ଶ୍ରୀମନ୍ଦିର ପରିସରରେ ମହିଳା ଭକ୍ତଙ୍କୁ ମାଡ଼ ଅଭିଯୋଗ: ପୁଲିସ କର୍ମଚାରୀ ସସପେଣ୍ଡ

ପୁରୀ: ଶ୍ରୀମନ୍ଦିର ପରିସରରେ ଜଣେ ମହିଳା ଭକ୍ତଙ୍କୁ ଆକ୍ରମଣ କରାଯାଇଥିବାର ଖବର ମିଳିଛି। ଆଜି ସକାଳେ ଶ୍ରୀମନ୍ଦିରରେ ଜଣେ ପୁଲିସ ମାଡ଼ରେ ଜଣେ ମହିଳା ଭକ୍ତ ଆହତ ହୋଇଛନ୍ତି। ତାଙ୍କ ମୁଣ୍ଡ ଫାଟିଯିବାରୁ ତାଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏହି ଘଟଣାରେ ଅଭିଯୁକ୍ତ ପୁଲିସ କର୍ମଚାରୀଙ୍କୁ ସସପେଣ୍ଡ କରାଯାଇଛି।

ସୂଚନା ଅନୁଯାୟୀ, ବ୍ରହ୍ମପୁରର ଧନଞ୍ଜୟ ଦାସଙ୍କ ପତ୍ନୀ ମାଧୁରୀ ଦାସ(୬୫) ଆଜି ସକାଳୁ ଶ୍ରୀମନ୍ଦିରକୁ ଦର୍ଶନ ନିମନ୍ତେ ଯାଇଥିଲେ। ତେବେ କୋୖଣସି କାରଣରୁ ଜଣେ ପୁଲିସ କର୍ମଚାରୀଙ୍କ ସହ ତାଙ୍କର ବଚସା ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ପୁଲିସ କର୍ମଚାରୀଜଣକ ମାଧୁରୀଙ୍କୁ ମାଡ଼ ମାରି ମୁଣ୍ଡ ଫଟାଇ ଦେଇଛନ୍ତି। ମାଧୁରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସିଂହଦ୍ଵାର ଥାନା ପୁଲିସ ସମ୍ପୃକ୍ତ ପୁଲିସକର୍ମଚାରୀଙ୍କୁ ଅଟକ ରଖିବାପରେ ପୁରୀ ଆରକ୍ଷୀ ଅଧୀକ୍ଷକ ଡ଼ା କେ ବିଶାଳ ସିଂହ ତାଙ୍କୁ ସସପେଣ୍ଡ କରିଛନ୍ତି। ଅଭିଯୁକ୍ତ ପୁଲିସ କର୍ମଚାରୀଙ୍କ ନାଆଁ ପ୍ରଶାନ୍ତ ଦଳେଇ ବୋଲି ଜଣାଯାଇଛି।

ତେବେ କେଉଁ କାରଣରୁ ମହିଳାଙ୍କ ପୁଲିସ କର୍ମଚାରୀ ମାଡ଼ ମାରିଲେ ତାହା ସ୍ପଷ୍ଟ ହୋଇନାହିଁ। ଖବର ପାଇ ପୁରୀ ଏସପି ଓ ବରିଷ୍ଠ ଅଧିକାରୀ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଶ୍ରୀମନ୍ଦିରରେ ନିୟୋଜିତ ପୁଲିସ କର୍ମଚାରୀଙ୍କ ଏଭଳି ଅଶୋଭନୀୟ ଆଚରଣକୁ ନେଇ ଚର୍ଚ୍ଚା ଚାଲିଛି।

ସମ୍ବନ୍ଧିତ ଖବର