ଓମ୍‌ଫେଡ୍‌ରେ ପାଉଚ୍ ଦୁର୍ନୀତି ମାମଲା: ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କ ବିରୋଧରେ ମାମଲା ଖାରଜ

ହାଇକୋର୍ଟ ଯିବୁ: ପ୍ରଦୀପ ପ୍ରଧାନ

ଭୁବନେଶ୍ବର: ଓମ୍‌ଫେଡରେ ପଲିଥିନ୍ ପାଉଚ୍ କିଣାରେ ଆଇଏଏସ୍‌ ବିଷ୍ଣୁପଦ ସେଠୀଙ୍କ ବିରୋଧରେ ହୋଇଥିବା ଅଭିଯୋଗକୁ ଖାରଜ କରିଛନ୍ତି ଲୋକାୟୁକ୍ତ। ସବୁ ପକ୍ଷର ଦଲିଲକୁ ଅନୁଧ୍ୟାନ କରିବା ପରେ ଲୋକାୟୁକ୍ତ ମାମଲାକୁ ଖାରଜ କରି ଦେଇଛନ୍ତି। ୨୦୧୫-୧୬ ମସିହା ଭିତରେ ଓମ୍‌ଫେଡରେ ପଲିଥିନ୍ ପାଉଚ୍ କିଣାରେ ବ୍ୟାପକ ଦୁର୍ନୀତି ଅଭିଯୋଗ ହୋଇଥିଲା। ଆଇଡିଏମ୍‌ସି ଜରିଆରେ ଗୋଟିଏ‌ କେଜି ପିଛା ୧୭୮.୯୫ ଟଙ୍କା ହିସାବରେ ୯୮ ଟନ୍‌ର ପଲିଥିନ୍ ପାଉଚ୍ କିଣିବା ଲାଗି ଓମ୍‌ଫେଡ୍ ଟେଣ୍ଡର ଜାରି କରିଥିଲା। ତେବେ ସଂପୃକ୍ତ ସଂସ୍ଥା ଠିକଣା ସମୟରେ ଯୋଗାଇବାରେ ବିଫଳ ହେବା ସହିତ କଟକରେ ଥିବା ଷ୍ଟକିଷ୍ଟଙ୍କ ଜରିଆରେ ଏହାକୁ କିଣିବା ଲାଗି ଓମ୍‌ଫେଡକୁ କହିଥିଲା। ଏ ସମୟରେ ଓମ୍‌‌ଫେଡ୍‌ରେ ପରିଚାଳନା ନିର୍ଦେଶକ ଥିବା ବିଷ୍ଣୁପଦ ସେଠୀ ଏହି ପ୍ରସ୍ତାବକୁ ଗ୍ରହଣ କରିବା ସହିତ ପୂର୍ବରୁ ହୋଇଥିବା ଟେଣ୍ଡରକୁ ବାତିଲ କରି ଦେଇଥିଲେ। ଏପରିକି ଆଇଡିଏମ୍‌ସି ଜରିଆରେ ୬୬୮‌ ମେଟ୍ରିକ ଟନ୍‌ର ପଲିଥିନ୍ ପାଉଚ କିଣିବା ଲାଗି ନିଜ ନାମରେ କୋଟେସନ୍‌ ମାଗିଥିବା ଅଭିଯୋଗ ହୋଇଥିଲା। ଯାହାଫଳରେ ଓମଫେଡର ୬.୩୫ କୋଟି ଟଙ୍କାର କ୍ଷତି ହୋଇଥିବା କୁହାଯାଇଥିଲା। ପରବର୍ତୀ ସମୟରେ ମତ୍ସ୍ୟ ଓ ପଶୁ ସଂପଦ ବିଭାଗ ଏହାର ତଦନ୍ତ କରିଥିବା ବେଳେ ଏଥିରେ କୌଣସି ଆର୍ଥିକ କ୍ଷତି ହୋଇ ନ ଥିବା କୁହାଯାଇଥିଲା।

ଲୋକାୟୁକ୍ତ କହିଛନ୍ତି ଯେ ପଲିଥିନ୍ କିଣା ପାଇଁ ଯେଉଁ ତଦନ୍ତ କମିଟି ଗଠନ କରାଯାଇଛି ତାହାର ରିପୋର୍ଟରେ କୌଣସି ଆର୍ଥିକ ଅନିୟମିତତା ହୋଇ ନ ଥିବା କୁହାଯାଇଛି। ବୈଷୟିକ କମିଟି ଓ ଆର୍ଥିକ ବିଶେଷଜ୍ଞଙ୍କ ମତ ଆଧାରରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏପରିକି ରାଜ୍ୟପାଳଙ୍କ ନିକଟରେ ଯେଉଁ ଅଭିଯୋଗ ହୋଇଥିଲା ଏକ ସ୍ବାଧୀନ କମିଟି ଦ୍ବାରା ଏହାର ତଦନ୍ତ କରାଯିବା ସହିତ ଅଭିଯୋଗରେ ସତ୍ୟତା ନ ଥିବା କୁହାଯାଇଛି। ତେଣୁ ଆବେଦନକାରୀ ମଧ୍ୟ ଲୋକାୟୁକ୍ତରେ ଅଭିଯୋଗ କରିବା ସମୟରେ ଏସବୁ ଘଟଣାକୁ ଠିକ୍ ଭାବେ ଉଲ୍ଲେଖ କରିବା ଜରୁରୀ ଥିବା ବୋଲି ଲୋକାୟୁକ୍ତ ଦର୍ଶାଇଛନ୍ତି।

ପ୍ରତିକ୍ରିୟା ପ୍ରକାଶ କରି ଅଭିଯୋଗକାରୀ ପ୍ରଦୀପ ପ୍ରଧାନ କହିଛନ୍ତି ଯେ ଏହି ଘଟଣାରେ ଲୋକାୟୁକ୍ତ ଠିକ୍ ଭାବେ ଶୁଣାଣି କରି ନାହାନ୍ତି। ଓମ୍‌ଫେଡରେ ହୋଇଥିବା ଆର୍ଥିକ ଅନିୟମିତତା ବିରୋଧରେ ସେ ସମୟରେ ଦାୟିତ୍ବ‌ରେ ଥିବା ଦୁଇ ଦୁଇ ଜଣ ପରିଚାଳନା ନିର୍ଦେଶକ ଏହାର ତୃତୀୟ ପକ୍ଷ ତଦନ୍ତ କରିବା ପାଇଁ ଚିଠି ଲେଖିଥିଲେ। ଏହାସତ୍ତ୍ବେ ତୃତୀୟ ପକ୍ଷ ତଦନ୍ତ କରିବା ବଦଳରେ ବିଭାଗୀୟ ତଦନ୍ତ କରାଗଲା। ସେହିପରି ଏଜି ମଧ୍ୟ ଅଡିଟ ସମୟରେ ବ୍ୟାପକ ଅନିୟମିତତା ହୋଇଥିବା ଦର୍ଶାଇଛନ୍ତି। ମାତ୍ର ଲୋକାୟୁକ୍ତ ଏସବୁ ରିପୋର୍ଟ ଗ୍ରହଣ ନ କରି କେବଳ ବିଭାଗୀୟ ରିପୋର୍ଟ ଆଧାରରେ ରାୟ ଦେଇଛନ୍ତି। ତେଣୁ ହାଇକୋର୍ଟରେ ଏହି ମାମଲାକୁ ଚ୍ୟାଲେଞ୍ଜ କରାଯିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ସମ୍ବନ୍ଧିତ ଖବର