କରୋନା ମୁକାବିଲା : ରାଜ୍ୟ, କେନ୍ଦ୍ର ବିରୋଧରେ ଏକାଠି ହେଲେ ୧୨ ରାଜନୈତିକ ଦଳ, ୨୬ରେ ରାଜଧାନୀରେ ମିଳିତ ବିକ୍ଷୋଭ

ଭୁବନେଶ୍ବର : କରୋନା ମହାମାରୀ ମୁକାବିଲା କରିବାରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ବିଫଳ। ଏପରି ଅଭିଯୋଗ କରି ଆଜି ୧୨ଟି ବିରୋଧୀ ରାଜନୈତିକ ଦଳ ଏକାଠି ହୋଇ ମିଳିତ କାର୍ଯ୍ୟକ୍ରମ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। କଂଗ୍ରେସ, ସିପିଆଇ, ସିପିଆଇଏମ, ସିପିଆଇଏମ (ଲିବରେସନ), ସିପିଆଇଏମ୍‌ଏଲ୍‌ (ରେଡ଼ ଫ୍ଲାଗ), ସମାଜବାଦୀ ପାର୍ଟି, ଆର୍‌ଜେଡି, ଫରୱାର୍ଡ଼୍‌ ବ୍ଲକ୍‌, ଆମ୍‌ ଆଦମି ପାର୍ଟି, କଳିଙ୍ଗ ସେନା, ଏନ୍‌ସିପି ପ୍ରଭୃତି ବିରୋଧୀ ରାଜନୈତିକ ଦଳର ନେତାମାନେ ସମୟୋଚିତ ପଦକ୍ଷେପ ନେବାରେ ସରକାର ବିଳମ୍ବ କରିବାରୁ ସଂକ୍ରମଣ ବଢ଼ୁଥିବା ନେଇ ଦାୟୀ କରିଛନ୍ତି। ଆସନ୍ତା ୨୬ ତାରିଖରେ ଏହା ବିରୋଧରେ ରାଜଧାନୀରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିବା ପାଇଁ ବିରୋଧୀ ନିଷ୍ପତ୍ତି ନେଇଛନ୍ତି।

କଂଗ୍ରେସ ପକ୍ଷରୁ ଜାରି ପ୍ରେସ୍‌ ବିବୃତି ଅନୁଯାୟୀ, ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିଚାଲିଛି। ସଂକ୍ରମଣକୁ ରୋକିବା କ୍ଷେତ୍ରରେ କୋଭିଡ୍‌ ଟେଷ୍ଟିଂକୁ ଗୁରୁତ୍ବ ନ ଦେଇ ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍‌ ଇତ୍ୟାଦିରେ ଗୁରୁତ୍ବ ଦିଆଗଲା। ହଜାରେ ଲୋକ ସଂଖ୍ୟାରେ ମାତ୍ର ୩ ଜଣଙ୍କର କୋଭିଡ୍‌ ଟେଷ୍ଟିଂ ବର୍ତ୍ତମାନ ହେଉଛି। ଫଳସ୍ବରୂପ ସଂକ୍ରମଣ ବ୍ୟାପକ ହେଉଛି। ଏବେ ଭାରତ ପୃଥିବୀରେ କୋଭିଡ୍‌ ସଂକ୍ରମିତ ଦେଶମାନଙ୍କ ଭିତରେ ଚତୁର୍ଥ ସ୍ଥାନ ଅଧିକାର କରିଛି। ଆଉ କିଛି ଦିନ ପରେ ଭାରତ ପ୍ରଥମ ସ୍ଥାନ ଅଧିକାର କରିବ। ମୋଦୀ ସରକାର ତରବରିଆ ଓ ବିବେକଶୂନ୍ୟ ଭାବରେ ଲକ୍‌ଡାଉନ୍‌ କରିଲେ l ପରିଣାମ ସ୍ୱରୂପ ଲକ୍ଷ ଲକ୍ଷ ଲୋକ ଚରମ ଦୁର୍ଦ୍ଦିନ ଭିତରକୁ ଠେଲି ହେଇଗଲେ l ବିଶେଷକରି ପ୍ରବାସୀ ଶ୍ରମିକମାନେ ଅକଥନୀୟ ଦୁଃଖ ଏବଂ ନିର୍ଯାତନାର ଶିକାର ହେଲେ l ୪ ମାସ ଧରି ଲକଡାଉନ୍‌ ଯୋଗୁଁ ଲୋକଙ୍କ ଜୀବିକା ବିପନ୍ନ ହୋଇଛି l କଳ କାରଖାନା, ଛୋଟ ବଡ଼ ଉଦ୍ୟୋଗ, ବ୍ୟାବସାୟିକ ପ୍ରତିଷ୍ଠାନ ବନ୍ଦ ହୋଇଯିବା ଫଳରେ କୋଟି କୋଟି ଲୋକ ଚାକିରୀ ହରାଇଛନ୍ତି l ଦେଶର ଆର୍ଥିକ ଦୁଃସ୍ଥିତି ପାଇଁ ମୋଦୀ ସରକାର ହିଁ ଦାୟୀ ବୋଲି ବିରୋଧୀ ଦଳମାନେ ମତପୋଷଣ କରିଛନ୍ତି।

ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ଢାଞ୍ଚାରେ କରୋନାର ପରିଚାଳନା କରି ରାଜ୍ୟ ଏବଂ ଓଡ଼ିଶାବାସୀଙ୍କୁ ମଧ୍ୟ ଦୁର୍ଦ୍ଦିନ ଭିତରକୁ ଠେଲି ଦେଇଛନ୍ତି l ଦିନକୁ ୧୫ ହଜାର ଟେଷ୍ଟିଂ କରାଯିବ ବୋଲି ଏପ୍ରିଲ ୨୮ ତାରିଖରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। କିନ୍ତୁ ଏବେ ଦିନକୁ ୩ ହଜାର ବି ହେଉନାହିଁ l ଅନ୍ୟ ରାଜ୍ୟରୁ ଫେରିଥିବା ପ୍ରବାସୀ ଓଡ଼ିଆମାନଙ୍କର ନମୁନା ପରୀକ୍ଷା କରାଯାଉନି କି ଓଲଟି ସେମାନଙ୍କୁ ଘରକୁ ପଠାଇ ଦିଆଯାଉଛି। ଯାହାଫଳରେ ଏବେ ରାଜ୍ୟରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଗଲାଣି l ଏହା ରାଜ୍ୟ ସରକାରଙ୍କ ଚରମ ଅବହେଳା ଓ ଧର୍ତ୍ତବ୍ୟ ଅପରାଧ। ଆର୍ଥିକ ସହାୟତା ବାବଦରେ ୨୦୦୦ ଟଙ୍କା ଲେଖାଏଁ ଏକାନ୍ତବାସରେ ଥିବା ଲୋକଙ୍କୁ ନ ଦେବା, ଟିଏମ୍‌ସି ପରିଚାଳନାରେ ବ୍ୟାପକ ଅବ୍ୟବସ୍ଥା, ସରପଞ୍ଚମାନଙ୍କ ମୁଣ୍ଡରେ ଅଠା ବୋଳି ଦେଉଛନ୍ତି। ମହାମାରୀ ସମୟରେ ମହାଦୁର୍ନୀତିରେ ଲିପ୍ତ ରହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ l ମାସ୍କ, ପିପିଇ, ଟେଷ୍ଟିଂ କିଟ୍‌, ମେସିନ୍‌ ଓ ଯନ୍ତ୍ରପାତି କିଣାରେ ଓଡ଼ିଶା ଔଷଧ ନିଗମ କେଳେଙ୍କାରୀରେ ବୁଡ଼ି ରହିଛି l

ରାଜଧାନୀର ଏକ ଅଜଣା ସ୍ଥାନରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ସର୍ବଶ୍ରୀ ନିରଞ୍ଜନ ପଟ୍ଟନାୟକ, ରାମଚନ୍ଦ୍ର ଖୁଣ୍ଟିଆ, ପଞ୍ଚାନନ କାନୁନଗୋ, ଜନାର୍ଦ୍ଦନ ପତି, ଅଳିପ୍ କିଶୋର ପଟନାୟକ, ଆଶିଷ କାନୁନଗୋ, ରାମକୃଷ୍ଣ ପଣ୍ଡା, ଯୁଧିଷ୍ଠିର ମହାପାତ୍ର, ହରିଶ ମହାପାତ୍ର, ତାରାପ୍ରସାଦ ବାହିନୀପତି, ସୁଦର୍ଶନ ଦାସ, ଜ୍ୟୋତି ପ୍ରକାଶ ମହାପାତ୍ର, ନିଶିକାନ୍ତ ମହାପାତ୍ର, ଅଶୋକ ପ୍ରଧାନ, ରାଧାକାନ୍ତ ସେଠି, ମହେନ୍ଦ୍ର ପରିଡ଼ା, ସୁଦର୍ଶନ ପ୍ରଧାନ, ଜ୍ୟୋତିରଂଜନ ମହାପାତ୍ର, ସତୀଶ ରଞ୍ଜନ ସାହୁ ପ୍ରମୁଖ ଯୋଗ ଦେଇଥିଲେ l

ସମ୍ବନ୍ଧିତ ଖବର