ବେସରକାରୀ ଅନୁଦାନପ୍ରାପ୍ତ କଲେଜରେ ସଙ୍କଟ: ଖାଲିପଡ଼ିଛି ୮୩୩ ଅଧ୍ୟାପକ ପଦବି

ଓଡ଼ିଆ ଓ ଇଂରାଜୀରେ ସର୍ବାଧିକ ଖାଲି, ପୂରଣ ହୋଇଛି ୧୬୨୫ ଅଧ୍ୟାପକ ପଦବି

ଭୁବନେଶ୍ୱର: ବେସରକାରୀ ଅନୁଦାନପ୍ରାପ୍ତ କଲେଜରେ ଏବେ ବି ଜାରି ରହିଛି ଅଧ୍ୟାପକ ମଡ଼କ। ୧୬୨୫ ଜଣ ଅଧ୍ୟାପକଙ୍କୁ ନିଯୁକ୍ତି ଦିଆଯାଇଥିଲେ ମଧ୍ୟ ତାହା ସମସ୍ୟାର ସମାଧାନ କରିପାରି ନାହିଁ। ଏବେ ବି ବିଭିନ୍ନ ବିଷୟରେ ୮୩୩ ପଦବି ଖାଲି ରହିଛି। ଓଡ଼ିଆ ଓ ଇଂରାଜୀ ବିଷୟରେ ସର୍ବାଧିକ ଅଧ୍ୟାପକ ନାହାନ୍ତି। ଯେଉଁଥିପାଇଁ ପାଠପଢ଼ାରେ ବ୍ୟାହତ ହେଉଛି। ଷ୍ଟେଟ୍‌ ସିଲେକ୍ସନ ବୋର୍ଡ(ଏସ୍‌ଏସ୍‌ବି) ମାଧ୍ୟମରେ ପଦବିଗୁଡ଼ିକ ପୂରଣ କରିବା ଦିଗରେ ପଦକ୍ଷେପ ନିଆଯାଇଛି ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି। ବିଭାଗୀୟ ତଥ୍ୟ ଅନୁଯାୟୀ ୨୦୧୬-୧୭ରେ ଏସ୍‌ଏସ୍‌ବି ମାଧ୍ୟମରେ ଅଧ୍ୟାପକଙ୍କ ଚୟନ ପ୍ରକ୍ରିୟା ହୋଇଥିଲା। ଏଥିରେ ୧୬୨୫ ଜଣ ଅଧ୍ୟାପକଙ୍କୁ ଦିଆଯାଇଛି। ସେଥିମଧ୍ୟରୁ ଅନୁସୂଚିତ ଜନଜାତି(ଏସ୍‌ଟି) ବର୍ଗର ୩୬୫ ଅର୍ଥାତ୍‌ ୨୨.୫%, ଅନୁସୂଚିତ ଜାତି(ଏସ୍‌ସି) ବର୍ଗର ୨୫୯ ଅର୍ଥାତ୍‌ ୧୬.୨୪%, ଏସ୍‌ଇବିସି ବର୍ଗର ୧୮୦ ଅର୍ଥାତ୍‌ ୧୧.୨୫% ଅଧ୍ୟାପକ ପଦବି ସଂରକ୍ଷିତ କରାଯାଇଥିଲା। ସାଧାରଣ ବର୍ଗଙ୍କ ପାଇଁ ୮୨୧ଟି ପଦବି ରହିଥିଲା। ଏଥିରେ ଓଡ଼ିଆରେ ୨୬୭, ଇଂରାଜୀରେ ୧୯୫, ରାଜନୀତି ବିଜ୍ଞାନରେ ୧୭୯, ଅର୍ଥନୀତିରେ ୧୫୮, ଇତିହାସରେ ୧୫୬, ପଦାର୍ଥ ବିଜ୍ଞାନରେ ୧୦୦ ପଦବି ପୂରଣ କରାଯାଇଛି।

ଅନ୍ୟପକ୍ଷରେ ବେସରକାରୀ ଅନୁଦାନପ୍ରାପ୍ତ କଲେଜ ଲାଗି ଅନୁମୋଦିତ ହୋଇଥିବା ୮୩୩ ଅଧ୍ୟାପକ ପଦବି ଏବେ ବି ଖାଲି ପଡ଼ିଛି। ଏଥିରେ ଏସ୍‌ଟି ବର୍ଗଙ୍କ ଲାଗି ୧୮୬, ଏସ୍‌ସିଙ୍କ ଲାଗି ୧୩୫, ଏସ୍‌ଇବିସିଙ୍କ ପାଇଁ ୯୩ଟି ପଦବି ସଂରକ୍ଷିତ ରହିଛି। ୪୧୯ଟି ପଦବି ସାଧାରଣ ବର୍ଗଙ୍କ ଲାଗି ରହିଥିବା ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଓଡ଼ିଆ ବିଷୟରେ ସର୍ବାଧିକ ୧୨୪ଟି ପଦବି ଖାଲି ରହିଛି। ଏହା ତଳକୁ ଇଂରାଜୀ ବିଷୟରେ ୧୦୧, ଇତିହାସରେ ୮୧, ଅର୍ଥନୀତିରେ ୭୭, ରାଜନୀତି ବିଜ୍ଞାନରେ ୭୩, ରସାୟନ ବିଜ୍ଞାନରେ ୬୧, ଗଣିତରେ ୪୧ରେ ଅଧ୍ୟାପକ ପଦବି ଖାଲି ପଡ଼ିଛି। ଓଡ଼ିଆ ଓ ଇଂରାଜୀ ବିଷୟରେ ଅଧିକ ପଦବି ଖାଲି ରହିଥିବାରୁ ଛାତ୍ରଛାତ୍ରୀଙ୍କ ପାଠପଢ଼ା ବ୍ୟାହତ ହେଉଛି। ଅନ୍ୟ ବିଷୟର ଶିକ୍ଷକମାନେ ଛାତ୍ରଛାତ୍ରୀଙ୍କୁ ଓଡ଼ିଆ ଓ ଇଂରାଜୀ ବିଷୟ ପଢ଼ାଉଛନ୍ତି।

ସମ୍ବନ୍ଧିତ ଖବର