ନିମୋନିଆ ଦୂର ପାଇଁ ଭାରତୀୟ ଶିଶୁ ଚିକିତ୍ସକ ଏକାଡେମିର ଆହ୍ଵାନ

ଭୁବନେଶ୍ୱର : ନିମୋନିଆ ରୋଗ ଦେଶରେ ୫ବର୍ଷରୁ କମ୍‌ ବୟସର ଶିଶୁମାନଙ୍କ ମୃତ୍ୟୁର ଏକ ପ୍ରମୁଖ କାରଣ ପାଲଟିଛି । ଏହାର ନିୟନ୍ତ୍ରଣ ଉପରେ ଇଣ୍ଡିଆନ ଏକାଡେମି ଅଫ ପେଡିଆଟ୍ରିକ୍ସ (ଆଇଏପି) ଭୁବନେଶ୍ୱର ଚାପ୍ଟରର ବିଶେଷଜ୍ଞମାନେ ଗୁରୁତ୍ୱାରୋପ କରିଛନ୍ତି। ନଭେମ୍ବର ୧୨ରେ ବିଶ୍ୱ ନିମୋନିଆ ଦିବସ ପାଳନ ପରିପ୍ରେକ୍ଷୀରେ ଭୁବନେଶ୍ୱର ଆଇଏପିର ସଚିବ ଡାକ୍ତର ପ୍ରଶାନ୍ତ କୁମାର ସାବୋଥ୍‌ କହିଛନ୍ତି, ଶିଶୁମାନଙ୍କୁ ଏହି ଜୀବନନାଶକ ରୋଗ କବଳରୁ ରକ୍ଷା କରିବାକୁ ହେଲେ ଉତ୍ତମ ସ୍ୱାସ୍ଥ୍ୟ ଅଭ୍ୟାସର ଆବଶ୍ୟକତା ରହିଛି। ବିଶ୍ୱରେ ନିମୋନିଆ ନିୟନ୍ତ୍ରଣ ପାଇଁ ୧୪୦ରୁ ଅଧିକ ଦେଶ ସେମାନଙ୍କ ସାର୍ବଜନୀନ ଟିକାକରଣ କାର୍ଯ୍ୟକ୍ରମରେ ନ୍ୟୁମୋକୋକାଲ୍‌ କଞ୍ଜ୍ୟୁଗେଟ୍‌ ଟିକାର ପ୍ରୟୋଗ କଲେଣି। ଏଥିଯୋଗୁ ଶିଶୁଙ୍କଠାରେ ନିମୋନିଆ ହ୍ରାସ ପାଇଛି। ଭାରତ ସରକାରଙ୍କ ପକ୍ଷରୁ କେତେକ ରାଜ୍ୟରେ ମଧ୍ୟ ଏହି ଟିକାକରଣ କାର୍ଯ୍ୟ ହାତକୁ ନିଆଯାଇଛି। ଯେଉଁ ଅଂଚଳରେ ଟିକା ଉପଲବ୍ଧ ହେଉନାହିଁ ସେହି ଅଞ୍ଚଳରେ ପିତାମାତାମାନେ ସେମାନଙ୍କ ଶୁଶୁଙ୍କୁ ବିକଳ୍ପ ଚିକିତ୍ସା ସୁବିଧା ଯୋଗାଇ ଦେବା ଲାଗି ଶିଶୁ ଚିକିତ୍ସକମାନଙ୍କ ପରାମର୍ଶ ନେବା ଉଚିତ ବୋଲି ଡା. ସାବୋଥ୍‌ କହିଛନ୍ତି।

ଆଇଏପି, ଭୁବନେଶ୍ୱର ଚାପ୍ଟରର ବରିଷ୍ଠ ସଦସ୍ୟ ଡାକ୍ତର ଆଶୁତୋଷ ମହାପାତ୍ର କହିଲେ, ଯଦିଓ ୨୦୧୧ ପରଠାରୁ ୫ବର୍ଷରୁ କମ୍‌ ବୟସର ଶିଶୁ ମୃତ୍ୟୁ ହାର କମିଛି, ତଥାପି ଏ କ୍ଷେତ୍ରରେ ଆମକୁ ଯଥେଷ୍ଟ ଆଗକୁ ଯିବାର ଅଛି। ବର୍ତ୍ତମାନ ଟିକାକରଣ ବ୍ୟବସ୍ଥାରେ ଉନ୍ନତି ଆସିବା ଫଳରେ ୫ ବର୍ଷରୁ କମ୍‌ ବୟସର ଶିଶୁ ମୃତ୍ୟୁହାର ଆହୁରି ହ୍ରାସ ଘଟିବ ବୋଲି ଡା. ମହାପାତ୍ର କହିଛନ୍ତି। ଆଇଏପି ଓଡ଼ିଶାର କାର୍ଯ୍ୟନିର୍ବାହୀ ବୋର୍ଡ ସଦସ୍ୟ ଡା. ସୁଶ୍ରୁତ ଦାସଙ୍କ ମତରେ ସରକାରଙ୍କ ସାର୍ବଜନୀନ ଟିକାକରଣ କାର୍ଯ୍ୟକ୍ରମରେ ନିମୋନିଆକୁ ନିୟନ୍ତ୍ରଣ କରିବା ପାଇଁ ଟିକା ଉପଲବ୍ଧ ହେଉଛି। ଏତଦ୍‌ବ୍ୟତୀତ ଏଥିପାଇଁ ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଟିକା ନ୍ୟୁମୋକୋକାଲ କନ୍‌ଜୁଗେଟ୍‌ ଟିକାକୁ ଧୀରେ ଧୀରେ ସମସ୍ତ ରାଜ୍ୟରେ ଉପଲବ୍ଧ କରାଯାଉଛି। ନିମୋନିଆରେ ଅଧିକ ସଂଖ୍ୟାରେ ଶିଶୁ ପୀଡ଼ିତ ହେଉଥିବା ରାଜ୍ୟ ଗୁଡ଼ିକରେ ଭାରତ ସରକାର ପ୍ରଥମ ବର୍ଷରେ ପ୍ରାୟ ୨୧ ଲକ୍ଷ ଶିଶଙ୍କୁ ଜିଏଭିଆଇ (ଗ୍ଲୋବାଲ ଆଲାଏନ୍ସ ଫର୍‌ ଭାକ୍ସିନ୍‌ ଆଣ୍ଡ୍‌ ଇମୁନାଇଜେସନ୍‌) ସହଯୋଗରେ ଏହି ଟିକା ପ୍ରଦାନ କରୁଛନ୍ତି ବୋଲି ଡା. ଦାସ କହିଛନ୍ତି। ସେହିଭଳି ଆଇଏପି, ଭୁବନେଶ୍ୱରର ବରିଷ୍ଠ ସଦସ୍ୟ ପ୍ରଫେସର ମୃତ୍ୟୁଞ୍ଜୟ ଦାସ କହିଲେ, ନିମୋନିଆକୁ ରୋକିବା ଲାଗି ସମାଜରେ ସଚେତନା ବୃଦ୍ଧିର ଆବଶ୍ୟକତା ରହିଛି। ଏହା ଉପରେ ଆଇଏପି ଗୁରୁତ୍ୱାରୋପ କରୁଛି। ଲକ୍ଷ୍ୟ ଧାର୍ଯ୍ୟ କରି ଭଲଭାବେ କାର୍ଯ୍ୟ କରିଲେ ଶିଶୁମାନେ ଆକ୍ରାନ୍ତ ହେଉଥିବା ନିମୋନିଆ ରୋଗକୁ ନିୟନ୍ତ୍ରଣ କରାଯାଇ ପାରିବ ବୋଲି ପ୍ରଫେସର ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର