ପୁଲିସ ଡିଜିଙ୍କ ନିର୍ଦ୍ଦେଶ : ୮ ଘଣ୍ଟାରୁ ଅଧିକ ହେବନାହିଁ ବାବୁଙ୍କ ଡ୍ୟୁଟି

କର୍ମଚାରୀଙ୍କ ଅଫିସ୍‌ ଆସିବା କଟକଣା ଏପ୍ରିଲ୍‌ ୧୪ ପର୍ଯ୍ୟନ୍ତ ବୃଦ୍ଧି

କଟକ : ଲକଡାଉନ ସମୟରେ ଆଠ ଘଣ୍ଟାରୁ ଅଧିକ ସମୟ ଟପିବ ନାହିଁ ପୁଲିସ ବାବୁଙ୍କ ଡ୍ୟୁଟି। ପ୍ରତ୍ୟେକ ପୁଲିସ ଅଫିସର ଓ କର୍ମଚାରୀଙ୍କୁ ସପ୍ତାହରେ ଗୋଟିଏ ଦିନ ଛୁଟି ମିଳିବ। ଆଜି ଏ ସଂକ୍ରାନ୍ତରେ ପୁଲିସ ଡିଜି ଅଭୟ ପ୍ରତ୍ୟେକ ଜିଲ୍ଲା ଏସପି/ଡିସିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୧୪ ତାରିଖ ପରେ ମଧ୍ୟ ଲକ୍ ଡାଉନ ଜାରି ହେବାର ସମ୍ଭାବନା ରହିଛି। ସେଥିପାଇଁ ପୁଲିସ ଅଫିସରମାନେ ଯେଭଳି ବିଶ୍ରାମ ନେଇପାରିବେ, ସେଥିପ୍ରତି ଦୃଷ୍ଟି ଦେବାକୁ ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି।

ସୂଚନା ଅନୁଯାୟୀ, କରୋନାର ଭୟାବହତା ଦେଶରେ ବ୍ୟାପିବାକୁ ଲାଗିଥିବାରୁ ଗଲା ୨୨ ତାରିଖ ଜନତା କର୍ଫ୍ୟୁ ଜାରି ହୋଇଥିଲା। ପରେ ଆସନ୍ତା ଏପ୍ରିଲ ୧୪ ତାରିଖ ଯାଏ ଲକ୍‌ଡାଉନ ଘୋଷଣା କରାଯାଇଥିବାରୁ ଭିଡ଼ ନିୟନ୍ତ୍ରଣ ଓ ସୁରକ୍ଷା ବ୍ୟବସ୍ଥା ନିୟୋଜିତ ହୋଇଥିବା ପୁଲିସ ଅଫିସର ଓ କର୍ମଚାରୀ ଓଭର ଡ୍ୟୁଟି କରୁଥିବା ଘଟଣା ସାମ୍ନା‌କୁ ଆସିଥିଲା। ଏଭଳି ପ୍ରସଂଗକୁ ପୁଲିସ ଡିଜି ଗୁରୁତ୍ବର ସହିତ ଗ୍ରହଣ କରିଥିଲେ। ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଜିଲ୍ଲା ପୁଲିସ ଏସପି/ଡିସିପିଙ୍କ ସହିତ ଆଲୋଚନା କରିଛନ୍ତି। କ୍ଷେତ୍ରରେ ନିୟୋଜିତ ହୋଇଥିବା ପୁଲିସ ଅଫିସର ଓ କର୍ମଚାରୀଙ୍କ ପାଇଁ ଏକ ମାର୍ଗଦର୍ଶିକା ଜାରି କରିଛନ୍ତି। ନିଜ ଜିଲ୍ଲାର ପୁଲିସ ମୁଖ୍ୟ ଅଧସ୍ତନ କର୍ମଚାରୀଙ୍କ କାର୍ଯ୍ୟର ପୁନଃ ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯଥା ସମ୍ଭବ ସମସ୍ତ ପୁଲିସ ସପ୍ତାହକୁ ଯେଭଳି ଗୋଟିଏ ଦିନ ଛୁଟି ପାଇ ବିଶ୍ରାମ ନେବେ, ସେ ଦିଗକୁ ସୁନିଶ୍ଚିତ କରିବା ପାଇଁ ଡିଜି ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି।

କର୍ମଚାରୀଙ୍କ ଅଫିସ୍‌ ଆସିବା କଟକଣା ଏପ୍ରିଲ୍‌ ୧୪ ପର୍ଯ୍ୟନ୍ତ ବୃଦ୍ଧି
ଭୁବନେଶ୍ବର : କ୍ରିଟିକାଲ୍‌, ଆଂଶିକ କ୍ରିଟିକାଲ୍‌ ଓ ଅଣକ୍ରିଟିକାଲ୍‌ ବିଭାଗର କର୍ମଚାରୀଙ୍କ ଅଫିସ୍‌ ଆସିବା ନେଇ ସରକାର ସାନି ନିର୍ଦ୍ଦେଶନାମା ଜାରି କରିଛନ୍ତି। ଆସନ୍ତା ମାସ ୧୪ ତାରିଖ ମଧ୍ୟରାତ୍ରି ପର୍ଯ୍ୟନ୍ତ ଏହି ନିର୍ଦ୍ଦେଶନାମା ବଳବତ୍ତର ରହିବ। ତାଲାବନ୍ଦ ସମୟରେ କେଉଁ ବିଭାଗର ସରକାରୀ କର୍ମଚାରୀ ଅଫିସ ଆସିବେ ଓ ଆଉ କେଉଁ ବିଭାଗର କର୍ମଚାରୀମାନେ ଆଦୌ ଆସିବେ ନାହିଁ ସେ ନେଇ ଗତ ୨୨ ତାରିଖରେ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ପୂର୍ବ ବିଜ୍ଞପ୍ତି ଅନୁଯାୟୀ, ମାର୍ଚ୍ଚ ୨୯ ତାରିଖ ପର୍ଯ୍ୟନ୍ତ କ୍ରିଟିକାଲ୍‌ ବିଭାଗର କର୍ମଚାରୀ ନିୟମିତ ଅଫିସ ଆସିବା ସହ ଆଂଶିକ କ୍ରିଟିକାଲ୍‌ ବିଭାଗର କର୍ମଚାରୀ ଆବଶ୍ୟକତା ଅନୁଯାୟୀ ଆସିବେ ଏବଂ ଅଣକ୍ରିଟିକାଲ୍‌ ବର୍ଗର କର୍ମଚାରୀ ଆଦୌ ଅଫିସ ଆସିବେ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଥିଲା। ରବିବାର ପ୍ରକାଶିତ ବିଜ୍ଞପ୍ତିରେ ଏହି ଅବଧିକୁ ବୃଦ୍ଧି କରାଯାଇଛି।

ସମ୍ବନ୍ଧିତ ଖବର