ପ୍ରଦୀପ, ଆକାଶଙ୍କ ଜାମିନ ଖାରଜ

ଭୁବନେଶ୍ୱର : ଟାଟା ମୋଟର୍ସରେ ଚାକିରି ନାଁରେ ଠକେଇ ମାମଲାରେ ଗିରଫ ହୋଇଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ପୁଣି ନିରାଶ ହେବାକୁ ପଡ଼ିଛି। ଅତିରିକ୍ତି ଜିଲ୍ଲା ଦୌରାଜଜ୍-୩ ପ୍ରଦୀପଙ୍କ ଜାମିନ ଆବେଦନ ଶୁଣାଣି କରିବା ପରେ ଆଜି ସନ୍ଧ୍ୟାରେ ଖାରଜ କରି ଦେଇଛନ୍ତି। ପ୍ରାୟ ତିନି ଘଣ୍ଟା ଧରି ପ୍ରତିପକ୍ଷ ଓ ସରକାରୀ ଓକିଲଙ୍କ ଭିତରେ ଜବାବସୁଆଲ ଚାଲିଥିଲା। ପ୍ରଦୀପଙ୍କ ଓକିଲ ଯୁକ୍ତି ବାଢ଼ିଥିଲେ, ଏହି ମାମଲାରେ ଆକାଶ ପାଠକଙ୍କ ସହ ତାଙ୍କର ସମ୍ପର୍କ ନାହିଁ। ଉଦ୍ଦେଶ୍ୟମୂଳକ ଭାବେ ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ରାଜନୈତିକ ଅଭିସନ୍ଧି ରଖି ତାଙ୍କୁ ଫସାଇ ଦିଆଯାଇଛି। ତେଣୁ ତାଙ୍କୁ ଜାମିନ୍ ପ୍ରଦାନ କରାଯାଉ ବୋଲି ପ୍ରଦୀପଙ୍କ ଓକିଲ ଯୁକ୍ତି ବାଢ଼ିଥିଲେ।

ସରକାରୀ ଓକିଲ ଦର୍ଶାଇଥିଲେ, ଠକାମିର ଶିକାର ହୋଇଥିବା ଦୁଇଜଣ ବ୍ୟକ୍ତି ଚେକ୍ ଜରିଆରେ ପ୍ରଦୀପଙ୍କ ଆକାଉଣ୍ଟରେ ଟଙ୍କା ଜମା କରିଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ୪ ଲକ୍ଷ ୯୫ ହଜାର ଟଙ୍କା ଜମା କରିଛନ୍ତି। ଠକାମିର ଶିକାର ହୋଇଥିବା ଜଣେ ବ୍ୟକ୍ତି ପ୍ରଦୀପଙ୍କ ଜରିଆରେ ଚାକିରି ଦିଆଯାଉଥିବା ଜାଣିବା ପରେ ଯୋଗାଯୋଗ କରିଥିଲେ। କ୍ରାଇମବ୍ରାଞ୍ଚ ପ୍ରାଥମିକ ତଦନ୍ତରୁ ଏହି ପ୍ରମାଣ ଦାଖଲ କରାଯାଇଛି। ଅଭିଯୁକ୍ତ ଜଣେ ବିଧାୟକ ହୋଇଥିବାରୁ ଜାମିନ ପ୍ରଦାନ କରାଗଲେ ମାମଲା ପ୍ରଭାବିତ ହେବାର ଆଶଙ୍କା ରହିଛି ବୋଲି ସରକାରୀ ଓକିଲ ଯୁକ୍ତି ବାଢ଼ିଥିଲେ। କୋର୍ଟ ଉଭୟ ପକ୍ଷଙ୍କ ଯୁକ୍ତିକୁ ଶୁଣାଣି କରି ପ୍ରଦୀପଙ୍କ ଜାମିନ ଖାରଜ କରିଛନ୍ତି।

ଅନ୍ୟପକ୍ଷରେ ଠକେଇ ଘଟଣାର ମୁଖ୍ୟ ଅଭିଯୁକ୍ତ ଆକାଶ ପାଠକଙ୍କୁ ଆଜି ମଧ୍ୟାହ୍ନରେ କଡ଼ା ସୁରକ୍ଷାବଳୟରେ ଏସଡିଜେଏମ୍ କୋର୍ଟରେ ହାଜର କରାଯାଇଥିଲା। ମାମଲାର ଶୁଣାଣି ସମୟରେ ଆକାଶ ଓକିଲ ଦେଇ ନଥିଲେ। ଫଳରେ ଆଇନ ଅନୁସାରେ କୋର୍ଟଙ୍କ ପକ୍ଷରୁ ଆକାଶଙ୍କ ପାଇଁ ଜଣେ ଓକିଲ ନିଯୁକ୍ତ କରାଯାଇଥିଲା। ଆକାଶଙ୍କର ଏହି ମାମଲାରେ ସମ୍ପୃକ୍ତି ନ ଥିବା ଦର୍ଶାଇ ତାଙ୍କୁ ଜାମିନ ପ୍ରଦାନ କରାଯାଉ ବୋଲି ଆବେଦନ କରାଯାଇଥିଲା। ଜାଲ୍ ନିଯୁକ୍ତିପତ୍ରଠାରୁ ଆରମ୍ଭ କରି ଟଙ୍କା କାରବାର ପର୍ଯ୍ୟନ୍ତ ଆକାଶଙ୍କ ବିରୋଧରେ ଅନେକ ପ୍ରମାଣ ରହିଛି ବୋଲି ସରକାରୀ ଓକିଲ ଯୁକ୍ତି ବାଢ଼ିଥିଲେ। ମାମଲାର ଅନ୍ୟତମ ଅଭିଯୁକ୍ତ ପ୍ରଦୀପ ପାଣିଗ୍ରାହୀଙ୍କର ଜାମିନ ଖାରଜ ହୋଇଥିବାରୁ ସେହି ଆଧାରରେ ମୁଖ୍ୟ ଅଭିଯୁକ୍ତ ଆକାଶ ପାଠକଙ୍କର ଜାମିନ ଖାରଜ କରାଯାଉ ବୋଲି ସରକାରୀ ଓକିଲ ନିଜ ଯୁକ୍ତି‌ରେ ଦର୍ଶାଇଥିଲେ। ଦୁଇ ପକ୍ଷଙ୍କ ଯୁକ୍ତିକୁ ଶୁଣାଣି କରି କୋର୍ଟ ଜାମିନ ଖାରଜ କରିଥିଲେ। ଅନ୍ୟପକ୍ଷରେ କ୍ରାଇମବ୍ରାଞ୍ଚ ଜେରା ବେଳେ ଆକାଶର ପିଏ ଡେଭିଡ୍ ପିଟର ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଦେଇଛି। ମୁହାଁମୁହିଁ ଜେରା କରିବା ପାଇଁ ଆକାଶ ଓ ପ୍ରଦୀପଙ୍କୁ କ୍ରାଇମବ୍ରାଞ୍ଚ ଖୁବଶୀଘ୍ର ରିମାଣ୍ଡରେ ନେବ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ନଭେମ୍ବର ୨୭ ତାରିଖରେ ଆକାଶ ଓ ୩ ତାରିଖରେ ପ୍ରଦୀପଙ୍କୁ ଗିରଫ କରାଯାଇଥିଲା।

ସମ୍ବନ୍ଧିତ ଖବର