୩୦୦ କିଲୋମିଟର ଚାଲି ଚାଲି ଆସିଲେ ୨ ଯୁବକ, ଖୋର୍ଦ୍ଧାରେ ପହଞ୍ଚାଇଲା ଗଞ୍ଜାମ ପୁଲିସ ପ୍ରଶାସନ

ଛତ୍ରପୁର : ଦେଶବ୍ୟାପୀ ଲକ୍‌ଡାଉନ୍ ପରେ ଯୋଗାଯୋଗର ମାଧ୍ୟମ ବନ୍ଦ ‌ହୋଇଯିବାରୁ ରାଜ୍ୟ ବାହାରେ ବିଭିନ୍ନ କର୍ମସଂସ୍ଥାନରେ ନିୟୋଜିତ ଯୁବକ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ନିରୁପାୟ ହୋଇ ସେମାନେ ପାଦରେ ଚାଲି ଚାଲି ଭିଟାମାଟିକୁ ଫେରୁଥିବା ଅନେକ ଘଟଣା ସାମ୍ନାକୁ ଆସିଲାଣି। ଏହି କ୍ରମରେ ଆନ୍ଧ୍ରପ୍ରଦେଶ ବିଶାଖାପାଟଣା ସହରରେ ଫସି ରହିଥିବା ଖୋର୍ଦ୍ଧା ଜିଲ୍ଲାର ୨ଯୁବକ ଦୀର୍ଘ ୩୦୦ କିଲୋମିଟର ଚାଲି ଚାଲି ଛତ୍ରପୁରସ୍ଥିତ ଗଞ୍ଜାମ ଏସ୍‌.ପି.ଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଛତ୍ରପୁର ଉପଖଣ୍ଡ ଡାକ୍ତରଖାନାରେ ୨ ଯୁବକଙ୍କ ପ୍ରାଥମିକ ଚିକିତ୍ସା ପରେ ପରିବହନ ବିଭାଗ ପକ୍ଷରୁ ସ୍ବତନ୍ତ୍ର ଗାଡ଼ିରେ ସେମାନଙ୍କୁ ଗନ୍ତବ୍ୟସ୍ଥଳକୁ ପଠାଯାଇଛି।

ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଗ୍ରାମର ରଞ୍ଜନ ଖଣ୍ତାଇ ଓ ଟାଙ୍ଗି ସ୍ଥିତ ଗୋପାଳପୁର ଗ୍ରାମର ଶଙ୍କର ବେହେରା ବିଶାଖାପାଟଣାର ଏକ ‌ଘରୋଇ କମ୍ପାନିରେ କାମ କରୁଥିଲେ। ହେଲେ ଦେଶବ୍ୟାପୀ ଲକ୍‌ଡାଉନ୍ ପରେ ବସ୍ ଓ ଟ୍ରେନ୍ ଚଳାଚଳ ବନ୍ଦ ହୋଇଯାଇଥିଲା। ଫଳରେ ଅନ୍ୟ କୌଣସି ଉପାୟ ନପାଇ ଗତ ୨୪ ତାରିଖରୁ ସେମାନେ ଚାଲି ଚାଲି ବିଶାଖାପାଟଣାରୁ ନିଜ ଘର ଅଭିମୁଖେ ବାହାରିଥିଲେ।

ଆଜି ମଧ୍ୟାହ୍ନରେ ଉଭୟ ଛତ୍ରପୁରସ୍ଥିତ ଗଞ୍ଜାମ ଏସ୍‌.ପି.ଙ୍କ କାର୍ଯ୍ୟାଳୟରେ ପହଞ୍ଚି ସହାୟତା ଲୋଡ଼ିଥିଲେ। ଡିଆଇବି ଡିଏସ୍‌ପି ଅଜୟ କୁମାର ମିଶ୍ର ସେମାନଙ୍କ ସମସ୍ତ ପରିଚୟପତ୍ର ଅନୁଧ୍ୟାନ କରିବା ସହ ତଥ୍ୟ ସଂଗ୍ରହ କରିଥିଲେ। ସଂଗେ ସଂଗେ ସେମାନଙ୍କୁ ଛତ୍ରପୁର ଡାକ୍ତରଖାନାକୁ ପଠାଯାଇଥିଲା। ଏହାପରେ ଗଞ୍ଜାମ ଆର୍‌ଟିଓ ସଞ୍ଜୟ କୁମାର ବିଶ୍ବାଳଙ୍କ ସହଯୋଗରେ ଉଭୟଙ୍କୁ ଗାଡ଼ି ଯୋଗେ ସେମାନଙ୍କ ଗ୍ରାମରେ ପହଞ୍ଚାଇବା ଲାଗି ପଦକ୍ଷେପ ନିଆଯାଇଛି। ୧୪ ଦିନ ସଙ୍ଗରୋଧ କକ୍ଷରେ ରହିବା ପାଇଁ ଡାକ୍ତର ସେମାନଙ୍କୁ ପରାମର୍ଶ ଦେଇଥିଲେ।

ସମ୍ବନ୍ଧିତ ଖବର