ପୁଲିସ ଏନ୍‌କାଉଣ୍ଟରରେ ଆହତ ଦୁର୍ଦ୍ଦାନ୍ତ ଅପରାଧୀ ଲିଟୁକୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର

କେନ୍ଦ୍ରାପଡ଼ା : ଆଜି କେନ୍ଦ୍ରାପଡ଼ା ପୁଲିସର ଏନ୍‌କାଉଣ୍ଟରରେ ଆହତ ହୋଇଥିବା ଦୁର୍ଦ୍ଦାନ୍ତ ଅପରାଧୀ ଲିଟୁ ଓରଫ ଦେବୀ ପ୍ରସାଦ ଦାସକୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ଗତକାଲି ରାତିରେ କେନ୍ଦ୍ରାପଡ଼ା ସ୍ପେଶାଲ ସ୍କ୍ଵାର୍ଡ ପୁଲିସ ଓ ମାର୍ଶାଘାଇ ପୁଲିସର ଏନ୍‌କାଉଣ୍ଟରରେ ଗୁରୁତର ଭାବେ ଆହତ ହୋଇଥିବା ଲିଟୁକୁ ପ୍ରଥମେ ମାର୍ଶାଘାଇ ମେଡିକାଲ ଏବଂ ପରେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତରୁ ହେବାରୁ ଆଜି ତାକୁ କଟକ ସ୍ଥାନାନ୍ତରିତ କରାଯାଇଛି।

ଗତକାଲି ରାତିରେ ଲିଟୁ ଦାସ ପୁଲିସ ଆଖିରେ ଧୁଳି ଦେଇ କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ ବୌଦ୍ଧ ଗଡ଼ାର ତିଖିରୀ ରାସ୍ତାରେ ଖସି ପଳାଉଥିବା ବେଳେ କେନ୍ଦ୍ରାପଡ଼ା ସ୍ପେଶାଲ ସ୍କ୍ଵାର୍ଡ ପୁଲିସ ଓ ମାର୍ଶାଘାଇ ପୁଲିସ ତାର ପିଛା କରିଥିଲେ। ହେଲେ ଲିଟୁ ଦାସ ପୁଲିସ ଉପରକୁ ପ୍ରଥମେ ଗୁଳି କରି ଖସିଯିବାକୁ ଚେଷ୍ଟା କରୁଥିବା ସମୟରେ ମାର୍ଶାଘାଇ ଆଇଆଇସିଙ୍କ ପାଲଟା ଆତ୍ମରକ୍ଷା ଗୁଳିରେ ଲିଟୁ ଦାସ ଆହତ ହୋଇଥିଲା। ତାର ଡାହାଣ ଗୋଡରେ ଗୁଳି ବାଜିବାରୁ ସେ ବାଇକ୍‌ରୁ ପଡିଯାଇଥିଲା। ପରେ ପୁଲିସ ତାକୁ ଆହତ ଅବସ୍ଥାରେ ଘଟଣାସ୍ଥଳରୁ ଗିରଫ କରି ମେଡିକାଲରେ ଭର୍ତ୍ତି କରିଥିଲା।

ଲିଟୁର ଘର କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ ଗରଜଙ୍ଗାରେ। ତା’ ନାମରେ ବିଭିନ୍ନ ଥାନାରେ ବହୁ ଅପରାଧିକ ମାମଲା ରହିଛି। ଗତ ୨୧ ତାରିଖରେ ତାର ସହଯୋଗୀ ଧନିଆପଡ଼ାର ସାଜନ ଦାସ ଘରେ ଗୁଳି ଫୁଟାଇ ସେ ଫେରାର ହୋଇଯାଇଥିଲା। ପୁଲିସ ତାକୁ ଧରିବା ପାଇଁ ଖୋଜୁଥିବା ବେଳେ ସେ ପୁଲିସ ଆଖିରେ ଧୂଳି ଦେଇ ଫେରାର ହୋଇଯାଉଥିଲା। ଏହି ଏନ୍‌କାଉଣ୍ଟର ଘଟଣା ପରେ ସ୍ପେଶାଲ ସ୍କ୍ଵାର୍ଡ ପୁଲିସ ଓ ମାର୍ଶାଘାଇ ପୁଲିସକୁ ମିଳିଛି ବହୁତ ବଡ଼ ସଫଳତା।

ସମ୍ବନ୍ଧିତ ଖବର