ମହିଳା ଭୋଟ୍ ବ୍ୟାଙ୍କ୍‌ ପାଇଁ ଟକରାଟକରି

ଗୋଷ୍ଠୀ ସଂଘର୍ଷରେ ସରପଞ୍ଚ ସମେତ ୩ ଆହତ, ବିଜେପି, ବିଜେଡି ସମର୍ଥକଙ୍କ ଥାନା ଘେରାଉ

ପୋଲସରା : ମତଦାନ ଦିନକ ପୂର୍ବରୁ ପୋଲସରା ବ୍ଲକ୍ କଳମ୍ବ ଗ୍ରାମରେ ମହିଳା ଭୋଟ୍ ବ୍ୟାଙ୍କ୍ ପାଇଁ ବିଜେଡି-ବିଜେପି ମଧ୍ୟରେ ଟକରାଟକରି ଆରମ୍ଭ ହୋଇଛି। ମଙ୍ଗଳବାର କଳମ୍ବ ଗ୍ରାମ ବଡ଼ନୂଆଗାଁ (ଲାଛୁଆପଲ୍ଲୀ) ସାହିର ଖଗେଶ୍ବର ସାହୁଙ୍କ ଘରେ ଦୁର୍ଗାଶ୍ରୀ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀର ବୈଠକ ଚାଲିଥିବା ଦୁଇ ଗୋଷ୍ଠୀ ଭିତରେ ସଂଘର୍ଷ ଘଟିଛି। ଏଥିରେ ବର୍ତ୍ତମାନର ସରପଞ୍ଚ ପ୍ରଶାନ୍ତ କୁମାର ପ୍ରଧାନଙ୍କ ସମେତ ୪ଜଣ ଆହତ ହୋଇଛନ୍ତି। ଖବର ମିଳିବା ସୁଦ୍ଧା, ଥାନା ଆଗରେ ବିଜେପି ଓ ବିଜେଡି ଶତାଧିକ ସମର୍ଥକ ଏକାଠି ହୋଇ ବିଷୋଦ୍‌ଗାର ଆରମ୍ଭ କରିଛନ୍ତି। ପୁଲିସ ପରିସ୍ଥିତି ଉପରେ ନଜର ରଖିଛି।

ମଙ୍ଗଳବାର ଅପରାହ୍‌ଣ ୪ଟାରୁ ୫ଟା ଭିତରେ ଦୁର୍ଗାଶ୍ରୀ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀର ଏକ ବୈଠକ ଖଗେଶ୍ବରଙ୍କ ଘରେ ଚାଲିଥିଲା। ଏଥିରେ ବର୍ତ୍ତମାନ ସରପଞ୍ଚ ପ୍ରଶାନ୍ତ ପ୍ରଧାନଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ। ଏହି ସମୟରେ ପ୍ରତିପକ୍ଷ ‌ଗୋ‌ଷ୍ଠୀର ତଥା ବିଜେଡିର କିଛି ସମର୍ଥକ ହଠାତ୍ ସେଠାରେ ପଶି ବୈଠକୁ ବିରୋଧ କରିଥିଲେ। ଏହା ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ହେଉଥିବା ଅଭିଯୋଗ କରିଥିଲେ। ଏପରିକି ସରପଞ୍ଚ ସେଠାରେ ମହିଳାମାନଙ୍କୁ ଗ୍ଲାସ୍ ଓ ଥାଳି ବାଣ୍ଟୁଥିଲେ। ଯାହାକୁ ନେଇ ବିଜେଡି ସମର୍ଥକମାନେ ଆପତ୍ତି ଉଠାଇଥିଲେ। କିନ୍ତୁ ବାର୍ଷିକ ହିସାବ ନେଇ ଆଲୋଚନା ପାଇଁ ବୈଠକ ଡକାଯାଇଥିବା ଗୋଷ୍ଠୀ ପକ୍ଷରୁ କୁହାଯାଇଥିଲା। ପରେ ଉଭୟ ଗୋଷ୍ଠୀ ଭିତରେ ଛକାପଞ୍ଝା ଆରମ୍ଭ ହୋଇଥିଲା। ପ୍ରତିପକ୍ଷ ଗୋଷ୍ଠୀର ଆକ୍ରମଣରେ ସରପଞ୍ଚ ପ୍ରଶାନ୍ତ କୁମାର ପ୍ରଧାନଙ୍କ ସମେତ ତାଙ୍କ ଭାଇ ପ୍ରଦ୍ୟୁମ୍ନ କୁମାର ପ୍ରଧାନ ଓ ପ୍ରତାପ କୁମାର ପ୍ରଧାନ ଆହତ ହୋଇଥିଲେ। ସେହିପରି ବିଜେଡି ସମର୍ଥକ କୃଷ୍ଣଚନ୍ଦ୍ର ପ୍ରଧାନ ଆହତ ହୋଇଥିଲେ। ଫ୍ଲାଗମାର୍ଚ୍ଚ ଚାଲିଥିବା ବେଳେ ପୁଲିସ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିଥିଲା।

ଏହି ଘଟଣାକୁ ନେଇ ଦୁର୍ଗାଶ୍ରୀ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀର ଏତଲା କ୍ରମେ ପୋଲସରା ଥାନାରେ କେସ୍ ନମ୍ବର ୭୯ ଅନୁସାରେ ମାମଲା ରୁଜୁ ହୋଇଥିବା ବେଳେ ଉତ୍ତେଜନା ଲାଗି ରହିଛି। ଶତାଧିକ ବିଜେପି ସମର୍ଥକ ଥାନା ଆଗରେ ରୁଣ୍ଡ ହୋଇ ପ୍ରତିବାଦ କରିଛନ୍ତି। ସେପଟେ ବିଜେଡିର ଶତାଧିକ ସମର୍ଥକ ବି ଏକାଠି ହୋଇଛନ୍ତି। ସରପଞ୍ଚ ପ୍ରଶାନ୍ତ କୁମାର ପ୍ରଧାନ ନିର୍ବାଚନ ଆଚରଣ ବିଧିର ଉଲ୍ଲଂଘନ କରିଥିବା ବିଜେଡି ଅଭି‌‌ଯୋଗ ଆଣିଛି।

ସମ୍ବନ୍ଧିତ ଖବର