ମୁଖ୍ୟମନ୍ତ୍ରୀଙ୍କ ଭାବମୂର୍ତ୍ତିକୁ ପୁଲିସ ବିପଦ, ହୁଗୁଳାପଣ ଜଳଜଳ

କେଉଁଠି ଅପରାଧୀଙ୍କୁ ଅମାନବୀୟ ଆଚରଣ, କେଉଁଠି ପୁଲିସ ଉପସ୍ଥିତିରେ ଅଭାବନୀୟ କାଣ୍ଡ
ହାଇଦରଠାରୁ ପରୀ, ସବୁଠି ବିବାଦରେ ପୁଲିସ ଭୂମିକା

ଭୁବନେଶ୍ବର : କଟକ ବଡ଼ ମେଡିକାଲରୁ ଦୁର୍ଦାନ୍ତ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ହୋଇଯିବା ଘଟଣା ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି। ଏହି ଘଟଣାରେ ପୁଲିସର ଭୂମିକା ଆଦୌ ସନ୍ଦେହ ମୁକ୍ତ ନୁହେଁ। କେଉଁ ପରିସ୍ଥିତିରେ ଗ୍ୟାଙ୍ଗଷ୍ଟର ହାଇଦର ପାଇଁ ବାହାରୁ ବିରିଆନି ଆସୁଥିଲା, କିଏ ଆଣୁଥିଲା, କାହା ଫୋନ୍ ସେ ବ୍ୟବହାର କରୁଥିଲା, ଏହି ଘଟଣା ବରିଷ୍ଠ ଅଧିକାରୀଙ୍କ ନଜରକୁ ଆସିଥିଲା ନା ନାହିଁ, କାହିଁକି ତା ହାତରେ ହ୍ୟାଣ୍ଡକପ୍ ନଥିଲା, କେଉଁ ବରିଷ୍ଠ ଅଧିକାରୀ ତା ଉପରେ ନଜର ରଖିଥିଲେ ନା ତଳିଆ କନଷ୍ଟେବଳଙ୍କ ହାତରେ ଏହି ଦୁର୍ଦାନ୍ତ ଗ୍ୟାଙ୍ଗଷ୍ଟରର ସୁରକ୍ଷା ଛାଡ଼ିଦେଇ ସମସ୍ତେ ନିଶ୍ଚିନ୍ତରେ ବସିଥିଲେ, ଏମିତି ମାଳ ମାଳ ପ୍ରଶ୍ନ ଏବେ ରାଜରାସ୍ତାରେ ଆଲୋଚନା ହେଉଛି।

ଫେରାର ପରେ ପୁଲିସ ବିଭାଗର ସବୁ ବରିଷ୍ଠ ପଦାଧିକାରୀମାନେ ଗିରଫ ପାଇଁ ତନାଘନା ଚଲାଇଥିଲେ ହେଁ, ହାଇଦର ଭଳି ଜଣେ ଦୁର୍ଦାନ୍ତ ଆସାମୀ ଫେରାର ଘଟଣା କେଉଁଠି ନା କେଉଁଠି ସଙ୍କେତ ଦେଉଛି ଯେ ପୁଲିସ ବିଭାଗରେ ସବୁକିଛି ଠିକ୍ ଠାକ୍ ଚାଲିନାହିଁ। କେବଳ ସେତିକି ନୁହେଁ, ରାଜନୈତିକ ମହଲରେ ଏକଥା ବି ଚର୍ଚ୍ଚା ଆରମ୍ଭ ହେଲାଣି ଯେ ବାସ୍ତବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭାବମୂର୍ତ୍ତି ଖରାପ ପଛରେ ପୁଲିସର ଅବଦାନ ବର୍ତ୍ତମାନ ବେଶୀ। ଏଠାରେ ନବୀନଙ୍କ ‘୫ଟି’, ‘ମୋ ସରକାର’ ମନ୍ତ୍ର ସବୁ ଯେମିତି ଅକାମୀ ହୋଇପଡ଼ିଛି।

ଏମିତିରେ ବି ଗତ କିଛିମାସ ଧରି ବିଭିନ୍ନ ସଙ୍ଗିନ୍ ମାମଲାରେ ପୁଲିସର ଆଚରଣ ଓ ଉଚ୍ଚାରଣ ବିବଦମାନ ସ୍ଥିତିରେ ଥିଲା। ନିକଟରେ ଗୃହ ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ଶ୍ବେତପତ୍ରରେ କୁହାଯାଇଛି ଯେ ରାଜ୍ୟରେ ଅପରାଧ ବୃଦ୍ଧି ଘଟିଛି ଓ ଦୁଷ୍କର୍ମ ଭଳି ମାମଲା ବେଶୀ ବଢ଼ିଛି। ସାଇବର ଲୁଟ୍ ଠାରୁ ଆରମ୍ଭ କରି ହତ୍ୟାକାଣ୍ଡ ମାମଲା ବି।

ନୟାଗଡ଼ ପରୀ ହତ୍ୟା ମାମଲାରେ ପୁଲିସର ତଦନ୍ତ ପ୍ରକ୍ରିୟାକୁ ନେଇ ସରକାର ଢେର୍ ଅପମାନ ସହିଛନ୍ତି। ସାଧାରଣ ଲୋକଙ୍କ ଅଭିଯୋଗକୁ ସର୍ବାଧିକ ଗୁରୁତ୍ବ ଦେବା ଲାଗି ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଥିଲେ ହେଁ, ପରୀ ପରିବାରରେ ଜିଲ୍ଲା ପୁଲିସର ଭୂମିକା ପ୍ରମାଣିତ କରିଦେଇଥିଲା ଯେ ଗୋଟିଏ ନାବାଳିକା ଛୋଟ ଝିଅର ଅପହରଣ ଭଳି ସାଂଘାତିକ ମାମଲାକୁ କେତେ ହାଲୁକା ଭାବେ ପୁଲିସ ନିଏ। ସରକାର ଏହି ଘଟଣାରେ ବିଳମ୍ବରେ ନୟାଗଡ଼ ପୁଲିସ ବିରୋଧରେ ଯେଉଁ କାର୍ଯ୍ୟାନୁଷ୍ଠାନ ନେଲେ, ତାହା କିନ୍ତୁ ପୁଲିସ ପ୍ରଶାସନର ବାକି ଅଧିକାରୀଙ୍କୁ ସତର୍କ କରିପାରିନାହିଁ।

ଏମିତି ଅନେକ ଘଟଣା ଇତିମଧ୍ୟରେ ସାମ୍ନାକୁ ଆସିଛି। ଯାଜପୁର ଜିଲ୍ଲାର ପିହୁ ମାମଲା ସେମିତି ଏକ ପ୍ରସଙ୍ଗ। ଅପହରଣର ୯ମାସ ପରେ ବି ବିଞ୍ଝାରପୁର ପୁଲିସ ପ୍ରଶାସନ ନ୍ୟାୟ ଦେଇପାରିନି ଓ ଏସ୍‌ପି, ଡିଆଇଜି ପ୍ରମୁଖ ଏହି ଘଟଣାରେ ଯେଭଳି ତନାଘନା କରିବା କଥା ତାହା ଦେଖାଯାଇନାହିଁ। ବରଂ ଯାଜପୁର ଜିଲ୍ଲା ପୁଲିସର ଆଉ ଗୋଟିଏ ଅଙ୍ଗ କିନ୍ତୁ ଭିନ୍ନ କାରଣ ପାଇଁ ସାରାରାଜ୍ୟରେ ବେଶ୍ କିଛି ସମୟ ପାଇଁ ଆଲୋଡ଼ନ ସୃଷ୍ଟି କରିଥିଲା। ଶୃଙ୍ଖଳାକୁ ଦଳଚକଟି ପାଣିକୋଇଲି ପୁଲିସ ନାଗିନ୍ ଗୀତରେ ନାଚିବା ଓ ଏହି ଭିଡ଼ିଓ ଭାଇରାଲ୍ ହେବା ଘଟଣା ଦର୍ଶାଇ ଦେଇଛି ଯେ ଜିଲ୍ଲା ପୁଲିସ ନେତୃତ୍ବ କେଉଁ ରାସ୍ତାରେ। ଏହି ଘଟଣାରେ ଜଣେ ଏଏସ୍‌ଆଇଙ୍କୁ ନିଲମ୍ବିତ କରି ପୁଲିସ ପ୍ରଶାସନ ନିଜ ଦାୟିତ୍ବ ଝାଡ଼ିଦେଇଛି।

କେବଳ ଯାଜପୁର କାହିଁକି କଟକ ଗ୍ରାମାଞ୍ଚଳ, ବାଲେଶ୍ବର, ମୟୂରଭଂଜ ଜିଲ୍ଲା ପୁଲିସ ବି ନବୀନଙ୍କୁ କିଛି କମ୍ ବଦନାମ୍ ଦେଇନି। ଗତ ୬ ତାରିଖ ରାତିରେ ବାଲେଶ୍ବର ରେମୁଣା ଥାନାରେ ଯେଭଳି କିଛି ଅସମାଜିକ ଲୋକ ହାତରେ ଖଣ୍ଡା, କାତି ଆଦି ମାରଣାସ୍ତ୍ର ଧରି ଆଇଆଇସି ଓ ଥାନା କର୍ମଚାରୀଙ୍କ ସାମ୍ନାରେ ସ୍ଥାନୀୟ ମାଧିପୁର ଅଞ୍ଚଳର ରଘୁନାଥ ସାହୁଙ୍କ ପରିବାର ଉପରେ ଆକ୍ରମଣ କଲେ, ତାହା କିଛି ଚଳଚ୍ଚିତ୍ର ଦୃଶ୍ୟଠାରୁ କମ୍ ନଥିଲା। ପୁଲିସ ଓ ଆଇନ ପ୍ରତି ଯେ ସର୍ବନିମ୍ନ ଭୟ ଆଉ ନାହିଁ ଏହା ତାର ଏକ ଜ୍ବଳନ୍ତ ପ୍ରମାଣ। ସବୁଠାରୁ ବଡ଼ କଥା ହେଲା, ଏତେ ବଡ଼ ଘଟଣାରେ ପୁଲିସ ବିଭାଗର କୌଣସି ଜଣେ ବି ବଡ଼ ଅଧିକାରୀ ସଂପୃକ୍ତ ଥାନାକୁ ଯାଇ ତନାଘନା କଲେନି କିମ୍ବା କିଛି ବି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ହେଲାନାହିଁ।

ମୟୂରଭଞ୍ଜ ଶରତ ଥାନାର ଆଇଆଇସି ରୀନା ବକ୍ସଲା ହେଲ୍‌ମେଟ୍ ଚେକିଂ ଆଳରେ ଯେଭଳି ଅମାନବୀୟ ଘଟଣା ରଚାଇଲେ, ତାହା ବି ବିଚଳିତ କଲାଭଲି ଏକ ପ୍ରସଙ୍ଗ। ହେଲ୍‌ମେଟ୍ ଚେକିଂ ଓ ମାକ୍ସ ଚେକିଂ ଆଳରେ ପୁଲିସ ଯେମିତି ସରକାରଙ୍କ ପାଇଁ ରାଜସ୍ବ ଆଦାୟକୁ ନିଜର ପ୍ରମୁଖ ଦାୟିତ୍ବ ବୋଲି ଭାବିନେଲେଣି। ନିକଟରେ କେତୋଟି ଏମିତି ଉଦାହରଣ ସରକାରଙ୍କ ପାଇଁ ବିପଜ୍ଜନକ ହୋଇଛି ଓ ଢେର୍ ନିନ୍ଦା ଗୋଟାଇଛି। ସରକାର ସଂପୃକ୍ତ ଆଇଆଇସିଙ୍କୁ ନିଲମ୍ବିତ କରିଥିଲେ ହେଁ, ଏହି ପ୍ରସଙ୍ଗଟି ସାମାଜିକ ଗଣମାଧ୍ୟମରେ ଆଜି ବି ଦ୍ରୁତ ବେଗରେ ଘୂରି ବୁଲୁଛି।

ପୁଲିସର ବିବାଦୀୟ ଭୂମିକାରୁ ରାଜଧାନୀ ଭୁବନେଶ୍ବର ବି ମୁକ୍ତ ନୁହେଁ। ସନ୍ଧ୍ୟାରେ ନୂଆପଲ୍ଲୀ ଥାନାରେ କିଛି ଉଦ୍‌ଭ୍ରାନ୍ତ ଯୁବ ଗୋଷ୍ଠୀ ଜଣକଙ୍କ ଘରେ ପଶି ଆକ୍ରମଣ କଲେ। ଅଥଚ ଏହି ଘଟଣାରେ କମିସନରେଟ୍ ପୁଲିସ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାରେ ବିଫଳ ହେଲା, ଯଦିଓ ସେମାନେ ଅଚିହ୍ନା ମୁହଁ ନଥିଲେ। ଏହି ଘଟଣା ପଛରେ ଉଦ୍ଦେଶ୍ୟ ଯାହା ଥାଉନା କାହିଁକି, ସନ୍ଧ୍ୟାରେ ପୁଲିସ ଉପସ୍ଥିତିରେ ଆଇନଶୃଙ୍ଖଳାକୁ ବେଫିକର ଭାବେ ହାତକୁ ନେବାକୁ କେହି ପଛଘୁଞ୍ଚା ଦେଉନାହାନ୍ତି, ଏହା ତାହାର ଆଉ ଏକ ନମୁନା। କଟକ ମାହାଙ୍ଗା ଡବଲ୍ ମର୍ଡର ଘଟଣା ଓ ପରେ ଜଣେ ଅଭିଯୁକ୍ତର ମୃତ୍ୟୁ ପ୍ରସଙ୍ଗ ବି ଲୋକଙ୍କ ସନ୍ଦେହ ଉର୍ଧ୍ବରେ ନାହିଁ।

ରାଉରକେଲାରୁ ରାଜଧାନୀ, ଉତ୍ତର ଓଡ଼ିଶାରୁ ଦକ୍ଷିଣ ଓଡ଼ିଶାର ଏଭଳି ପୁଳା ପୁଳା ଉଦାହରଣରୁ ପୁଲିସ ନେତୃତ୍ବରେ ହୁଗୁଳାପଣ ବାରି ହୋଇପଡ଼ିଲେଣି। ପୁଲିସ ମହାନିର୍ଦେଶକ ଅଭୟ ମାଓ ଦମନ ଲାଗି ଯେଭଳି ପାଗ ଭିଡ଼ିଛନ୍ତି, ବାରମ୍ବାର ମାଲକାନଗିରି ସ୍ବାଭିମାନ ଅଞ୍ଚଳ ଆଦିକୁ ଗସ୍ତ କରୁଛନ୍ତି, ଆଇନଶୃଙ୍ଖଳା କ୍ଷେତ୍ରରେ ସେଭଳି ଉଦାହରଣ ସୃଷ୍ଟି କରିପାରିନାହାନ୍ତି, ଏକଥା ଏବେ ସବୁଠାରେ ଆଲୋଚନାର ବିଷୟ ହୋଇଛି।

ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ହାତରେ ଗୃହ ବିଭାଗ ରହିଛି। ପୁଲିସ ଯେତେ ଭୁଲ କାମ କରିବ, ସେଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଆଙ୍ଗୁଠି ଉଠିବ। ଏସବୁ ଜାଣିବି ପୁଲିସ ଏଭଳି କରୁଛି କେମିତି?

ସମ୍ବନ୍ଧିତ ଖବର