୪ଟି ଜାତୀୟ ରାଜପଥ ପ୍ରକଳ୍ପର ଶିଳାନ୍ୟାସ କରିବେ ମୋଦୀ

୧୦୦ ଶଯ୍ୟା ବିଶିଷ୍ଟ ଇଏସ୍‌ଆଇ ହସ୍‌ପିଟାଲର ହେବ ଲୋକାର୍ପଣ

ଭୁବନେଶ୍ବର : ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେ ଜାତୀୟ ରାଜପଥର ୪ଟି ପ୍ରକଳ୍ପ ଶିଳାନ୍ୟାସ କରିବାକୁ ଯାଉଛନ୍ତି। ୪୩୬୧ କୋଟି ଟଙ୍କା ବ୍ୟୟରେ ମୋଟ ୩୬୩ କିଲୋମିଟର ଲମ୍ବାର ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ୬ ଲେନ୍‌ ବିଶିଷ୍ଟ ହେବାକୁ ଥିବା ଚଣ୍ଡିଖୋଲ-ଭଦ୍ରକ ରାଜପଥ, ୪ ଲେନ୍‌ ବିଶିଷ୍ଟ ହେବାକୁ ଥିବା କଟକ-ଅନୁଗୁଳ ରାଜପଥ, ୬ ‌ଲେନ୍‌ ବିଶିଷ୍ଟ ହେବାକୁ ଥିବା ଟାଙ୍ଗି-ପୁଇଁତୋଳା ରାଜପଥ ଓ ବହୁ ଚର୍ଚ୍ଚିତ ଖଣ୍ଡଗିରି ଫ୍ଲାଏ ଓଭରବ୍ରିଜ୍‌ ରହିଛି। ଆଇଆଇଟି କ୍ୟାମ୍ପସ ପରିସରରେ ଏହି ସବୁ ପ୍ରକଳ୍ପର ମୋଦୀ ଶିଳାନ୍ୟାସ କରିବେ। ଏ ନେଇ ଭାରତୀୟ ଜାତୀୟ ରାଜପଥ କର୍ତ୍ତୃପକ୍ଷ ପକ୍ଷରୁ ହୋଟେଲ ମେ ଫେୟାର ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ମୁଖ୍ୟ ମହାପ୍ରବନ୍ଧକ ଅନନ୍ତ କୁମାର ସିଂହ, ସଦସ୍ୟ (ପ୍ରକଳ୍ପ) ଆନନ୍ଦ କୁମାର ସିଂହ ଓ ଆଞ୍ଚଳିକ ଅଧିକାରୀ ରାମପ୍ରସାଦ ପଣ୍ଡା ପ୍ରମୁଖ ଏ ନେଇ ସୂଚନା ଦେଇଛନ୍ତି। ଖଣ୍ଡଗିରି ଫ୍ଲାଏ ଓଭର ବ୍ରିଜ୍‌ ଉପରେ ସମସ୍ତଙ୍କର ଆଖି ରହିଛି। ଏହା ଏକ ବ୍ଲାକସ୍ପଟ ଭାବରେ ଚିହ୍ନିତ ହୋଇଥିବାରୁ ଏହା ଯଥାଶୀଘ୍ର ନିର୍ମାଣ ହେବା ପାଇଁ ସମସ୍ତେ ଆଶା ବାନ୍ଧିଛନ୍ତି। ଏଥିପାଇଁ ୧୧୫.୬୩ କୋଟି ଅଟକଳ କରାଯାଇଛି। ୨୦୧୯ ସୁଦ୍ଧା ଏହାକୁ ଶେଷ କରାଯିବା ପାଇଁ ନିର୍ମାଣକାରୀ ସଂସ୍ଥା ଆରକେଡି କନ୍‌ଷ୍ଟ୍ରକସନ୍‌ସ ପ୍ରାଇଭେଟ୍‌ ଲିମିଟେଡ୍‌କୁ ଧାର୍ଯ୍ୟ କରାଯାଇଛି।

ଚଣ୍ଡିଖୋଲ-ଭଦ୍ରକ ରାଜପଥ ବର୍ତ୍ତମାନ ୪ ଥାକିଆ ରହିଛି। ଏହା ୬ ଥାକିଆ ହେବାକୁ ଯାଉଛି। ଏଥିପାଇଁ ୧୪୯୧.୮୦ କୋଟି ଖର୍ଚ୍ଚ ହେବ। ୨୦୨୧ ସୁଦ୍ଧା ଏହା ସମାପ୍ତ ହେବାକୁ ଧାର୍ଯ୍ୟ ହୋଇଛି। ଏଥିରେ ତିଆରି ପାଇଁ ୧୪ଟି ବଡ଼ ବ୍ରିଜ୍‌ ରହିଥିବା‌ ବେଳେ ୧୫ଟି ଛୋଟ ବ୍ରିଜ୍‌, ୧୩ଟି ଅଣ୍ଡରପାସ୍‌ ଓ ୯୦ କିଲୋମିଟର ସର୍ଭିସ୍‌ ରୋଡ୍‌ ହେବାକୁ ରହିଛି। କଟକ-ଅନୁଗୁଳ ୪ ଥାକିଆ ୧୧୨ କିଲୋମିଟର ରାସ୍ତା ପାଇଁ ୧୯୯୦.୭୩ କୋଟି ଯଙ୍କା ବ୍ୟୟବରାଦ୍‌ କରାଯାଇଛି। ସେପ୍ଟେମ୍ବର ୨୦୨୦ ସୁଦ୍ଧା ଏହା ଶେଷ ହେବା ପାଇଁ ଯୋଜନା ହୋଇଛି। ଏଥିରେ ୫ ଫ୍ଲାଏ ଓଭର ସହ ୩ ବଡ଼ ଓ ୨୩ ଛୋଟ ବ୍ରିଜ୍‌, ୭ ଅଣ୍ଡରପାସ୍‌, ୨ ବାଇପାସ୍‌ ଓ ଗୋଟିଏ ଆରଓବି ରହିଛି। ଟାଙ୍ଗି-ପୁଇଁତଳା ରାଜପଥର ୭୫ କିଲୋମିଟର ରାସ୍ତା ୭୬୧.୭୯ କୋଟି ଟଙ୍କା ବ୍ୟୟରେ ୬ ଥାକିଆ ହେବାକୁ ଯାଉଛି। ୨୦୨୦ ମସିହା ଜୁନ୍‌ ସୁଦ୍ଧା ଶେଷ ହେବାକୁ ଧାର୍ଯ୍ୟ ହୋଇଥିବା ଏହି ରାସ୍ତାରେ ୧୩ଟି ଅଣ୍ଡର ପାସ୍‌ ରାସ୍ତା ସହ ୪୯ କିଲୋମିଟର ସର୍ଭିସ ରୋଡ୍‌ ନିର୍ମାଣ କରିବାକୁ ରହିଛି।

ସେହିଭଳି ୧ ଶହ ଶଯ୍ୟା ବିଶିଷ୍ଟ ଇଏସ୍‌ଆଇ(କର୍ମଚାରୀ ରାଜ୍ୟ ବୀମା ନିଗମ) ହସ୍‌ପିଟାଲକୁ ମଧ୍ୟ ପ୍ରଧାନମନ୍ତ୍ରୀ ଲୋକାର୍ପିତ କରିବେ। ଏ ନେଇ ଇଏସ୍‌ଆଇ ମେଡିକାଲ କମିସନର ଆର.କେ. କାଟୁରିଆ, ଆଞ୍ଚଳିକ ନିର୍ଦ୍ଦେଶକ ଏଲ୍‌. ଜମୀର, ସୁପରିଟେଣ୍ଡେଣ୍ଟ ଅଞ୍ଜଳୀ ପାଢ଼ୀ ପ୍ରମୁଖ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ପୂର୍ବରୁ ୪.୫ଏକର ଜମିରେ ୫୦ ଶଯ୍ୟ‌େ ବିଶିଷ୍ଟ ଏକ ହସ୍‌ପିଟାଲ କାର୍ଯ୍ୟକ୍ଷମ ଥିଲା। କ୍ରମଶଃ ରୋଗୀଙ୍କ ସଂଖ୍ୟାରେ ବୃଦ୍ଧି ଘଟୁଥିବାରୁ ଏହାକୁ ପରିବର୍ଦ୍ଧିତ କରାଯାଇଛି। ପୁରୂଣା ହସ୍‌ପିଟାଲକୁ ଲାଗି ନିର୍ମାଣ ହୋଇଥିବା ଏହି କୋଠାରେ ୭୩.୫୧ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଅତ୍ୟାଧୁନିକ ମେଡିକାଲ ଯନ୍ତ୍ରାଂଶ ଓ ଉପକରଣ ସାଙ୍ଗକୁ ସିଏସ୍‌ଏସ୍‌ଡି, ଟିଏସ୍‌ଏସ୍‌ୟୁ, ସେବିକା କଲ୍‌ ସିଷ୍ଟମ୍‌, ଓଟି, ଆଧୁନିକ କିଚେନ୍‌, ଲିଫ୍ଟ, ମେଡିକାଲ ଗ୍ୟାସ୍‌ ପାଇପ୍‌ ଲାଇନ୍‌, ଏସ୍‌ଟିପି, ଇଟିପି ପ୍ରଭୃତି ସୁବିଧା ପାଖାପାଖି ୧୦ ଲକ୍ଷ ହିତାଧିକାରୀଙ୍କୁ ଉନ୍ନତ ସ୍ବାସ୍ଥ୍ୟସେବା ଯୋଗାଇ ଦେବାରେ ମାଇଲଖୁଣ୍ଟ ସାଜିବ ବୋଲି କର୍ତ୍ତୃପକ୍ଷ ଆଶା ବାନ୍ଧିଛନ୍ତି।

ସମ୍ବନ୍ଧିତ ଖବର