ବାହାରେ ମଦ ପିଇଲେ ନିସ୍ତାର ନାହିଁ

ଚଢ଼ଉ କଲା ପୁଲିସ, ଛତ୍ରଭଙ୍ଗ ଦେଲେ ମଦୁଆ

ବ୍ରହ୍ମପୁର : ଏଣୁ ଏଣିକି ରାସ୍ତାକଡ଼ରେ ମଦ ପିଇଲେ ଆଉ ନିସ୍ତାର ନାହିଁ। ମଦୁଆଙ୍କ ଉପରେ ପଡ଼ିବ ପୁଲିସ ଲାଠି। ମଦୁଆଙ୍କୁ ସାବାଡ଼ କରିବା ପାଇଁ ପୁଲିସ ଆଜି ସଂଧ୍ୟାରେ ସହରର ବିଭିନ୍ନ ସ୍ଥାନରେ ଚଢ଼ଉ କରିଛି। ବିଶେଷ କରି ବିଦେଶୀ ମଦ ଦୋକାନ ନିକଟରେ ରାସ୍ତାକଡ଼ରେ ଜମୁଥିବା ମଦୁଆଙ୍କ ଆସର ଭଣ୍ଡୁର କରିଛି ପୁଲିସ। ସଂଧ୍ୟାରେ ଟାଉନ୍ ଥାନା ଅଧିକାରୀ ସୁରେଶ କୁମାର ତ୍ରିପାଠୀଙ୍କ ନେତୃତ୍ବରେ ବିଭିନ୍ନ ମଦ ଦୋକାନରେ ଏକ ଟିମ୍‌ ଚଢ଼ଉ କରିଥିଲା। ପୁଲିସର ଚଢ଼ଉ ଦେଖି ମଦ ଦୋକାନ କଡ଼ରେ, ଗଛମୂଳେ, ନାଳକଡ଼େ ଠିପି ଖୋଲୁଥିବା ମଦୁଆମାନେ ଛତ୍ରଭଙ୍ଗ ଦେଇଥିଲେ।

ପୁଲିସ ଟିମ୍‌ ସହର ଚର୍ଚ୍ଚରୋଡ଼, ୱାନ୍‌-ୱେ ଟ୍ରାଫିକ୍‌ ରାସ୍ତା, ବାରକ୍ସ ରୋଡ଼ ପ୍ରଭୃତି ଅଞ୍ଚଳରେ ଚଢ଼ଉ କରିଥିଲା। ଠିପି ବନ୍ଦ ମଦ ଦୋକାନରେ କେବଳ ମଦ ବିକ୍ରି କରିବାକୁ ଅନୁମତି ଦିଆଯାଇଛି। କିନ୍ତୁ କିଛି ନିର୍ଦ୍ଦିଷ୍ଟ ଦୋକାନୀ ନିକଟରେ ସେଡ୍‌ କରି ସେଠାରେ ଖୋଲା ବାର୍‌ ଚଳାଇଛନ୍ତି। ଏପରିକି ଦୋକାନରୁ ମଦ କିଣି ମଦୁଆ ରାସ୍ତାକଡ଼ରେ, ପାନ ଦୋକାନ ପାର୍ଶ୍ବରେ ଛିଡ଼ା ହୋଇ ମଦ ପିଉଛନ୍ତି। ଫଳରେ ସେହି ରାସ୍ତାରେ ସାଧାରଣ ଲୋକେ ଯିବା ଆସିବା ସମୟରେ ନିଜକୁ ସୁରକ୍ଷିତ ମନେ କରୁ ନାହାନ୍ତି। ରାସ୍ତାକଡ଼ରେ କି ସର୍ବସାଧାରଣ ସ୍ଥାନରେ ମଦ ପିଇଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ ତରଫରୁ ସ୍ପଷ୍ଟ କରାଯାଇଛି। ଏପରିକି ଯେଉଁ ସ୍ଥାନରେ ମଦ ଦୋକାନ ରହିଛି ତା’ର ଆଖପାଖରେ ପ୍ଲାଷ୍ଟିକ୍‌ ଗ୍ଲାସ୍‌, ମଦ ବୋତଲ, ପାଣି ପାଉଚ୍‌ ପଡ଼ି ଅଞ୍ଚଳ ପରିବେଶ ଦୂଷିତ ହେଉଛି। ଏହା ଉପରେ ଲଗାମ୍‌ ଲଗାଇବା ପାଇଁ ଟାଉନ୍ ଥାନା ପୁଲିସ ତରଫରୁ ସଂଧ୍ୟାରେ ସହରର ବିଭିନ୍ନ ସ୍ଥାନରେ ଥିବା ମଦ ଦୋକାନରେ ଚଢ଼ଉ କରାଯାଇ ଦୋକାନୀଙ୍କୁ ଦାଗିଦ୍ କରାଯାଇଥିଲା। ସେହିପରି ଫୁଟ୍ ପାଟ୍ରୋଲିଂ କରାଯାଇଥିଲା। ଅନ୍ୟପଟେ ଆଜି ସକାଳେ ଖୋଡ଼ାସିଙ୍ଗିରେ ସରକାରୀ ଜାଗା ମାଡ଼ି ବସିଥିବା ଏକ ଦେଶୀ ମଦ ଦୋକାନକୁ ପ୍ରଶାସନ ତରଫରୁ ଭଙ୍ଗା ଯାଇଥିଲା।

ସମ୍ବନ୍ଧିତ ଖବର