ପୁରୀ ଯିବା ବାଟରେ ଅପରାଜିତାଙ୍କୁ ଅଟକାଇଲା ପୁଲିସ: ପଦଯାତ୍ରାରେ ଭୁବନେଶ୍ଵର ସାଂସଦ

ପୁରୀ: ମହାପ୍ରଭୁଙ୍କ ଦର୍ଶନ କରିବାକୁ ପୁରୀ ଆସୁଥିବା ବେଳେ ଭୁବନେଶ୍ଵର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଚନ୍ଦନପୁରରେ ପୁଲିସ ଅଟକାଇଥିବା ଜଣାଯାଇଛି। ଏନେଇ ନିଜେ ପୁରୀ ଏସପି ସୂଚନା ଦେଇଛନ୍ତି। ଏହାପରେ ଭୁବନେଶ୍ଵର ସାଂସଦ  ନିଜ ସମର୍ଥକଙ୍କ ସହ ପାଦରେ ଚାଲିଚାଲି ପୁରୀ ଅଭିମୁଖେ ଯାଉଛନ୍ତି। ଏହି ସମୟରେ ସେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିବା ସହ କହିଛନ୍ତି ଯେ ସେ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଯାଉଥିବା ବେଳେ ସରକାର କାହିଁକି ଭୟ କରୁଛନ୍ତି। ସଦ୍ୟତମ ସୂଚନା ଅନୁଯାୟୀ, ଅପରାଜିତାଙ୍କ ଗାଡ଼ିଗୁଡ଼ିକୁ ପୁରୀ ଅଭିମୁଖେ ଯିବା ପାଇଁ ପ୍ରଶାସନ ଅନୁମତି ଦେଇଛି।
ଏଣେ ଉକ୍ତ ସ୍ଥାନରେ ୧୦୦ରୁ ଅଧିକ ପୁଲିସଙ୍କୁ ମୁତୟନ କରାଯାଇଛି। ଗୋଟିଏ ଗାଡ଼ିରେ ଅପରାଜିତା ଯାଇପାରିବେ, କିନ୍ତୁ ସମର୍ଥକମାନଙ୍କୁ ଛଡ଼ାଯିବ ନାହିଁ ବୋଲି  ପୁରୀ ଏସପି କହୁଥିବା ବେଳେ  ସମର୍ଥକମାନଙ୍କ ସହ ପୁରୀ ମନ୍ଦିର ଯିବାକୁ ଅପରାଜିତା ଜିଦ୍ ଧରିଥିଲେ।

ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଆଳରେ ମନ୍ଦିର ଚତୁଃପାର୍ଶ୍ବରେ ଯେଉଁଭଳି ଖନନ ଓ ନିର୍ମାଣକୁ ବିରୋଧ କରୁଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ।
ସୂଚନାଯୋଗ୍ୟ, ପୁରୀ ଆସୁଥିବା ନେଇ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଘୋଷଣା କରିଥିଲେ। ଏ ସମ୍ପର୍କରେ ସେ ନିଜ ଫେସବୁ୍କ୍ ଓ ଅନ୍ୟ ସୋସିଆଲ୍ ସାଇଟ୍ରେ ବିଭିନ୍ନ ପୋଷ୍ଟ କରି ସମସ୍ତଙ୍କୁ ଅବଗତ କରିଥିଲେ। ସେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିବେ ବୋଲି ସୋସିଆଲ୍ ମିଡିଆରେ ପୋଷ୍ଟ କରିଥିଲେ। ଏଭଳି ବାଦବିବାଦ ଭିତରେ ଏହା ଉପରେ ପୁଲିସ ପହରା କଡ଼ାକଡ଼ି ହୋଇଯାଇଛି। ସହରସାରା ଛାନଭିନ୍ ଆରମ୍ଭ ହୋଇଯାଇଛି। ଆଇନଶୃଙ୍ଖଳା ପରିସ୍ଥିତିକୁ ଦେଖି ବୁଧବାର ପୁରୀ ସହରରେ ୧୮ ପ୍ଲାଟୁନ୍ ଫୋର୍ସ ଓ ୫୦ରୁ ଅଧିକ ପୁଲିସ ଅଧିକାରୀଙ୍କୁ ମୁତୟନ କରାଯାଇଛି।

ସମ୍ବନ୍ଧିତ ଖବର