ଫନି ବାତ୍ୟା ପ୍ରସ୍ତୁତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ ଭୀଷଣ ସାମୁଦ୍ରିକ ବାତ୍ୟା ଫନିର ମୁକାବିଲା ପାଇଁ କରାଯାଉଥିବା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ଏହି ବୈଠକରେ କ୍ୟାବିନେଟ ସଚିବ, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ, ପ୍ରଧାନମନ୍ତ୍ରୀଙ୍କ ଅତିରିକ୍ତ ପ୍ରମୁଖ ଶାସନ ସଚିବ, ଗୃହ ସଚିବ, ଭାରତୀୟ ପାଣିପାଗ ବିଭାଗ, ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ (ଏନଡିଆରଏଫ), ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଏନଡିଏମଏ) ଓ ପିଏମଓର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ ।

ଏହି ଅବସରରେ ଅଧିକାରୀମାନେ ଫନିର ଗତିପଥ ଓ ତାହାର ପ୍ରଭାବ ଉପରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ଓଡ଼ିଶା ଓ ଅନ୍ୟ ରାଜ୍ୟ ସରକାରମାନଙ୍କ ଦ୍ବାରା କରାଯାଉଥିବା ମୁକାବିଲା ପ୍ରସ୍ତୁତି ଉପରେ ମଧ୍ୟ ମୋଦିଙ୍କୁ ସୂଚନା ଦିଆଯାଇଥିଲା । ଏହି ବାତ୍ୟା ପାଇଁ ସେନା,ନୌସେନା ଓ ଏନଡିଆରଏଫକୁ ପ୍ରସ୍ତୁତ ରଖାଯାଇଛି ବୋଲି ତାଙ୍କୁ ଅବଗତ କରାଯାଇଛି ।

ଏହି ଅବସରରେ ପ୍ରଭାବିତ ହେବାକୁ ଥିବା ରାଜ୍ୟଗୁଡ଼ିକର ଅଧିକାରୀମାନଙ୍କ ସହ ସମନ୍ବୟ ରଖି ବାତ୍ୟାର ମୁକାବିଲା କରିବା ସହ ପ୍ରଭାବୀ ଢଙ୍ଗରେ ରିଲିଫ ଓ ସହାୟତା କାର୍ଯ୍ୟ କରିବାକୁ ପ୍ରଧାନମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ସମ୍ବନ୍ଧିତ ଖବର