ହଜିଗଲା ମାନବିକତା : ହାତବନ୍ଧା ହୋଇଥିବା ଦୁଇ ଯୁବକଙ୍କୁ ଉଦ୍ଧାର କରି ଡାକ୍ତରଖାନା ସମ୍ମୁଖ ରାସ୍ତାରେ ଫିଙ୍ଗିଦେଲା ପୁଲିସ

ଉଦଳା(୧) : ହଜିଗଲା ମାନବିକତା। ଜନସାଧାରଣଙ୍କ ସେବା ପାଇଁ ପୁଲିସ ରହିଛି ଓ ପୁଲିସ ହେଉଛି ଜନତାଙ୍କ ସାଥୀ ବୋଲି ପ୍ରଚାର ହେଉଥିବା ବେଳେ ବାସ୍ତବ କ୍ଷେତ୍ରରେ କିନ୍ତୁ ପୁଲିସ ସେବକ ନୁହେଁ ଅତ୍ୟାଚାରୀ ଭୂମିକାରେ ଅବତୀର୍ଣ୍ଣ ହେବା ଦେଖାଯାଉଛି। ଏହିପରି ଏକ ଘଟଣାରେ ପୁଲିସ ଆହତମାନଙ୍କୁ ଡାକ୍ତରଖାନା ନେଇ ଚିକିତ୍ସା କରିବ କ’ଣ ରାସ୍ତାରେ ଫିଙ୍ଗିଦେଇ ପଳାଇଯିବା ସଚେତନ ନାଗରିକଙ୍କୁ ବିଚଳିତ କରିଛି। ଏହି ଘଟଣା ଉଦଳା ଥାନା ଅଞ୍ଚଳରେ ଘଟିଛି। ପୁଲିସ ଉଦଳା ଡିଆଇ ଅଫିସ ଛକ ନିକଟରୁ ଦୁଇ ଯୁବକଙ୍କୁ ହାତବନ୍ଧା ଅବସ୍ଥାରେ ଉଦ୍ଧାରକରି ଡାକ୍ତରଖାନା ସମ୍ମୁଖରେ ଫିଙ୍ଗିଦେଇ ଚାଲିଯିବା ଘଟଣା ଜିଲ୍ଲାବ୍ୟାପୀ ଚର୍ଚ୍ଚାର ବିଷୟ ପାଲଟିଛି।

ଖବରରୁ ଜଣାପଡିଛି, ଉଦଳା ଡିଆଇ ଅଫିସ ଛକ ନିକଟରେ ଦୁଇଜଣ ଯୁବକ ଝିଅଙ୍କୁ ଖରାପ ବ୍ୟବହାର ପ୍ରଦର୍ଶନ କରୁଥିବା ବେଳେ ସ୍ଥାନୀୟ ଲୋକେ ସେମାନଙ୍କୁ ନିସ୍ତୁକ ମାଡ଼ ମାରିବା ସହ ହାତଗୋଡ଼ ବାନ୍ଧି ପୁଲିସକୁ ଖବର ଦେଇଥିଲେ। ଖବରପାଇ ଉଦଳା ପୁଲିସ ଘଟଣାସ୍ଥଳରେ ପହ‌ଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲା। ପୁଲିସ ସେମାନଙ୍କୁ ସେହି ଅବସ୍ଥାରେ ଉଦ୍ଧାର କରି ପରିବା ବସ୍ତା ନେବା ଭଳି ଗାଡ଼ି ପଛରେ ପକାଇ ଉଦଳା ଡାକ୍ତରଖାନାକୁ ନେଇଥିଲା। ‌ହେଲେ ସେଠାରେ ପହଞ୍ଚି ପୁଲିସ ତା’ର କର୍ତବ୍ୟରେ ଅବହେଳା କରିବା ସହ ସାଧାରଣ ମାନବିକତା ମଧ୍ୟ ହଜାଇ ଦେଇଥିଲା। ଡାକ୍ତରଖାନାରେ ଯୁବକ ଦ୍ବୟଙ୍କୁ ଭର୍ତି କରିବା ପରିବର୍ତେ ଡାକ୍ତରଖାନା ଆଉଟ୍‌ଡୋର ଗେଟ୍‌ ସମ୍ମୁଖ ରାସ୍ତାରେ ଫିଙ୍ଗିଦେଇ ଚାଲି ଯାଇଥିଲା।

ଦୂରରୁ ଅନ୍ୟ ପୁଲିସ କର୍ମଚାରୀ, ଡାକ୍ତରଖାନା କର୍ମଚାରୀ ଏବଂ ସାଧାରଣ ଲୋକ ଛିଡ଼ା ହୋଇ ସେହି ଦୃଶ୍ୟକୁ ବେଶ ଉପଭୋଗ କରୁଥିଲେ। ତେବେ ଗଣମାଧ୍ୟମ ପ୍ରତିନିଧି ଓ ସ୍ଥାନୀୟ ଲୋକ ଫଟୋ ଉଠାଇବା ଦେଖି ପୁଲିସ ପୁଣି ଦୁହିଁଙ୍କୁ ଚିକିତ୍ସା ପରିବର୍ତେ ଥାନାକୁ ନେଇଥିବା ଦେଖାଯାଇଥିଲା। ଏ ସଂପର୍କରେ ଥାନାଧିକାରୀଙ୍କୁ ପଚାରିବାରୁ ସେ ବିରକ୍ତି ପ୍ରକାଶ କରିବା ସହ ଯୁବକ ଦୁଇଜଣ ମାତାଲ ଅବସ୍ଥାରେ ଥିଲେ ଓ ସେମାନଙ୍କୁ ଛାଡି ଦିଆଯାଇଥିବା କହିଥିଲେ। ତେବେ ପୁଲିସ ବିଭାଗ ଆମ ପୁଲିସ ସମିତି ଗଠନ କରି ଲୋକମାନଙ୍କ ନିକଟତର ହେବା ଓ ଗଠନମୂଳକ ଚିନ୍ତାଧାରା ନେଇ କାର୍ଯ୍ୟ କରିବାର ପ୍ରୟାସ କରୁଥିବାବେଳେ ଉଦଳା ପୁଲିସର ଏତାଦୃଶ କାର୍ଯ୍ୟ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର