ପୁଲିସ ଡିଜି ସୁନୀଲ ବଂଶଲଙ୍କ କନ୍ଧମାଳ, ଲାଲଗଡ଼ ଗସ୍ତ: ରୁଦ୍ଧଦ୍ବାର ବୈଠକରେ ଯୋଗଦେଲେ ୫ଜଣ ଏସ୍‌ପି

ମାଓ ମୁକାବିଲା, ପଞ୍ଚାୟତ ନିର୍ବାଚନ ‌ପାଇଁ ସ୍ବତନ୍ତ୍ର ରଣନୀତି

ଫୁଲବାଣୀ : କନ୍ଧମାଳ ଜିଲ୍ଲାରେ ମାଓବାଦୀମାନେ ଲଗାତାର ହିଂସାକାଣ୍ଡ ଘଟାଇବା ପରେ ଶୁକ୍ରବାର ଦିନ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ (ଡିଜି) ଏଠାକୁ ଆସି ପରିସ୍ଥିତିର ସମୀକ୍ଷା କରିଛନ୍ତି। ଏ ସମ୍ପର୍କିତ ଏକ ରୁଦ୍ଧଦ୍ବାର ଆଲୋଚନ‌ାରେ ଅଂଶଗ୍ରହଣ କରିଛନ୍ତି। ମାଓବାଦୀଙ୍କ ମୁକାବିଲା ଏବଂ ଚଳିତ ପଞ୍ଚାୟତ ନିର୍ବାଚନରେ ସ୍ବତନ୍ତ୍ର ରଣନୀତି ସମ୍ପର୍କରେ ଆଲୋଚନା କରାଯାଇଥିବା ବିଶେଷସୂତ୍ରରୁ ଜଣାପଡ଼ିଛି।

ଶୁକ୍ରବାର ଦିନ କନ୍ଧମାଳ ଏସ୍‌.ପିଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଡିଜି ଶ୍ରୀ ବଂଶଲଙ୍କ ସମେତ ଗୁଇନ୍ଦା ନିର୍ଦ୍ଦେଶକ ଲଳିତ ଦାସ, ସ୍ବତନ୍ତ୍ର ଡିଜି(ଏସ୍‌ଏପି) ମନୋଜ କୁମାର ଛାବ୍ରା, ଆଇଜି ବିଏସ୍‌ଏଫ୍‌ ଏସ୍‌. ବୁଢ଼ାକୋଥି, ଆଇଜି(ଅପରେସନ)ଅମିତାଭ ଠାକୁର, ଆଇଜି (ଉତ୍ତରାଞ୍ଚଳ)ଦୀପକ କୁମାର, ଆଇଜି(ଦକ୍ଷିଣାଞ୍ଚଳ) ସତ୍ୟବ୍ରତ ଭୋଇ, ଡିଆଇଜି ଅନିରୁଦ୍ଧ ସିଂ, କଳାହାଣ୍ଡି ଏସ୍‌.ପି ଶ୍ରବଣ ବିବେକ, ବରଗଡ଼ ଏସ୍‌.ପି ରାହୁଲ ଜୈନ, ବଲାଙ୍ଗୀର ଏସ୍‌.ପି ନୀତିନ କୁଶଳକର, ବୌଦ୍ଧ ଏସ୍‌.ପି ଜ୍ଞାନରଂଜନ ମହାନ୍ତି, କନ୍ଧମାଳ ଏସ୍‌.ପି ବିନୀତ ଅଗ୍ରୱାଲ ଓ ବାଲିଗୁଡ଼ା ଏସ୍‌ଡିପିଓ ଜି. ରାଘବେନ୍ଦ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସୂଚନା ଅନୁସାରେ, କନ୍ଧମାଳ ସମେତ ପଡ଼ୋଶୀ ଜିଲ୍ଲାମାନଙ୍କରେ ମାଓବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଉଥିବାରୁ ଏହାର ସଫଳ ମୁକାବିଲା ସହ ଆଗାମୀ ପଞ୍ଚାୟତ ନିର୍ବାଚନର ସଫଳ ପରିଚାଳନା ନେଇ ଆଜିର ବୈଠକରେ ଆଲୋଚନା ହୋଇଥିଲା। ଏହି ପାଞ୍ଚଟି ଜିଲ୍ଲାରେ କେକେବିଏନ୍‌ ମାଓ ଡିଭିଜନର ମାଓନେତାମାନେ ଯେଉଁଭଳି ଭାବେ ସକ୍ରିୟ ହୋଇ ପଡ଼ିଛନ୍ତି। ଏହାର ମୁକାବିଲା ପାଇଁ ଏକ ମିଳିତ ରଣକୌଶଳ କରାଯାଇଛି। ଏହି ୫ଟି ମାଓ ଉପଦ୍ରୁତ ଜିଲ୍ଲାର ଏସ୍‌.ପିମାନେ ମିଳିତ ଭାବେ ମାଓ ମୁକାବିଲା କରିବେ ବୋଲି ଡିଜି ସୂଚନା ଦେଇଛନ୍ତି। ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ ପରିଚାଳନା କରିବା ପୁଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ଏବଂ ଏ ନେଇ ଆଜିର ବୈଠକରେ ସ୍ବତନ୍ତ୍ର ଆକ୍ସନ ପ୍ଲାନ୍‌ ପ୍ରସ୍ତୁତ ହୋଇଛି ବୋଲି ଡିଜି ସୂଚନା ଦେଇଛନ୍ତି। ଯେଉଁସବୁ ଅଞ୍ଚଳ ବେଶୀ ମାତ୍ରାରେ ମାଓ ପ୍ରଭାବିତ, ସେସବୁ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯିବା ସହ କମ୍ବିଂ ଅପରେସନକୁ ଜୋରଦାର କରାଯିବ। ସାଧାରଣ ଲୋକେ ଭୟ ତ୍ୟାଗ କରି ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟାରେ ସାମିଲ ହେବାକୁ ପୁଲିସ ମହାନିର୍ଦ୍ଦେଶକ ଆହ୍ବାନ୍ ଜଣାଇଛନ୍ତି।

ସମ୍ବନ୍ଧିତ ଖବର