ମହାପ୍ରଭୁଙ୍କ ପାଣ୍ଠି ଘରୋଇ ବ୍ୟାଙ୍କରେ ରଖିବା ଘଟଣା : ସିଂହଦ୍ୱାର ଥାନାରେ ଏତଲା, ବିକ୍ଷୋଭ

ପୁରୀ : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଣ୍ଠିକୁ ଘରୋଇ ବ୍ୟାଙ୍କରେ ଜମା ରଖିବା ଘଟଣାକୁ ନେଇ ସହରରେ ବୁଦ୍ଧିଜୀବୀ ଓ ବିଭିନ୍ନ ସାମାଜିକ ସଂଗଠନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଆଜି ଏହାର ପ୍ରତିବାଦରେ ଶ୍ରୀ ଜଗନ୍ନାଥ ସେନା ପକ୍ଷରୁ ସିଂହଦ୍ବାରରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ମନ୍ଦିର ପ୍ରଶାସନ ବିରୋଧୀ ନାରା ଦେବ‌ା ସହିତ ସେନା ପକ୍ଷରୁ ମହାପ୍ରଭୁଙ୍କ ପାଣ୍ଠିର ସୁରକ୍ଷା ପାଇଁ ଦାବି ହୋଇଛି।

ଶ୍ରୀ ଜଗନ୍ନାଥ ‌ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକଙ୍କ ନେତୃତ୍ବରେ ସେନାର ସଦସ୍ୟମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଏ ନେଇ ସିଂହଦ୍ବାର ଥାନାରେ ଏତଲା ଦେଇଛନ୍ତି। ଘରୋଇ ବ୍ୟାଙ୍କରେ ଟଙ୍କା ଜମା କରିବା ପଛରେ କୋଟି କୋଟି ଟଙ୍କାର କିକବ୍ୟାକ୍ ହୋଇଥିବା ସେ ଅଭିଯୋଗ କରିଛନ୍ତି। ତେଣୁ ଏଥିରେ ସଂପୃକ୍ତ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କରିବା ସହିତ ଧାରା ୪୦୯, ୪୦୮, ୪୨୦, ୪୧୭, ୨୯୫, ୨୯୫(କ)ରେ ମାମଲା ରୁଜୁ କରିବାକୁ ସେନା ଦାବି କରିଛି। ଅଧିକାରୀମାନେ ନିଜ ପଦ ମର୍ଯ୍ୟାଦାର ଦୁରୁପଯୋଗ କରି ମହାପ୍ରଭୁଙ୍କ ପ‌ାଣ୍ଠିକୁ ଘରୋଇ ବ୍ୟାଙ୍କରେ ଜମା କରିଛନ୍ତି। ନିୟମାନୁସାରେ ପାଣ୍ଠିକୁ ରାଷ୍ଟ୍ରାୟତ୍ତ ବ୍ୟାଙ୍କ‌ରେ ରଖିବା କଥ‌ା, ମାତ୍ରା ତାହ‌ା ନ କରି ଏହାକୁ ମନ୍ଦ ଉଦ୍ଦେଶ୍ୟ ରଖି ଘରୋଇ ଏସ୍‌ ବ୍ୟାଙ୍କରେ ଜମା କାହିଁକି କରାଗଲା, ତା’ର ତଦନ୍ତ କରିବାକୁ ଦାବି ହୋଇଛି। ଏହି ଟଙ୍କା ଜମା କରିବାରେ ସଂପୃକ୍ତ ଅଧିକାରୀଙ୍କୁ ତୁରନ୍ତ ଗିରଫ କରିବାକୁ ଆବାହକ ଶ୍ରୀ ପଟ୍ଟନାୟକ ଏତଲାରେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର