ପୁଣି ଜାମିନ ପାଇଁ ପ୍ରଦୀପ ପାଣିଗ୍ରାହୀ ଓ ଅଭୟକାନ୍ତ ପାଠକ ହାଇକୋର୍ଟଙ୍କ ଦ୍ବାରସ୍ଥ

କଟକ/ବ୍ରହ୍ମପୁର : ଜାମିନ ପାଇଁ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ପୁଣି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଗଞ୍ଜାମ ଜିଲ୍ଲାର ଗୋଳନ୍ଥରା ଥାନାରେ ତାଙ୍କ ବିରୋଧରେ ରହିଥିବା ତିନୋଟି ମାମଲାରେ ଜାମିନ ଲୋଡ଼ି ଶ୍ରୀ ପାଣିଗ୍ରାହୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ସେ ହାଇକୋର୍ଟରେ ପୃଥକ ଭାବେ ତିନୋଟି ନିୟମିତ ଜାମିନ ଆବେଦନ ରୁଜୁ କରିଛନ୍ତି। ପୂର୍ବରୁ ଟାଟା କମ୍ପାନିରେ ଚାକିରି କରାଇଦେବା ନାଁରେ ଟଙ୍କା ଆଦାୟ ଅଭିଯୋଗ ସଂପର୍କିତ କ୍ରାଇମବ୍ରାଞ୍ଚ ମାମଲାରେ ଫେବ୍ରୁଆରି ୨୪ରେ ହାଇକୋର୍ଟ ଶ୍ରୀ ପାଣିଗ୍ରାହୀଙ୍କୁ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଥିଲେ। ଏହାପରେ ଗୋଳନ୍ଥରା ଥାନାରେ ଠକେଇ ଅଭିଯୋଗ ନେଇ ରୁଜୁ ତିନୋଟି ମାମଲାରେ ଶ୍ରୀ ପାଣିଗ୍ରାହୀଙ୍କ ଜାମିନ ଆବେଦନ ଗଞ୍ଜାମ ଦୌରା ଅଦାଲତରେ ଖାରଜ ହୋଇଥିଲା। ଏହି ସବୁ ମାମଲାରେ ଜାମିନ ଲୋଡ଼ି ଶ୍ରୀ ପାଣିଗ୍ରାହୀ ହାଇକୋର୍ଟରେ ଆବେଦନ ଦାୟର କରିଛନ୍ତି। ସେହିଭଳି ଭାବେ ଗୋଳନ୍ଥରା ଥାନାରେ ଗୋଟିଏ ମାମଲାରେ ଶ୍ରୀ ପାଣିଗ୍ରାହୀଙ୍କ ସହିତ ଆଇଏଫଏସ ଅଭୟକାନ୍ତ ପାଠକ ମଧ୍ୟ ଅଭିଯୁକ୍ତ ରହିଛନ୍ତି। ଦୌରା ଅଦାଲତରେ ଜାମିନ ଖାରଜ ହେବା ପରେ ଶ୍ରୀ ପାଠକ ମଧ୍ୟ ଜାମିନ ପାଇଁ ହାଇକୋର୍ଟରେ ଆବେଦନ କରିଛନ୍ତି।

ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଆଇଏଫଏସ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ୨୦୨୦, ନଭେମ୍ବର ୨୭ ତାରିଖରେ ଗିରଫ ହୋଇ ଜେଲ ଯାଇଥିଲେ। ଏହାପରେ ଟାଟା ମୋଟର୍ସରେ ନକଲି ଏମଡ଼ି ସାଜି କୋଟି କୋଟି ଟଙ୍କା ଆକାଶ ଠକିଥିବା ଅଭିଯୋଗ ହୋଇଥିଲା। ଏ ନେଇ କ୍ରାଇମବ୍ରାଞ୍ଚ ତଦନ୍ତ କରିବା ସହିତ ୨୦୨୦, ଡିସେମ୍ବର ୩ରେ ଶ୍ରୀ ପାଣିଗ୍ରାହୀଙ୍କୁ ଗିରଫ କରିଥିଲା। ଠକେଇ ଅଭିଯୋଗ ନେଇ ଶ୍ରୀ ପାଣିଗ୍ରାହୀଙ୍କ ବିରୋଧରେ ଗତ ଡିସେମ୍ବର ମାସରେ ଗୋଳନ୍ଥରା ଥାନାରେ ଦୁଇଟି ମାମଲା ରୁଜୁ ହୋଇଥିଲା। ସେହିପରି ଜାନୁଆରି ମାସରେ ମଧ୍ୟ ପୁଣି ଏକ ଠକେଇ ମାମଲା ଗୋଳନ୍ଥରା ଥାନାରେ ରୁଜୁ ହୋଇଥିଲା। ଏହି ମାମଲାରେ ଗୋଳନ୍ଥରା ଥାନା ପୁଲିସ ଶ୍ରୀ ପାଣିଗ୍ରାହୀଙ୍କୁ ଭୁବନେଶ୍ବର ଝାରପଡ଼ା ଜେଲ୍‌ରୁ ଆଣି ବ୍ରହ୍ମପୁର ଏସ୍‌ଡିଜେଏମ୍‌ ଅଦାଲତରେ ହାଜର କରିଥିଲା। ଅଭୟକାନ୍ତ ଓ ଆକାଶ ପାଠକଙ୍କୁ ମଧ୍ୟ ଏହି ଗୋଳନ୍ଥରା ଥାନା ମାମଲାରେ ଅଭିଯୁକ୍ତ ଦର୍ଶାଯାଇଥିଲା। ଅଭୟକାନ୍ତ ଗୋଟିଏ ଓ ଆକାଶ ଦୁଇଟି ମାମଲାରେ ଅଭିଯୁକ୍ତ ରହିଛନ୍ତି। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଚାର୍ଟର୍‌ ବିମାନ ବୁକିଂ ବାବଦ ୬୫ ଲକ୍ଷ ୧୬ ହଜାର ଟଙ୍କା ଠକେଇ ନେଇ ଖାରବେଳନଗର ଥାନାରେ ରୁଜୁ ମାମଲାରେ ମାର୍ଚ୍ଚ ୧ରେ ହାଇକୋର୍ଟ ଅଭୟକାନ୍ତ ଓ ଆକାଶ ପାଠକଙ୍କୁ ଜାମିନ ମଞ୍ଜୁର କରିଥିଲେ।

ସମ୍ବନ୍ଧିତ ଖବର