ପୁଲିସ ତଦନ୍ତ ଦୁର୍ବଳ : ଦୁଇ ବର୍ଷରେ ଗିରଫ ୨୪ ଲକ୍ଷ, ଦୋଷୀ ସାବ୍ୟସ୍ତ ମାତ୍ର ୧୭ ହଜାର

ଅବସରପ୍ରାପ୍ତ ପୁଲିସଙ୍କ ହାତରେ କେସ୍‌ ଡାଏରି

କଟକ: ରାଜ୍ୟରେ ପୁଲିସ ବାବୁ ତଦନ୍ତ ପ୍ରକ୍ରିୟାରେ ଦୁର୍ବଳ ହୋଇପଡ଼ିଲେଣି। ଅଧିକା˚ଶ ମାମଲାରେ କେସ୍‌ ଡାଏରି ନିଜେ ତଦନ୍ତକାରୀ ଅଧିକାରୀ ଲେଖୁନାହାନ୍ତି। ଅବସରପ୍ରାପ୍ତ ପୁଲିସ ଅଫିସରଙ୍କ ଦ୍ବାରା ଲେଖାଉଛନ୍ତି। ବିନା କ୍ଷେତ୍ର ପରିଦର୍ଶନରେ ଅନ୍ୟ ଜଣେ ଲେଖିବା ଦ୍ବାରା ତଦନ୍ତ ପ୍ରକ୍ରିୟାରେ ଗୁରୁତର ତ୍ରୁଟି ରହୁଛି। ଯଦ୍ବାରା ଦୋଷୀ ସାବ୍ୟସ୍ତ ହାର ସା˚ଘାତିକ ସ୍ଥିତିରେ ପହଞ୍ଚିଥିବା କୁହାଯାଉଛି। ରାଜ୍ୟରେ ଗତ ଦୁଇ ବର୍ଷରେ ଗିରଫ ହେଇଥିବା ୨୪ ଲକ୍ଷ ୧ ହଜାର ୪୬ ଅଭିଯୁକ୍ତଙ୍କ ମଧ୍ୟରୁ ୧ ଲକ୍ଷ ୨୬ ହଜାର ୯୬୦ ଜଣ ନିର୍ଦ୍ଦୋଷରେ କୋର୍ଟରୁ ଖଲାସ ହୋଇଛନ୍ତି। ମାତ୍ର ୧୭ ହଜାର ୭୩୨ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। ଅଧିକା˚ଶ ସାକ୍ଷୀଙ୍କୁ ପୁଲିସର ସୁରକ୍ଷା ମିଳୁନଥିବାରୁ ଜୀବନ ଭୟରେ କୋର୍ଟକୁ ମୁଦାଲାଙ୍କ ବିରୋଧରେ ସାକ୍ଷୀ ଦେବାକୁ ଯାଉନାହାନ୍ତି। ଏଭଳି କିଛି ପ୍ରମୁଖ କାରଣ ପାଇଁ ଦୋଷୀ ସାବ୍ୟସ୍ତ ହାର ହ୍ରାସ ଘଟୁଥିବା କୁହାଯାଉଛି।

ପୁଲିସ ବିଭାଗର ତଥ୍ୟ କହୁଛି, ୨୦୧୭ ବର୍ଷରେ ରାଜ୍ୟରେ ୧୧ ଲକ୍ଷ ୨ହଜାର ୩୬୬ ଅଭିଯୁକ୍ତଙ୍କୁ ବିଭିନ୍ନ ମାମଲାରେ ଗିରଫ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୧୧ ଲକ୍ଷ ୧୦ ହଜାର ୮ ଜଣ ପୁରୁଷ ଏବ˚ ୧୩ ଶହ ୫୮ ଜଣ ମହିଳା ଅଭିଯୁକ୍ତ। କୋର୍ଟ ମାମଲାର ଶୁଣାଣି କରି ୫ ହଜାର ୨୨୬ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିବାବେଳେ ୪୨ ହଜାର ୪ଶହ ୬୮ ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛି। ସେହିପରି ୨୦୧୬ ବର୍ଷରେ ୧୨ ଲକ୍ଷ ୮ ହଜାର ୬୮୦ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୧୨ ଲକ୍ଷ ୪ ହଜାର ୬୯୨ ଜଣ ପୁରୁଷ ଏବ˚ ୩ ହଜାର ୯୮୮ ଜଣ ମହିଳା। ମୋଟ କଏଦୀଙ୍କ ମଧ୍ୟରୁ ୧୨ ହଜାର ୫ଶହ ୬ ଜଣଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିବା ବେଳେ ୮୪ ହଜାର ୪୯୨ ଜଣଙ୍କୁ କୋର୍ଟ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ଏଭଳି ସ୍ଥିତିର ମୁକାବିଲା ପାଇଁ ଅପରାଧୀ ନିର୍ଦ୍ଦୋଷରେ ଖଲାସ ହୋଇଥିବା ମାମଲାର ସମୀକ୍ଷା କରାଯିବ। ଜିଲ୍ଲା ପବ୍ଲିକ ପ୍ରସିକ୍ୟୁଟରଙ୍କ ପକ୍ଷରୁ ନନ୍‌- କ୍ୟାଡର ପବ୍ଲିକ ପ୍ରସିକ୍ୟୁଟର ମାନଙ୍କର କାର୍ଯ୍ୟର ସମୀକ୍ଷା କରି ଅଭିଯୁକ୍ତ ଖଲାସ ହେଉଥିବା ମାମଲାରେ ପ୍ରସିକ୍ୟୁଟରମାନଙ୍କର ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଯୋଜନା କରାଯାଇଛି।

ଜଣେ ବରିଷ୍ଠ ପୁଲିସ ଅଫିସରଙ୍କ କହିବା ଅନୁଯାୟୀ, ଭାରତରେ ପୁଲିସ ଅଫିସରଙ୍କ ସ˚ଖ୍ୟା ୧ ଲକ୍ଷ ଲୋକରେ ୧୨୫। ଓଡ଼ିଶା କ୍ଷେତ୍ରରେ ମାତ୍ର ୯୮ ପୁଲିସ। ୧୫ ପ୍ରତିଶତ ପୁଲିସ ପଦବି ଖାଲି ପଡ଼ିଛି। ଅନ୍ୟପଟେ ପୁଲିସ ଅଫିସର ଚାକିରି ପାଇଲା ମାତ୍ରେ ଟ୍ରେନି˚ ଛଡ଼ା ଇନ୍‌ସର୍ଭିସ ଟ୍ରେନି˚ ଜରୁରି। ପୁଲିସ ବିଭାଗ ପକ୍ଷରୁ ଜିଲ୍ଲା ଵାରି ଅଫିସରଙ୍କୁ ଚଣ୍ଡୀଗଡ଼, କଲିକତାସ୍ଥିତ ସେଣ୍ଟ୍ରାଲ ଡିଟେକ୍ଟିଭ୍‌ ଟ୍ରେନି˚ ସ୍କୁଲ୍‌(ସିଡିଟିଏସ୍‌)କୁ ଯାଉଥିଲେ। ଏବେ କିନ୍ତୁ ନିୟମିତ ଭାବେ ଅଫିସରଙ୍କୁ ସେଠାକୁ ପଠାଯାଉନାହିଁ। ତଦନ୍ତ କ୍ଷେତ୍ରରେ ଅଧିକ ଦକ୍ଷ ହେବାକୁ ଏସ୍‌ଆଇଠାରୁ ଡିଏସ୍‌ପି ପର୍ଯ୍ୟନ୍ତ ଅଫିସରଙ୍କୁ ପାଖାପାଖି ୬ ମାସ ପାଇଁ ଟ୍ରେନି˚ରେ ପଠାଯାଉଥିଲା। ଏଭଳି ସ୍ଥିତିରେ ମାମଲାର ତଦନ୍ତ ପ୍ରକ୍ରିୟାରେ କିଭଳି ପୁଲିସ ବାବୁ ଅଧିକ ଦକ୍ଷ ହୋଇପାରିବେ ବୋଲି ସମ୍ପୃକ୍ତ ଅଫିସର କହିଛନ୍ତି। ହାଇକୋର୍ଟର ଆଇନଜୀବୀ ସୌରଚନ୍ଦ୍ର ମହାପାତ୍ରଙ୍କ ମତରେ ପୁଲିସ ସାକ୍ଷୀଙ୍କୁ ସୁରକ୍ଷା ଯୋଗାଉ ନାହିଁ। ଫଳରେ, ସେମାନଙ୍କୁ ମୁଦାଲାଙ୍କ ପକ୍ଷରୁ ପ୍ରଭାବିତ ଓ ଭୟଭୀତ କରାଯାଉଛି। ଶୁଣାଣି ପ୍ରକ୍ରିୟା ବିଳମ୍ବ ହେବା ଦ୍ବାରା ଘଟଣା ସମ୍ପର୍କରେ ସାକ୍ଷୀ ଭୁଲି ଯାଉଛି। ଆନ୍ଧ୍ର କଥା ଯଦି ଦେଖାଯିବ, ତେବେ ସେଠାରେ ପୁଲିସ ସାକ୍ଷୀଙ୍କୁ କୋର୍ଟରେ ସିଧାସଳଖ ହାଜର କରୁଛି। ଓଡ଼ିଶାରେ ପୁଲିସ ଅଫିସର କେସ୍‌ର ଚାର୍ଜସିଟ୍‌ ଦାଖଲ କରିବା ପରେ ମାମଲା ସହିତ ସଂପର୍କ ରଖୁନାହାନ୍ତି।

ଅନ୍ୟପଟେ ଅବସରପ୍ରାପ୍ତ ପୁଲିସ ଡିଜି ବିପିନ ବିହାରୀ ମିଶ୍ର କହିଛନ୍ତି ଯେ ମାମଲାର ପଞ୍ଜୀକରଣ ହାର ଯେଉଁଭଳି ବୃଦ୍ଧି ଘଟୁଛି, ସେହି ତୁଳନାରେ ଅଫିସର ନାହାନ୍ତି। ବର୍ଷକୁ ୮୦ ଟି ମାମଲାର ତଦନ୍ତ କରି ରିପୋର୍ଟ ଦେବାକୁ ତଦନ୍ତକାରୀ ଅଧିକାରୀଙ୍କୁ କୁହାଯାଉଛି। ଗୋଟିଏ କେସ୍‌ ପାଇଁ ପାଖାପାଖି ୪ ଦିନ ପଡ଼ୁଛି। ସାଧାରଣତଃ ଏହି ସମୟ ଭିତରେ ଗୋଟିଏ ପକେଟ୍‌ ମାର‌୍‌ ମାମଲାର ତଦନ୍ତ ବି ଶେଷ ହୋଇପାରିବ ନାହିଁ। ବର୍ଷକୁ ୨୦ରୁ ଅଧିକ ମାମଲା ଦେବା କଥା ନୁହେଁ। ଅଧିକ ସ˚ଖ୍ୟାରେ ଚାର୍ଜସିଟ୍‌ କୋର୍ଟରେ ଦାଖଲ କରିବାର କିଛି ଅର୍ଥ ନଥାଏ। ସେହି ହାରରେ ଦୋଷୀ ସାବ୍ୟସ୍ତ ହାର ବୃଦ୍ଧି ଘଟୁନାହିଁ।

ସମ୍ବନ୍ଧିତ ଖବର