ଯୁକ୍ତ୨ ମୂଲ୍ୟାୟନ: ପ୍ରାକ୍ଟିକାଲ ରିପୋର୍ଟ ଦାଖଲ ସରିଲା

ଭୁବନେଶ୍ବର : ଯୁକ୍ତ୨ ମୂଲ୍ୟାୟନ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଜୁଲାଇ ୩୧ ସୁଦ୍ଧା ଯେପରି ପରୀକ୍ଷା ଫଳ ପ୍ରକାଶ ପାଇବ ସେନେଇ କାର୍ଯ୍ୟ ଜାରି ରହିଛି। ଏହିକ୍ରମରେ ଛାତ୍ରଛାତ୍ରୀଙ୍କ ପ୍ରାକ୍ଟିକାଲ ଓ ପ୍ରୋଜେକ୍ଟ ରିପୋର୍ଟ ଦାଖଲ ଆଜି ଶେଷ ହୋଇଛି। ଛାତ୍ରଛାତ୍ରୀ ନିଜ ନିଜ କଲେଜରେ ରିପୋର୍ଟ ଦାଖଲ କରିଥିବା ଜଣାପଡ଼ିଛି। ତେବେ କେତେ ପ୍ରତିଶତ ପିଲା ରିପୋର୍ଟ ଦାଖଲ କରିଛନ୍ତି ସେନେଇ ସୂଚନା ମିଳି ନ ଥିବା ପରିଷଦ ପକ୍ଷରୁ କୁହାଯାଇଛି। ତେବେ କଲେଜ କର୍ତୃପକ୍ଷ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ପରୀକ୍ଷାର୍ଥୀଙ୍କ ରିପୋର୍ଟଗୁଡ଼ିକର ମୂଲ୍ୟାୟନ କରି ନୋଡାଲ କଲେଜରେ ମାର୍କସିଟ୍‌ ଦାଖଲ କରିବାକୁ ନିର୍ଦେଶ ଦିଆଯାଇଛି।

ତେବେ ସଙ୍ଗୀତ ଭିତ୍ତିକ ବିଭିନ୍ନ ବିଷୟର ପ୍ରାକ୍ଟିକାଲକୁ ନେଇ ‌ସମସ୍ୟା ଦେଖାଦେଇଛି। ଯେଉଁଥିପାଇଁ ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇ କୁହାଯାଇଛି ଯେ ସଙ୍ଗୀତ, ଡ୍ରାମା, ନୃତ୍ୟ, ଗୀତ, ସଙ୍ଗୀତ ବାଦ୍ୟଯନ୍ତ୍ର ଆଦି ବିଷୟରେ ପ୍ରାକ୍ଟିକାଲ ରେକର୍ଡ ଦାଖଲ କରିବାର କୌଣସି ପ୍ରକାର ନିୟମ ନାହିଁ। ତେବେ ପରୀକ୍ଷାର୍ଥୀମାନେ ୩ରୁ ୫ ମିନିଟ୍‌ ଅବଧିର ଭିଡିଓ ସୁଟିଂ କରି ତାହାକୁ ହ୍ବାଟସ୍‌ଆପ୍‌ ମାଧ୍ୟମରେ ବିଷୟଭିତ୍ତିକ ଶିକ୍ଷକଙ୍କ ନିକଟକୁ ପଠାଇବେ। ମାର୍କ ପ୍ରଦାନ ସମୟରେ ପରୀକ୍ଷାର୍ଥୀମାନେ ଦାଖଲ କରିଥିବା ଭିଡିଓଗୁଡ଼ିକୁ ପ୍ରାକ୍ଟିକାଲ ରିପୋର୍ଟ ଭାବେ ବିଚାରକୁ ନିଆଯିବ ଏବଂ ସେଗୁଡ଼ିକୁ ଆସନ୍ତା ବର୍ଷକ ପର୍ଯ୍ୟନ୍ତ ସଂରକ୍ଷଣ ରଖିବାକୁ ସମସ୍ତ କଲେଜ ଅଧ୍ୟକ୍ଷମାନଙ୍କୁ କୁହାଯାଇଛି।

ସମ୍ବନ୍ଧିତ ଖବର