ଚୌଦ୍ବାର ଜେଲ ପରିଦର୍ଶନ କଲେ ପୁଲିସ କମିସନର

ଚୌଦ୍ବାର : ନୂତନ ଭାବେ ଯୋଗଦେଇଥିବା କମିସନରେଟ ପୁଲିସ କମିସନର ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ ଆଜି ଚୌଦ୍ବାର ଜେଲ୍ ପରିଦର୍ଶନ କରିଛନ୍ତି। ସକାଳ ୯ଟାରେ କମିସନର ଚୌଦ୍ବାର ମଣ୍ତଳ କାରାଗାର ପରିଦର୍ଶନ କରିବା ସହ କଏଦୀଙ୍କ ବିଭିନ୍ନ ସୁବିଧା, ଅସୁବିଧା ପଚାରି ବୁଝିଥିଲେ। ପ୍ରାୟ ଦେଢ଼ ଘଣ୍ଟା କାଳ ସେ ଜେଲ୍‌ର ସୁରକ୍ଷା ତଥା ବିଭିନ୍ନ ବ୍ୟବସ୍ଥା ସଂପର୍କରେ ବିଭାଗୀୟ ଅଧିକାରୀଙ୍କଠାରୁ ଅବଗତ ହୋଇଥିଲେ।

ଉଲ୍ଲେଖଯୋଗ୍ୟ, ଚୌଦ୍ବାର ଜେଲ୍‌ରେ ବିଭିନ୍ନ ସମୟରେ ଅନିୟମିତତା, ନିଶା କାରବାର ତଥା କଏଦୀଙ୍କ ମଧ୍ୟରେ ମାରପିଟ୍‌ ଘଟଣା ସାମ୍ନାକୁ ଆସୁଛି। ଏପରିକି ବିଭିନ୍ନ ସମୟରେ କମିସନରେଟ୍ ପୁଲିସ ପକ୍ଷରୁ ଚଢ଼ଉ କରାଯାଇ ବିପୁଳ ପରିମାଣର ଅବକାରୀ ଜିନିଷ ଜବତ୍ କରାଯାଉଛି। ଜେଲ୍‌ରେ ଚାଲିଥିବା ଏପ୍ରକାର ବେଆଇନ କାର୍ଯ୍ୟ ସବୁବ‌େଳେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ନିକଟରେ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ର ଜେଲ୍ ପରିଦର୍ଶନ କରି ସୁରକ୍ଷା ବ୍ୟବସ୍ଥା ଯାଞ୍ଚ୍ କରିଥିଲେ। ଆଜି ନୂତନ କମିସନର ଡକ୍ଟର ଷଡ଼ଙ୍ଗୀ ଜେଲ୍‌ ଅଧୀକ୍ଷକଙ୍କ ସହିତ ଜେଲ୍‌ର ବିଭିନ୍ନ ୱାର୍ଡ ପରିଦର୍ଶନ କରିବା ସହ ଅନ୍ତେବାସୀଙ୍କ ସମସ୍ୟା, ‌ଦୈନିକ ରୁଟିନ୍‌ ଏବଂ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଥିଲେ। ଡକ୍ଟର ଷଡ଼ଙ୍ଗୀଙ୍କ ସହ କଟକ ଡିସିପି ଅଖିଳେଶ୍ବର ସିଂ, ଅତିରିକ୍ତ ଡିସିପି ତ୍ରିନାଥ ପଟେଲ, ସ୍ପେଶାଲ ସ୍କାର୍ଡ ଆଇଆଇସି ଅଜୟ କୁମାର ଦାସ, ଚୌଦ୍ବାର ଥାନା ଅଧିକାରୀ ପଦ୍ମନାଭ ପ୍ରଧାନଙ୍କ ସମେତ ୪ଟି ଜୋନ ଏସିପି ଏବଂ ୧୫ଟି ଥାନା ଆଇଆଇସି ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ଦୁଇ ମାସ ତଳେ ଯୋଗ ଦେଇଥିବା ଜେଲ୍‌ ଅଧୀକ୍ଷକ ପ୍ରଦୀପ୍ତ ବେହେରାଙ୍କୁ ଅଚାନକ ବଦଳି କରାଯାଇଛି। ତାଙ୍କ ସ୍ଥାନରେ ନୂତନ ଅଧୀକ୍ଷକ ଭାବେ ଦୁଇ ଦିନ ତଳେ ରାଜକୁମାର ସାହୁଙ୍କୁ ଅବସ୍ଥାପିତ କରାଯାଇଛି।

ସମ୍ବନ୍ଧିତ ଖବର