ଷ୍ଟ୍ରଙ୍ଗରୁମ୍‌ରେ ସନ୍ଦିଗ୍ଧଙ୍କ ପ୍ରବେଶ ପରେ ଉତ୍ତେଜନା: ମୁଖ୍ୟ ଫାଟକ ବନ୍ଦ କଲା ପ୍ରଶାସନ

ଦଳୀୟ ପ୍ରତିନିଧିଙ୍କ ଉପସ୍ଥିତିରେ ଫାଟକ ଖୋଲାଯିବ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରସ୍ଥିତ ବିଜେବି କଲେଜରେ ଇଭିଏମ୍‌ ଥିବା ଷ୍ଟ୍ରଙ୍ଗରୁମରେ ସନ୍ଦିଗ୍ଧ ବ୍ୟକ୍ତିଙ୍କ ପ୍ରବେଶ ନେଇ ଶୁକ୍ରବାର ସନ୍ଧ୍ୟାରୁ ‌ଉତ୍ତେଜନା ଲାଗି ରହିଛି। ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବାରୁ କଲେଜ ସାମ୍ନାରେ ପୁଲିସ୍‌ ଫ୍ଲାଗ୍‌ମାର୍ଚ୍ଚ କରିଛି। ପୁଲିସ ଲାଠିଚାଳନା କରି ବିକ୍ଷୋଭକାରୀଙ୍କୁ ଘଉଡାଇଛି। ‌ଖୋର୍ଦ୍ଧା ଜିଲ୍ଲାପାଳ ସୂଚନା ଦେଇଛନ୍ତି ଯେ, ଉତ୍ତେଜନା ଦେଖାଦେବାରୁ ଜିଲ୍ଲା ପ୍ରଶାସନ ଭୋଟ ଗଣତି କେନ୍ଦ୍ରର ମୁଖ୍ୟ ଫାଟକ ବନ୍ଦ କରିଛନ୍ତି । ଫାଟକ ବାହାରେ ପୁଲିସ ମୁତୟନ କରାଯାଇଛି। ରାତିରେ ହେବାକୁ ଥିବା ଟେକନିକାଲ କାର୍ଯ୍ୟ ବନ୍ଦ କରାଯାଇଛି। ଶନିବାର ଦଳୀୟ ପ୍ରତିନିଧିଙ୍କ ଉପସ୍ଥିତିରେ ଫାଟକ ଖୋଲାଯିବ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ,ସନ୍ଧ୍ୟାରେ ବିଜେବି କଲେଜରେ ଥିବା ଷ୍ଟ୍ରଙ୍ଗ ରୁମରେ ଜଣେ ସନ୍ଦିଗ୍ଧ ପସିଥିବା ନେଇ ଚର୍ଚ୍ଚା‌ ହୋଇଥିଲା। ଏହାକୁ ନେଇ କେତେକ ବ୍ୟକ୍ତି ବିକ୍ଷୋଭ କରିବାରୁ ଉତ୍ତେଜନା ଦେଖାଦେଇଥିଲା। ବିକ୍ଷୋଭକାରୀଙ୍କ ଆକ୍ରମଣରେ ୨ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ଡିସିପି ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣକୁ ଆଣିବା ପାଇଁ ଉଦ୍ୟମ କରିଛନ୍ତି। କିନ୍ତୁ ଷ୍ଟ୍ରଙ୍ଗରୁମ୍‌ ବାହାରେ ଉତ୍ତେଜନା ଲାଗି ରହିଛି। ପୁଲିସ ଉପରକୁ ବିଜେପି କର୍ମୀମାନେ ପଥରମାଡ଼ କରିଥିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି। ପରିସ୍ଥିତି ଆୟତ୍ତ କରିବାକୁ ପୁଲିସ ମୃଦୁ ଲାଠିଚାଳନା କରିଛି। ବିକ୍ଷୋଭକାରୀଙ୍କ ଆକ୍ରମଣରେ ଯୁବକ ଜଣକ ଲହୁଲୁହାଣ ହୋଇଛନ୍ତି। ସଂପୃକ୍ତ ଯୁବକଙ୍କଠାରୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ ହୋଇଛି।

ବିଜେପି ଅଭିଯୋଗ କରିଛି ଯେ, ସନ୍ଦିଗ୍ଧ ଯୁବକ ଜଣକ ବିଜେଡି କର୍ମୀ।  ସଂପୃକ୍ତ ବ୍ୟକ୍ତିଙ୍କୁ କାବୁ କରି ପୁଲିସ ଜିମା ଦିଆଯାଇଛି। ତେବେ ନିର୍ବାଚନ ପରିଚାଳନା ପ୍ରକ୍ରିୟାରେ ବିଜେଡି କର୍ମୀ କେମିତି ସାମିଲ ହେଲେ ବୋଲି ବିଜେପି ପ୍ରଶ୍ନ କରିଛି।  ନିର୍ବାଚନ କମିଶନ ତଦନ୍ତ କରନ୍ତୁ ବୋଲି ବିଜେପି ନେତା ବାବୁ ସିଂ  ଦାବି କରିଛନ୍ତି। ବିଜେଡି ପକ୍ଷରୁ କୁହାଯାଇଛି ଯେ, ପୌର ନିର୍ବାଚନ ଫଳାଫଳ ପ୍ରକାଶ ପାଇବାକୁ ଯାଉଛି। ପରାଜୟ ଭୟରେ ବିଜେପି ହତାଶ ହୋଇ ଏଭଳି ଅଭିଯୋଗ କରୁଛି।

ପୌର ନିର୍ବାଚନ ପାଇଁ ଗୁରୁବାର ହୋଇଥିବା ଭୋଟଗ୍ରହଣର ଫଳାଫଳା ଶନିବାର ପ୍ରକାଶ ପାଇବ। ପୂର୍ବାହ୍ନରୁ ଭୋଟ ଗଣତି ଆରମ୍ଭ ହେବ। ରାଜ୍ୟର ୧୦୬ ବିଜ୍ଞାପିତ ଅଞ୍ଚଳ ପରିଷଦ ବ୍ୟତୀତ ଭୁବନେଶ୍ବର, କଟକ ଓ ବ୍ରହ୍ମପୁର ମହାନଗର ନିଗମରେ ମଧ୍ୟ ଭୋଟ ଗଣତି ହେବ। ତେବେ ଗଣତି ପୂର୍ବରୁ ଏଭଳି ଘଟଣାକୁ ନେଇ ତଦନ୍ତ ଜାରି ରହିଛି।

ସମ୍ବନ୍ଧିତ ଖବର