ପ୍ରଧାନମନ୍ତ୍ରୀଙ୍କ ହେଲିକପ୍ଟର ଯାଞ୍ଚ ଘଟଣା : କ୍ୟାଟ୍‌ଙ୍କ ନିର୍ଦେଶକୁ ହାଇକୋର୍ଟରେ ଚାଲେଞ୍ଜ

ମହସିନ୍‌ଙ୍କ ସମେତ ସମ୍ବଲପୁର ଜିଲ୍ଲାପାଳ, ଏସପିଙ୍କୁ ନୋଟିସ୍‌!

ସମ୍ବଲପୁର : ସମ୍ବଲପୁରରେ ପ୍ରଧାନମନ୍ତ୍ରୀଙ୍କ ହେଲିକପ୍ଟର ଯାଞ୍ଚ ଘଟଣା ନୂଆ ମୋଡ଼ ନେଇଛି। ଏହି ଘଟଣାରେ ନିର୍ବାଚନ ପର୍ଯ୍ୟବେକ୍ଷକ ମହମ୍ମଦ ମହସିନଙ୍କୁ ନିଲମ୍ବିତ କରାଯାଇଥିଲା ଓ ନିଲମ୍ବନ ଆଦେଶ ବିରୋଧରେ ସେ କେନ୍ଦ୍ରୀୟ ପ୍ରଶାସନିକ ଟ୍ରିବ୍ୟୁନାଲ (କ୍ୟାଟ୍‌)ଙ୍କ ଦ୍ବାରସ୍ଥ ହୋଇଥିଲେ। କ୍ୟାଟ୍‌ ଏହି ନିଲମ୍ବନକୁ ରଦ୍ଦ କରି ଦେଇଥିଲେ। ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଉପରେ ରହିତାଦେଶ ଦେଇଥିଲେ। ମାତ୍ର ନିର୍ବାଚନ କମିସନ୍ ଇତିମଧ୍ୟରେ କ୍ୟାଟ୍‌ଙ୍କ ଏହି ନିର୍ଦେଶ ବିରୋଧରେ କର୍ଣ୍ଣାଟକ ହାଇକୋର୍ଟରେ ଅପିଲ କରିଛନ୍ତି। ହାଇକୋର୍ଟ ଏହି ଅପିଲକୁ ଗ୍ରହଣ କରିବା ସହ ମହସିନ୍‌ଙ୍କ ସମେତ ଘଟଣାରେ ସଂପୃକ୍ତ ସମସ୍ତ ପକ୍ଷଙ୍କୁ ନୋଟିସ ଜାରି କରିଛନ୍ତି। ସେ ଦୃଷ୍ଟିରୁ ମୁଖ୍ୟାଳୟ ଆଇଜି, ସମ୍ବଲପୁର ଜିଲ୍ଲାପାଳ ଏବଂ ସମ୍ବଲପୁର ଏସ୍‌ପିଙ୍କୁ ମଧ୍ୟ ନୋଟିସ ହୋଇଥିବା ସୂଚନା ମିଳିଛି। ଏ ସଂପର୍କରେ କର୍ଣ୍ଣାଟକର ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଅନ୍ୟପକ୍ଷରେ ସମ୍ବଲପୁର ଏସ୍‌ପି ସଞ୍ଜୀବ ଆରୋରାଙ୍କୁ ଏ ବିଷୟ ପଚାରିବାରୁ ଏଭଳି କୌଣସି ନୋଟିସ ଏପର୍ଯ୍ୟନ୍ତ ତାଙ୍କ ନିକଟକୁ ଆସି ନଥିବା ସେ କହିଛନ୍ତି। ଏହି ମାମଲା ନେଇ କେବଳ ନିର୍ବାଚନ କମିସନ ହିଁ ମତ ରଖିପାରିବେ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ ଗତ ଏପ୍ରିଲ ୧୬ ତାରିଖରେ ନିର୍ବାଚନ ପ୍ରଚାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ବଲପୁର ଗସ୍ତ ଅବସରରେ ତାଙ୍କ ହେଲିକପ୍ଟର ଯାଞ୍ଚ ହୋଇଥିଲା। ଏଥିଯୋଗୁଁ ପ୍ରଧାନମନ୍ତ୍ରୀଙ୍କ ଫେରିବା ୧୫ ମିନିଟ ବିଳମ୍ବ ହୋଇଥିଲା। ଏସ୍‌ପିଜି ସୁରକ୍ଷା ବଳୟରେ ଥିବା ପ୍ରଧାନମନ୍ତ୍ରୀଙ୍କ ହେଲିକପ୍ଟର ଯାଞ୍ଚ ଆଇନ ବିରୁଦ୍ଧ ବୋଲି ଦର୍ଶାଇ ମୁଖ୍ୟ ନିର୍ବାଚନ କମିସନଙ୍କ ପକ୍ଷରୁ ସଂପୃକ୍ତ ପର୍ଯ୍ୟବେକ୍ଷକ ମହସିନଙ୍କୁ ନିଲମ୍ବିତ କରାଯାଇ ଥିଲା। ଆଇଜି ମୁଖ୍ୟାଳୟ, ସମ୍ବଲପୁର ଏସ୍‌ପି ଓ ଜିଲ୍ଲାପାଳଙ୍କ ରିପୋର୍ଟ ଆଧାରରେ ତାଙ୍କୁ ନିଲମ୍ବିତ କରାଯାଇଥିଲା। ତେବେ କ୍ୟାଟ୍‌ ଏହି ନିଲମ୍ବନ ଆଦେଶକୁ ରଦ୍ଦ କରିଥିଲେ। ଅନ୍ୟପକ୍ଷରେ କ୍ୟାଟଙ୍କ ଏହି ନିର୍ଦେଶ ବିରୋଧରେ ନିର୍ବାଚନ କମିସନ ପକ୍ଷରୁ କର୍ଣ୍ଣାଟକ ହାଇକୋର୍ଟରେ ଅପିଲ କରାଯାଇଛି। ଗତ ଗୁରୁବାର (୧୬ ତାରିଖ) ଦିନ ହାଇକୋର୍ଟ ଏ ନେଇ ମହସିନଙ୍କ ସମେତ ସମସ୍ତ ପକ୍ଷଙ୍କୁ ନୋଟିସ୍‌ ପଠାଇଥିବା ଜଣାପଡ଼ିଛି। ଏ ନେଇ ମହସିନ୍‌ଙ୍କୁ ଯୋଗାଯୋଗ କରାଯିବାରୁ ସେ ମଧ୍ୟ ନୋଟିସ୍‌ ବିଷୟ ସ୍ବୀକାର କରିଛନ୍ତି।

ସମ୍ବନ୍ଧିତ ଖବର