୂଲ୍ୟାୟନ

ଭୁବନେଶ୍ବର : ଯୁକ୍ତ୨ କଳା ଓ ଧନ୍ଦାମୂଳକ ଶିକ୍ଷା ଉତ୍ତର ଖାତାଗୁଡ଼ିକର ଅଫ୍‌ଲାଇନ୍‌ ମୂଲ୍ୟାୟନ ଆସନ୍ତାକାଲି (ସୋମବାର)ଠାରୁ ଆରମ୍ଭ ହେବ। ଚଳିତବର୍ଷ ୬୬ଟି ମୂଲ୍ୟାୟନ କେନ୍ଦ୍ରରେ ସାଢ଼େ ୧୧ ହଜାର ଅଧ୍ୟାପକ ଖାତା ଦେଖା କାର୍ଯ୍ୟରେ ନିୟୋଜିତ ହେବେ। ପ୍ରଥମ ପର୍ଯ୍ୟାୟରେ କଳା ବିଭାଗର ଖାତାଗୁଡ଼ିକର ମୂଲ୍ୟାୟନ ‌କରିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

ମୋଟ ୬୬ଟି ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖା ହେବାକୁ ଥିବାବେଳେ ସୋମବାର ମାତ୍ର ୧୭ଟି କେନ୍ଦ୍ରରେ ଆରମ୍ଭ ହେବ। ଏଥିରେ ନିୟୋଜିତ ହେବାକୁ ଥିବା ଅଧ୍ୟାପକଙ୍କ ତାଲିକା ସମସ୍ତ ମୂଲ୍ୟାୟନ କେନ୍ଦ୍ରକୁ ପଠାଇ ଦିଆଯାଇଛି। ପୂର୍ବାହ୍ନ ୧୦ଟା‌ରୁ ଖାତା ମୂଲ୍ୟାୟନ ଆରମ୍ଭ ‌ହେବ। ଅଧ୍ୟାପକମାନେ ନିର୍ଦ୍ଧାରିତ ସମୟ ପୂର୍ବରୁ କେନ୍ଦ୍ରରେ ପହଞ୍ଚିବେ।‌ ସେଠାରେ କୋଭିଡ୍‌-୧୯ ନିୟମ ଅନୁଯାୟୀ, ସେମାନଙ୍କର ଥର୍ମାଲ ସ୍କ୍ରିନିଂ କରାଯିବା ସହ ହ୍ୟାଣ୍ଡୱାସ୍‌, ସାନିଟାଇଜ୍‌ ପ୍ରତି ଗୁରୁତ୍ବ ଦିଆଯିବ। ଏହାପରେ ‌ମୂଲ୍ୟାୟନକାରୀ କେନ୍ଦ୍ର ଭିତରକୁ ପ୍ରବେଶ କରିପାରିବେ। ଗୋଟିଏ ପର୍ଯ୍ୟାୟରେ ସକାଳ ୧୦ଟାରୁ ଅପରାହ୍‌ଣ ୫ଟା ମଧ୍ୟରେ ଉତ୍ତର ଖାତାଗୁଡ଼ିକର ମୂଲ୍ୟାୟନ କରିବାକୁ ନିଷ୍ପତ୍ତି ହୋଇଛି। ଯଦି ଅଧିକ ସଂଖ୍ୟକ ଅଧ୍ୟାପକ ଆସନ୍ତି, ତେବେ କେନ୍ଦ୍ର ସୁପରିନ୍‌ଟେଣ୍ଡେଣ୍ଟ ଚାହିଁଲେ ଦୁଇଟି ସିଫ୍ଟରେ ମୂଲ୍ୟାୟନ କରିପାରିବେ। ଶନିବାର ଓ ରବିବାର ୧୧ଟି ଜିଲ୍ଲା ସଟ୍‌ଡାଉନ୍‌ ହେଉଥିବାରୁ ଏହି ସମୟରେ ସମ୍ପୃକ୍ତ ଜିଲ୍ଲାରେ ମୂଲ୍ୟାୟନ ପ୍ରକ୍ରିୟା ବନ୍ଦ ରଖିବାକୁ ପରିଷଦ ନିଷ୍ପତ୍ତି ନେଇଛି। ଏବେ ସୁଦ୍ଧା ମାତ୍ର ୨୦ଟି ମୂଲ୍ୟାୟନ କେନ୍ଦ୍ରରେ ଅନ୍‌ଲାଇନ୍‌ ଖାତାଦେଖା ସମ୍ଭବପର ହୋଇପାରିଛି।

ଅନ୍ୟପକ୍ଷରେ ମୂଲ୍ୟାୟନ ପୂର୍ବରୁ ମୂଲ୍ୟାୟନକାରୀଙ୍କ ଥର୍ମାଲ ସ୍କ୍ରିନିଂ ଓ ବିଶୋଧନକୁ ବାଧ୍ୟତାମୂଳକ ହୋଇଛି। ଜିଲ୍ଲା ପ୍ରଶାସନ ଏ ଦିଗରେ ପଦକ୍ଷେପ ନେବାକୁ ଆଗରୁ କୁହାଯାଇଥିଲା। ତେବେ କେତେକ ସ୍ଥାନରେ ଜିଲ୍ଲା ପ୍ରଶାସନ/ସିଡିଏମ୍‌ଓ/ପୌର ପ୍ରଶାସନ ଏ ଦିଗରେ ସହଯୋଗ କରୁ ନଥିବାରୁ ମୂଲ୍ୟାୟନ କେନ୍ଦ୍ରର ଅଧ୍ୟକ୍ଷମାନେ କଲେଜ ଡେଭଲପ୍‌ମେଣ୍ଟ ଫଣ୍ଡ୍‌ରୁ ଅର୍ଥ ବିନିଯୋଗ କରି ଥର୍ମାଲ ସ୍କ୍ରିନର୍‌ କିଣିପାରିବେ। କୋଭିଡ୍‌-୧୯ ନିୟମକୁ ପାଳନ କରି ଜିଲ୍ଲା ପ୍ରଶାସନ/ସିଡିଏମ୍‌ଓ/ପୌର ପ୍ରଶାସନ ଯଦି ମୂଲ୍ୟାୟନ କେନ୍ଦ୍ରଗୁଡ଼ିକର ବିଶୋଧନ ଦିଗରେ ପଦକ୍ଷେପ ନ ନିଅନ୍ତି, ତେବେ କଲେଜଗୁଡ଼ିକ ଏ ଦିଗରେ ପଦକ୍ଷେପ ନେବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ନିର୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର