ବିବାହିତା ମହିଳାଙ୍କ ଝୁଲନ୍ତା ଶବ ଉଦ୍ଧାର, ହତ୍ୟା ଅଭିଯୋଗ କଲେ ବାପଘର ଲୋକ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ପୁଇଁତଲା ଥାନା ଖଇରଭାଡ଼ି ଗାଁର ଏକ ବରଗଛରୁ ବିବାହିତା ମହିଳା ଉର୍ମିଳା ଦାସଙ୍କ ଝୁଲନ୍ତା ଶବ ଉଦ୍ଧାର କରାଯାଇଛି। ତାଙ୍କୁ ହତ୍ୟା କରିବା ପରେ ଆତ୍ମହତ୍ୟାର ରୂପ ଦିଆଯାଇଛି ବୋଲି ବାପଘର ଲୋକେ ଅଭିଯୋଗ କରିଛନ୍ତି। ଏହି ଘଟଣା ପରେ ତାଙ୍କ ସ୍ବାମୀ ଚକାନନ୍ଦ ଦାସ ଫେରାର ହୋଇଯାଇଛନ୍ତି।
ପୁଲିସ ସୂତ୍ରରୁ ପ୍ରକାଶ ଯେ ୨୦‍୧୪ ମସିହାରେ ଖଇରଭାଡ଼ି ଗାଁର ଚକାନନ୍ଦ ଲରମ୍ଭା ଥାନା ଗେର୍ଡା ଗାଁର ତାଙ୍କ ମାମୁ ଝିଅ ଉର୍ମିଳାଙ୍କୁ ବିବାହ କରିଥିଲେ। ନିଜ ଭଣଜାକୁ ବାହା ଦେଇଥିବାରୁ ଝିଅ ସୁଖର ସଂସାର କରିବ ବୋଲି ଉର୍ମିଳାଙ୍କ ପରିବାର ଲୋକେ ଭାବିଥିଲେ। କିନ୍ତୁ ମଦ ପିଇ ଅତ୍ୟାଚାର ଆରମ୍ଭ କରିଦେଲେ ଚକାନନ୍ଦ। ଶୁକ୍ରବାର ଘର ଠାରୁ ଅଧ କିଲୋମିଟର ଦୂରରେ ଥିବା ଏକ ବରଗଛରେ ନିଜ ଶାଢ଼ିକୁ ବେକରେ ଦେଇ ଉର୍ମିଳା ଝୁଲୁଥିବା ଗାଁ ଲୋକେ ଦେଖିବାକୁ ପାଇଥିଲେ। ଖବର ପାଇ ପୁଇଁତଲା ପୁଲିସ ଶବକୁ ଉଦ୍ଧାର କରିବା ସହିତ ବ୍ୟବଚ୍ଛେଦ ପାଇଁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସପିଟାଲକୁ ପଠାଇ ଦେଇଛି। ମୃତ ଉର୍ମିଳାଙ୍କ ୫ବର୍ଷ ଓ ୬ ମାସର ଦୁଇ ଝିଅ ଅଛନ୍ତି। ଏନେଇ ପୁଲିସ ତଦନ୍ତ କରିବା ସହ ଫେରାର ଚକାନନ୍ଦଙ୍କୁ ଖୋଜୁଛି।

ସମ୍ବନ୍ଧିତ ଖବର