ନିଆଁରେ ଘିଅ ଢାଳିଲେ ମନ୍ତ୍ରୀ, ଭିତ୍ତିଭୂମି ଦୁର୍ବଳରୁ ବିଦ୍ୟୁତ କାଟ ହେଉଛି: ଶକ୍ତି ମନ୍ତ୍ରୀ

ସୋମବାର ବିତରଣ କମ୍ପାନିଙ୍କ ସହ ମୁଖ୍ୟ ସଚିବଙ୍କ ବୈଠକ, ଶକ୍ତି ମନ୍ତ୍ରୀଙ୍କୁ କଡ଼ା ଚିଠି ଲେଖିଲା କଂଗ୍ରେସ

ଭୁବନେଶ୍ବର : ସାରା ରାଜ୍ୟରେ ଅସହ୍ୟ ଗୁଳିଗୁଳିକୁ ଟାଣ ଖରା ଲୋକଙ୍କ ଜୀବନ ଦୁର୍ବିସହ କରିଦେଲାଣି। ଠିକ୍ ଏହି ସମୟରେ ଦିନକୁ ୫ରୁ ୬ଘଣ୍ଟା ଲେଖାଏ ବିଦ୍ୟୁତ କାଟ୍, ଲୋ-ଭୋଲଟେଜ୍ ଗାଁରୁ ସହର ପର୍ଯ୍ୟନ୍ତ ଲୋକଙ୍କୁ ତତାଇ ଦେଲାଣି। ସାରା ରାଜ୍ୟରେ ଘନଘନ ବିଦ୍ୟୁତ କାଟ୍ ହେଉଥିବା ବେଳେ ଶକ୍ତି ମନ୍ତ୍ରୀ ପ୍ରତାପ ଦେବ ଏହାର ସମାଧାନ ବା ନିଦାନର ରାସ୍ତା କାଢ଼ିବା ବଦଳରେ ରାଜ୍ୟରେ ପାୱାର କଟ୍ ହେଉନାହିଁ ବୋଲି ମନ୍ତବ୍ୟ ଦେବା ପରେ, ସାରା ରାଜ୍ୟରେ ଲୋକଙ୍କ ଅସନ୍ତୋଷ ବହୁଗୁଣିତ ହୋଇଛି। ଏପରିକି ରାସ୍ତାକୁ ଓହ୍ଲାଇବାକୁ ବିଭିନ୍ନ ସଂଗଠନ ଆହ୍ବାନ ଦେଲେଣି। ନିର୍ବାଚନ ବର୍ଷରେ ଏହା ସରକାରଙ୍କ ବିରୋଧରେ ଏବେ ପ୍ରମୁଖ ପ୍ରସଙ୍ଗ ଭାବେ ଉଭା ହୋଇଛି। ଆହୁରି ଆଶ୍ଚର୍ଯ୍ୟ କଥା ହେଲା ଯେ ଯେଉଁ ସମୟରେ ମୁଖ୍ୟ ସଚିବ ପରିସ୍ଥିତିର ଗମ୍ଭୀରତା ଦେଖି ଟ୍ବିଟ୍ କରିବା ସହିତ ଜରୁରୀ ବୈଠକ ଡାକିଲେଣି, ଠିକ୍ ସେହି ସମୟରେ ମନ୍ତ୍ରୀଙ୍କ ଉପରୋକ୍ତ ମନ୍ତବ୍ୟ ପରିସ୍ଥିତିକୁ ଅଧିକ ଜଟିଳ କରିପକାଇଛି।

ଗୁରୁବାର କାଳବୈଶାଖୀ ପରେ ରାଜଧାନୀ ସମେତ ବିଭିନ୍ନ ଜିଲ୍ଲାରେ ବହୁ ଅଞ୍ଚଳ ଦୀର୍ଘ ସମୟ ପର୍ଯ୍ୟନ୍ତ ଅନ୍ଧାରରେ ରହିଥିଲା। ସାମାଜିକ ଗଣମାଧ୍ୟମରେ ଶକ୍ତି ବିଭାଗକୁ ‌େଜାରଦାର ଟ୍ରୋଲ୍ କରାଯାଇଥିଲା। ସ୍ଥିତି ଏତେ ଗମ୍ଭୀର ହୋଇଥିଲା ଯେ ନିଜେ ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା ମଧ୍ୟ ଅସହାୟ ପ୍ରକାଶ କରି ଟୁଇଟ୍ କରିବାକୁ ବାଧ୍ୟ ହେଲେ। ଶ୍ରୀ ଜେନା ଲେଖିଥିଲେ ଯେ କାଳବୈଶାଖୀ ପରେ ଯଦି ପୁନରୁଦ୍ଧାର କରିବାକୁ ଏତେ ସମୟ ଲାଗୁଛି ତେବେ ବାତ୍ୟା ହେଲେ କ’ଣ ହେବ? ଲୋକ ଏହିଭଳି ଧିମା କାର୍ଯ୍ୟକୁ ଗ୍ରହଣ କରିପାରୁନାହାନ୍ତି। ତୁରନ୍ତ ପୁନରୁଦ୍ଧାର କାମ ସାରି ଲାଇନ୍ ଦେବାକୁ ସେ ଟୁଇଟ୍‌ରେ ଟାଟା ପାୱାରକୁ ତାଗିଦ୍ କରିଥିଲେ। ହେଲେ ସ୍ଥିତି ବିଶେଷ ନସୁଧୁରିବାରୁ ଏବଂ ଗ୍ରାମାଞ୍ଚଳରେ ସାଂଘାତିକ ସ୍ଥିତି ଦେଖାଦେଇଥିବାରୁ ମୁଖ୍ୟ ସଚିବ ସୋମବାର ଟାଟା ପାୱାରର ୪ଟି ବିତରଣ କମ୍ପାନିର ମୁଖ୍ୟଙ୍କ ‌େବୖଠକ ଡାକିଛନ୍ତି। ରାଜ୍ୟରେ ବିପର୍ଯ୍ୟସ୍ତ ବିଦ୍ୟୁତ ସେବା କିପରି ସୁଧୁରିବ ସେନେଇ ସମୀକ୍ଷା କରିବାକୁ ମୁଖ୍ୟ ସଚିବ ଅଣ୍ଟା ଭିଡ଼ିଛନ୍ତି। ମୁଖ୍ୟସଚିବଙ୍କର ଦୀର୍ଘ ବର୍ଷର ଏସ୍‌ଆର୍‌ସି ଓ ଶକ୍ତି ସଚିବର ଅନୁଭୂତି ଥିବାରୁ ମୁଖ୍ୟ ସଚିବ ବିଦ୍ୟୁତ ‌ଯୋଗାଣ ସମସ୍ୟାର କି ସମାଧାନ କରୁଛନ୍ତି ତାହା ଉପରେ ସମ‌ସ୍ତଙ୍କ ନଜର ରହିଛି।

My Sambalpur

ଅପରପକ୍ଷେ ଶକ୍ତି ମନ୍ତ୍ରୀ ପ୍ରତାପ ଦେବ କହିଛନ୍ତି ଯେ ରାଜ୍ୟରେ ବିଦ୍ୟୁତ ଅଭାବ ନାହିଁ। ଭିତ୍ତିଭୂମି ଅଭାବରୁ ଉପଭୋକ୍ତାଙ୍କୁ ବିଦ୍ୟୁତ ଯୋଗାଣରେ ସମସ୍ୟା ହେଉଛି। ବହୁ ସ୍ଥାନରେ ଟ୍ରାନ୍ସଫର୍ମର ପୋଡ଼ି ଯାଉଛି। ରାଜ୍ୟରେ କୌଣସି ସ୍ଥାନରେ ପାୱାରକଟ୍ ହେଉନାହିଁ। ପବନ ହେଲେ ଆମେ ବିଦ୍ୟୁତ୍‌ କାଟିବୁ। ଲୋକମାନେ ଯେଉଁଭଳି ବିଦ୍ୟୁତ୍‌ ବ୍ୟବହାର କରୁଛନ୍ତି ଆମ ଭିତ୍ତିଭୂମି ସେହିଭଳି ହେବାର ଆବଶ୍ୟକତା ଅଛି। କ୍ଷମତାଠାରୁ ଅଧିକ ବିଦ୍ୟୁତ୍‌ ବ୍ୟବହାର ହେଲେ ତାର ଓ ଟ୍ରାନ୍ସଫର୍ମର ପୋଡ଼ିଯାଉଛି। ଯେଉଁ ଦୁଇ ତିନି ଘଣ୍ଟା ବିଦ୍ୟୁତ କଟୁଛି ତାହା ଭିତ୍ତିଭୂମି ନଥିବାରୁ ହେଉଛି।

ଶକ୍ତି ମନ୍ତ୍ରୀ ଆଜି ବିଦ୍ୟୁତ କାଟ ପାଇଁ ଦୁର୍ବଳ ଭିତ୍ତିଭୂମି କଥା ଉଠାଇଥିବାବେଳେ ଏଠାରେ ରାଜ୍ୟ ସରକାରଙ୍କର ବିଭିନ୍ନ ପ୍ରକଳ୍ପ ଉପରେ ପ୍ରଶ୍ନ ଉଠିଛି। ଭୁବନେଶ୍ବର, ପୁରୀରେ ଶହଶହ କୋଟି ‌ଖର୍ଚ୍ଚ ହୋଇ ଯେଉଁ ଭୂତଳ ବିଦ୍ୟୁତ ଲାଇନ୍ ବିଛାଯାଇଛି ତାହା କେଉଁ କାମରେ ଲାଗୁଛି? ଗତ କିଛି ବର୍ଷରେ ହଜାର ହଜାର କୋଟି ଖର୍ଚ୍ଚ ହୋଇ ବିଦ୍ୟୁତ ତାର, ଉଚ୍ଚକ୍ଷମତାସଂପନ୍ନ ଟ୍ରାନ୍ସଫର୍ମର ଓ ଖୁଣ୍ଟ ବସାଯାଇଥିବା ବେଳେ ଏହା କ’ଣ ଏତେ ଦୁର୍ବଳ ଯେ ବିଦ୍ୟୁତ ଯୋଗାଣ ସମ୍ଭାଳିପାରୁନି?

କେବଳ ଏତିକି ନୁହେଁ, ଟାଟା ପାୱାର ବିଦ୍ୟୁତ ବଣ୍ଟନ ବ୍ୟବସ୍ଥା ନେବାବେଳେ ଭିତ୍ତିଭୂମି ଦୁର୍ବଳ ଥିବା ପ୍ରସଙ୍ଗ ଉଠାଇଥିଲା। ପାଦେ ଆଗକୁ ଯାଇ ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗଙ୍କୁ ବି ଲିଖିତ ଭାବେ ଜଣାଇଥିଲା। ସେତେବେଳେ ଶକ୍ତି ବିଭାଗ ଏହାକୁ ବିରୋଧ କରିନଥିଲା। ଏବେ ମନ୍ତ୍ରୀଙ୍କ ବୟାନ ପ୍ରମାଣ କରିଦେଲାଣି ଯେ ଟାଟା କଂପାନିର ଭିତ୍ତିଭୂମି ସଂପର୍କିତ ଦାବି ଆଦୌ ଅମୂଳକ ନ ଥିଲା।

ଅପରପକ୍ଷେ ରାଜ୍ୟ କଂଗ୍ରେସର ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ ରାଜ୍ୟରେ ବିଦ୍ୟୁତ ବିଭ୍ରାଟ ନେଇ ଶକ୍ତି ମନ୍ତ୍ରୀ ପ୍ରତାପ ଦେବଙ୍କୁ ପତ୍ର ଲେଖିଛନ୍ତି। ଶ୍ରୀ ପଟ୍ଟନାୟକ ଲେଖିଛନ୍ତି ଯେ ସାମାନ୍ୟ ପବନ କିମ୍ବା ବର୍ଷା ହେବାର ସ‌ଙ୍କେତ ମିଳିଲେ ପ୍ରତିଦିନ ବାରମ୍ବାର ବିଦ୍ୟୁତ କାଟ ହେଉଛି। ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ ବିଭ୍ରାଟ ପାଇଁ ଗ୍ରାମାଞ୍ଚଳର ଲୋକମାନେ ବହୁ କଷ୍ଟ ଭୋଗୁଛନ୍ତି। ଲୋକମାନେ ଇନଭର୍ଟର ଓ ଜେନସେଟ୍‌ ଭଳି ଦାମୀ ଉପକରଣ କିଣିବାକୁ ବାଧ୍ୟ ହେଉଛନ୍ତି। ନିକଟରେ ଏକ ଟିଭି କ୍ଲିପ୍‌ରେ ଟାଟା ପାୱାର କର୍ମଚାରୀ ଓ ଯନ୍ତ୍ରପାତି ବିକ୍ରୟ କରୁଥିବା କମ୍ପାନିଗୁଡ଼ିକ ମଧ୍ୟରେ ଥିବା ସଲାସୁତରା ଦେଖିବାକୁ ମିଳିଥିଲା। ଇନଭର୍ଟର ବିକ୍ରି କରୁଥିବା କମ୍ପାନିଗୁଡ଼ିକ ସେମାନଙ୍କ ଉତ୍ପାଦକୁ ଯେପରି ବହୁଳ ଭାବେ ବିକ୍ରି କରିପାରିବେ ସେଥିପାଇଁ ଟାଟା ପାୱାର କର୍ମଚାରୀମାନେ ଜାଣିଶୁଣି ବିଦ୍ୟୁତ କାଟ କରୁଥିବା ଅଭିଯୋଗ ହୋଇଥିଲା। ଟାଟା ପାୱାରର ତ୍ରୁଟିପୂର୍ଣ୍ଣ ବିଲିଂ ବ୍ୟବସ୍ଥା ମଧ୍ୟ ଉପଭୋକ୍ତାଙ୍କ ପାଇଁ ବୋଝ ଉପରେ ନଳିତା ବିଡ଼ା ପାଲଟିଛି। ବିଦ୍ୟୁତ କମ୍ପାନି କିମ୍ବା ଜିଲ୍ଲା ପ୍ରଶାସନ ପାଖରେ କୌଣସି ଅଭିଯୋଗ ଶୁଣାଣିର ବ୍ୟବସ୍ଥା ନାହିଁ। ତେଣୁ ଶକ୍ତି ମନ୍ତ୍ରୀ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନେଇ ପ୍ରତିକାର ବ୍ୟବସ୍ଥା କରନ୍ତୁ ବୋଲି ଶ୍ରୀ ପଟ୍ଟନାୟକ ଉଲ୍ଲେଖ କରିଛନ୍ତି।

ସମ୍ବନ୍ଧିତ ଖବର