କୋରାପୁଟ ଗସ୍ତରେ ପୁଲିସ ମହାନିର୍ଦ୍ଦେଶକ: ନିର୍ବାଚନରେ ଆଇନଶୃଙ୍ଖଳା ପରିସ୍ଥିତି ଓ ମାଓ ଗତିବିଧିର ସମୀକ୍ଷା କଲେ

କୋରାପୁଟ: ପୁଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ ଆଜି କୋରାପୁଟ ଗସ୍ତରେ ଆସି ନିର୍ବାଚନରେ ଆଇନଶୃଙ୍ଖଳା ପରିସ୍ଥିତି, ମାଓ ଗତିବିଧିର ସମୀକ୍ଷା କରିଥିବା ଜଣାଯାଇଛି। ଆଜି ସକାଳ ୯.୧୫ ମିନିଟରେ ହେଲିକପ୍ଟର ଯୋଗେ ଆସି ପୁଲିସ ମହାନିର୍ଦ୍ଦେଶକ କୋରାପୁଟ ଦକ୍ଷିଣ ପଶ୍ଚିମାଞ୍ଚାଳ ଡିଆଇଜିଙ୍କ କାର୍ଯ୍ୟାଳୟରେ ଆଇନଶୃଙ୍ଖଳା ସ୍ଥିତିର ସମୀକ୍ଷା କରିଛନ୍ତି। ଅବିଭକ୍ତ କୋରାପୁଟ ଜିଲ୍ଲାରେ ଆଇନଶୃଙ୍ଖଳା ସ୍ଥିତି ନିୟନ୍ତ୍ରଣ ଭିତରେ ରହିଛି। ନକ୍ସଲ ଗତିବିଧି ଉପରେ ନଜର ରହିଛି ବୋଲି କହିଛନ୍ତି ପୁଲିସ ଡିଜି।

ଗତ ପଞ୍ଚାୟତ ନିର୍ବାଚନ ଭଳି ଆସନ୍ତା ୨୪ ତାରିଖ ପୌର ନିର୍ବାଚନରେ ମଧ୍ୟ କିଭଳି ସୁରୁଖୁରୁରେ ମତଦାନ ହେବ ସେ ନେଇ ସମୀକ୍ଷା କରିଛନ୍ତି। ଏହି ସମୀକ୍ଷା ବୈଠକରେ ଡିଜିଙ୍କ ସହ ଗସ୍ତରେ ଥିବା ସ୍ପେସାଲ ଡିଜି ଏମ କେ ଛାବ୍ରା, ଗୁଇନ୍ଦା ନିର୍ଦେଶକ ଲଳିତ ଦାସ, ଆଇଜି ଅପରେସନ ଅମିତାଭ ଠାକୁରଙ୍କ ସମେତ ବିଏସଏଫ ଆଇଜି ଦକ୍ଷିଣ ପଶ୍ଚିମାଚଳ ଡିଆଇଜି, କୋରାପୁଟ ଏସପି ଓ ବିଏସଏଫ ଆଇ ଜି, ଡିଆଇଜି ଗସ୍ତରେ ଥିବା ରାଜ୍ୟର ବରିଷ୍ଠ ପୁଲିସ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହାପରେ ପୁଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ ଓଏସଏପି ତୃତୀୟ ବାଟାଲିୟନ ପରିଦର୍ଶନ କରିଥିଲେ। ତାପରେ ଏସଓଜି ଓ ପୁଲିସ ରିଜର୍ଭ କାର୍ଯ୍ୟାଳୟ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଥିଲେ।
କୋରାପୁଟରେ ସମୀକ୍ଷା କରିବା ପରେ ପ୍ରଥମେ ନବରଂଗପୁର ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମରେ ଯାଇଛନ୍ତି ପୁଲିସ ଡିଜି। ସେଠାରୁ ରାୟଗଡ଼ ଜିଲ୍ଲା ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧିତ ଖବର