ଯୁକ୍ତ ଦୁଇ ପରୀକ୍ଷା ବାତିଲ ଦାବିରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ

ଖୋର୍ଦ୍ଧା: କୋଭିଡ୍ କଟକଣା ଯୋଗୁଁ କଲେଜରେ ଉପଯୁକ୍ତ ଭାବେ ପାଠପଢ଼ା ହୋଇପାରିନାହିଁ । ବର୍ତ୍ତମାନ ଅନେକ ଛାତ୍ରଛାତ୍ରୀ ଅସୁସ୍ଥ, ସଂକ୍ରମଣ ବ୍ୟାପିବାର ଭୟ ରହିଛି, ଏଣୁ ଏହାକୁ ଦୃଷ୍ଟିରେ ରଖି ଯୁକ୍ତ ଦୁଇ ପରୀକ୍ଷା ବାତିଲ କରିବା ପାଇଁ ଆଜି ଖୋର୍ଦ୍ଧା ଓ ଖୋର୍ଦ୍ଧା ଆଖପାଖର କଲେଜଗୁଡ଼ିକର ଶତାଧିକ ଯୁକ୍ତଦୁଇ ଛାତ୍ରଛାତ୍ରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଏକ ଦାବିପତ୍ର ଦେଇଛନ୍ତି ।

ଆଜି ପୂର୍ବାହ୍ଣରେ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ହୋଇଥିବା ବିକ୍ଷୋଭରେ ଖୋର୍ଦ୍ଧା ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟ, ଜଟଣୀ, ହଳଦିଆ, କେରଙ୍ଗ, ମନ୍ଦାରବସ୍ତ, ଦେଉଳି ମହିଳା ମହାବିଦ୍ୟାଳୟ, ଗଡ଼ମାଣତ୍ରୀ, ଅଦ୍ୟାନ୍ତ କଲେଜର ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ । ସେମାନଙ୍କ କହିବା କଥା ହେଲା ଯେ ସଂକ୍ରମଣକୁ ଦୃଷ୍ଟିରେ ରଖି ଅନ୍ଲାଇନ୍ରେ ପାଠ ପଢ଼ାଯାଉଛି, କିନ୍ତୁ ଅଫ୍‌ଲାଇନ୍‌ରେ ପରୀକ୍ଷା କରାଯିବା ପାଇଁ ପ୍ରସ୍ତୁତି ଚାଲିଛି । ଏହାପଛର ଥିବା ଯୁକ୍ତି ସେମାନେ ଜାଣିପାରୁନାହାନ୍ତି । ସାମାଜିକ ଦୂରତ୍ୱରେ ପରୀକ୍ଷା ହଲ୍ରେ ବସି ପରୀକ୍ଷା ଦେବା ସମ୍ଭବ ନୁହେଁ । ଏଣୁ ବାର୍ଷିକ ପରୀକ୍ଷା ବାତିଲ କରାଯାଇ କାଉନ୍ସିଲ ଦ୍ୱାରା ଗତ ୩ଟି କ୍ୱାଟର ପରୀକ୍ଷାର ମାର୍କକୁ ନେଇ ପରୀକ୍ଷାଫଳ ଘୋଷଣା କରାଯାଉ । ଯେଉଁ ଛାତ୍ରଛାତ୍ରୀମାନେ ଏଥିରେ ସନ୍ତୁଷ୍ଟ ହେବେନାହିଁ ସେମାନଙ୍କୁ ପ୍ରତ୍ୟକ୍ଷ ପରୀକ୍ଷାର ସୁଯୋଗ ଦିଆଯାଉ ।

ସମ୍ବନ୍ଧିତ ଖବର