ବହୁମୁଖୀ ପ୍ରତିଭାର ଅଧିକାରୀ ଥିଲେ କବି ବିଧୁଭୂଷଣ ଗୁରୁ

ବଲାଙ୍ଗୀର: ସ୍ଥାନୀୟ ପତିତପାବନ ଏକାଡ଼େମି ସଭାକକ୍ଷରେ ବଲାଙ୍ଗୀର ବିଧୁଭୂଷଣ ଗୁରୁ ସ୍ମୃତି ପରିଷଦ ଆନୁକୂଲ୍ୟରେ କବି ବିଧୁଭୂଷଣ ଗୁରୁଙ୍କ ୧୦୩ ତମ ଜୟନ୍ତୀ ପାଳିତ ହୋଇଛି। ବିଧୁଭୂଷଣ ଗୁରୁ ସ୍ମୃତି ପରିଷଦ ସଂରକ୍ଷକ ଡା. ଭକ୍ତପ୍ରସାଦ ଗୁରୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ କୁଳସଚିବ ପ୍ରଫେସର ଡ. ଦୁର୍ଗାପ୍ରସନ୍ନ ମହାପାତ୍ର ମୁଖ୍ୟ ଅତିଥି, ଅବସରପ୍ରାପ୍ତ ଓଡ଼ିଆ ପ୍ରଫେସର ତଥା ବିଶିଷ୍ଟ ଔପନ୍ୟାସିକ ଡ. ବିଭୂତି ପଣ୍ଡା ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ସାହିତ୍ୟ ପତ୍ରିକା ‘ବିଧୁସ୍ମୃତି’ ଉନ୍ମୋଚିତ ହୋଇଥିଲା।

ଛଅଜଣ ବିଶିଷ୍ଟ ସାହିତ୍ୟିକ ପଦ୍ମଶ୍ରୀ ଡ. ଶ୍ରୀନିବାସ ଉଦଗାତାଙ୍କୁ ବିଧୁଭୂଷଣ ସ୍ମୃତି ସମ୍ମାନ, ପ୍ରଫେସର ମଧୁସୂଦନ ପତିଙ୍କୁ ଡ. ଗଙ୍ଗାଧର ଗୁରୁ ସ୍ମୃତି ସମ୍ମାନ, ଅବସରପ୍ରାପ୍ତ ପ୍ରଶାସକ ରଥୀନ୍ଦ୍ରନାଥ ପାଢ଼ୀଙ୍କୁ ଗୌରୀଶଙ୍କର ତ୍ରିପାଠୀ ସ୍ମୃତିସମ୍ମାନ, ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆଙ୍କୁ ପୂର୍ଣ୍ଣଚନ୍ଦ୍ର ଦାସ ସ୍ମୃତିସମ୍ମାନ, ଅବସରପ୍ରାପ୍ତ ପ୍ରାଧ୍ୟାପକ ପ୍ରସନ୍ନ କର୍ଣ୍ଣଙ୍କୁ ସାମ୍ବାଦିକ ଗୌରବ ଶିବପ୍ରସାଦ ପାଣ୍ଡିଆ ସ୍ମୃତିସମ୍ମାନ, ବରିଷ୍ଠ ସ୍ତମ୍ଭକାର ଉମାଶଙ୍କର ସିଂହଙ୍କୁ ଜଷ୍ଟିସ ରାଧେକୃଷ୍ଣ ମିଶ୍ର ସ୍ମୃତିସମ୍ମାନ ପ୍ରଦାନ କରାଯାଇଥିଲା। ଛତାମଖନା ଯୁଧିଷ୍ଠିର ମହାବିଦ୍ୟାଳୟର ସଂସ୍କୃତ ଅଧ୍ୟାପକ ଡ. ଦୈତ୍ୟାରି ପୂଜାରୀ ବେଦପାଠ କରିଥିଲେ। ରେଭେନ୍ସା ବିଶ୍ୱବିଦ୍ୟାଳୟ  ଛାତ୍ରୀ ସ୍ଥିତପ୍ରଜ୍ଞା ତ୍ରିପାଠୀ ମଞ୍ଚ ପରିଚାଳନା କରିଥିଲେ। କଣ୍ଟାବାଞ୍ଜି କଲେଜ ଅଧ୍ୟାପକ ଡ. ସଂଜୟ ମିଶ୍ର ଅତିଥି ପରିଚୟ ଓ ଭାଷଣ ଦେଇଥିଲେ।

ସ୍ମୃତି ପରିଷଦର ସଂପାଦକ ଜୟକୁମାର ଆଚାର୍ଯ୍ୟ ବିବରଣୀ ପାଠ କରିଥିଲେ। ଡ. ଦୈତାରୀ ପୂଜାରୀ, ବଲାଙ୍ଗୀର ସରକାରୀ କଲେଜର ସହକାରୀ ପ୍ରଫେସର ଡ. କୌତୁକ ପନ୍ଦର, ଟିଟିଲାଗଡ଼ ଡିଏଭି ସ୍ୱୟଂଶାସିତ କଲେଜର ବରିଷ୍ଠ ଅଧ୍ୟାପକ ଡ. ଜଗଦୀଶ ଚନ୍ଦ୍ର ଭୋଇ, ମହୀମୁଣ୍ଡା କଲେଜ ଓଡ଼ିଆ ଅଧ୍ୟାପକ ଡ. ଜଗନ୍ନାଥ ସାହୁ, ସି‌ନ୍ଧେକେଲା ପଲ୍ଲୀଶ୍ରୀ କଲେଜ ଓଡ଼ିଆ ଅଧ୍ୟାପକ ଡ. ଜୟପ୍ରକାଶ ମିଶ୍ର ଓ ଗୌଡ଼ଗୋଠ ହାଇସ୍କୁଲର ପ୍ରଧାନଶିକ୍ଷକ ପ୍ରେମରାଜ ପ୍ରଧାନ ମାନପତ୍ର ପାଠ କରିଥିଲେ। ଏହି ଅବସରରେ ସ୍ୱର୍ଗତ କବି ବିଧୁଭୂଷଣ ଗୁରୁଙ୍କ ଛାତ୍ର ତୁଳସୀ ଜୈନ, ପ୍ରାଣବନ୍ଧୁ ନାୟକ, ଡ. ଅଭିମନ୍ୟୁ ମିଶ୍ର, ପ୍ରଫେସର ଡ. ସନ୍ତୋଷ ରଥ ପ୍ରମୁଖ ସ୍ୱର୍ଗତ ଗୁରୁଙ୍କୁ ଶବ୍ଦ ଶ୍ରଦ୍ଧାଞ୍ଜଳି ଅର୍ପଣ ପୂର୍ବକ ତାଙ୍କର ସ୍ମୃତିଚାରଣ କରିଥିଲେ। ମୁଖ୍ୟଅତିଥି ପ୍ରଫେସର ମହାପାତ୍ର ସ୍ମୃତି ପରିଷଦ ବିଧୁଭୂଷଣ ଗୁରୁଙ୍କ ଜୟନ୍ତୀ ପାଳନ ପୂର୍ବକ ପୂଜ୍ୟପୂଜା କରୁଥିବାରୁ ସାଧୁବାଦ ଜଣାଇଥିଲେ। ପୂଜ୍ୟପୂଜା କରାଯିବା ଦ୍ୱାରା ଗୋଟିଏ ଜାତିର ପରିଚୟ ସୃଷ୍ଟିହୁଏ ବୋଲି ସେ କହିଥିଲେ। ମୁଖ୍ୟବକ୍ତା ବିଧୁଭୂଷଣ ଗୁରୁଙ୍କୁ ଏକ ବହୁମୁଖୀ ପ୍ରତିଭା ବୋଲି ଅଭିହିତ କରି ତାଙ୍କ ସାହିତ୍ୟ ଓ ପ୍ରତିଭାର ବିଭିନ୍ନ ଦିଗ ଉପରେ ଭାବଗର୍ଭକ ଅଭିଭାଷଣ ଦେଇଥିଲେ। କସ୍ତୁରୀ ରଥ ଧନ୍ୟବାଦ ଦେଇଥିଲେ। ସୂଚନାଯୋଗ୍ୟ ଯେ କବି ବିଧୁଭୂଷଣ ଗୁରୁ ୩ ଅକ୍ଟୋବର ୧୯୨୦ରେ ତୁଷରାଠାରେ ଜନ୍ମଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର