‘ମାକ୍ରୋମ୍‌’ ହାତବୁଣାରେ ନିପୁଣା ପ୍ରମିଳା : ୧୫୦ରୁ ଅଧିକ ମହିଳାଙ୍କୁ ଦେଇଛନ୍ତି କାମ ଓ ରୋଜଗାର

ବାଲେଶ୍ବର, (ମନୋଜ କୁମାର ରାଉଳ) : ଘରେ ବସି ରହିବା ଏବଂ ଅନ୍ୟ ଉପରେ ନିର୍ଭରଶୀଳ ହେବା ବଦଳରେ ନିଜେ କିଛି କାମ କରି ରୋଜଗାରକ୍ଷମ ହେବା ସହ ଅନ୍ୟମାନଙ୍କୁ ସ୍ବାବଲମ୍ବୀ କରାଇବା‌ରେ ନିଆରା ଆନନ୍ଦ ମିଳିଥାଏ। ସ୍ବାଭିମାନର ସହ ବଞ୍ଚିବା ଏବଂ ଅନ୍ୟମାନଙ୍କୁ ସେହିପଥରେ ଅନୁଗାମୀ କରିବାର ଲକ୍ଷ୍ୟ ନେଇ ବାଲେଶ୍ବର ଜିଲ୍ଲା ସଦର ବ୍ଲକର ୪ଟି ପଞ୍ଚାୟତରୁ ପାଖାପାଖି ୧୫୦ ମହିଳାଙ୍କ ହାତରେ ଏବେ ରୋଜଗାର ଦେଇଛନ୍ତି ଜଣେ ଆଦିବାସୀ ମହିଳା।

ଏହି ମହିଳାଜଣକ ହେଲେ କଷିପଦା ପଞ୍ଚାୟତ ଆଙ୍କ ଗ୍ରାମର ପ୍ରମିଳା ମୁଣ୍ଡା (୪୩)। ଶିକ୍ଷାଗତ ଯୋଗ୍ୟତା ମାଟ୍ରିକ ପାସ। ସ୍ବାମୀ, ଗୋଟିଏ ପୁଅ ଓ ଗୋଟିଏ ଝିଅକୁ ନେଇ ତାଙ୍କ ପରିବାର। ୨ବର୍ଷ ପୂର୍ବରୁ ସ୍ବାମୀ ରମାକାନ୍ତ ମୁଣ୍ଡାଙ୍କ ହାତରେ କିଛି କାମ ନଥିଲା। ଦିନମଜୁରିଆ ଭାବେ କାମ କରି ବହୁକଷ୍ଟରେ ସେ ପରିବାର ଚଳାଉଥିଲେ। ତେବେ ପ୍ରମିଳା ସେହି ଗାଁରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟା ହୋଇ ପ୍ରଥମେ ଋଣ ଆକାରରେ କିଛି ଟଙ୍କା ଉଠାଇଲେ। ସେହି ଟଙ୍କାରେ ଗୋପାଳନ କଲେ। ପରବର୍ତ୍ତୀ ସମୟରେ କ୍ଷୀର ବିକ୍ରି କରି ସେହି ଟଙ୍କାରେ ସ୍ବାମୀଙ୍କୁ ଏକ ଦୋକାନ କରାଇଦେଲେ। ପରେ ସେହି ଗ୍ରାମର ଜଣେ ମହିଳାଙ୍କଠାରୁ ‘ମାକ୍ରୋମ୍‌ (ନାଇଲନ୍ ପଲିମର୍‌ ମିଶ୍ରିତ ସୂତା)ରେ ବିଭିନ୍ନ ସାମଗ୍ରୀର ବୁଣାକାମ ଦେଖି ନିଜେ କରିବାକୁ ଚାହିଁଲେ। କିନ୍ତୁ ସମ୍ପୃକ୍ତ ମହିଳା କୌଣସିପ୍ରକାର ସହଯୋଗ କଲେନାହିଁ। ଫଳରେ ପ୍ରମିଳା ଓଡ଼ିଶା ଜୀବିକା ମିସନ୍‌ ଜରିଆରେ ପୁଣି ୫ ହଜାର ଟଙ୍କା ଋଣ ନେଇ ହାତବୁଣା କାମ ପାଇଁ ପ୍ରଶିକ୍ଷଣ ନେବା ସହ ୟୁ-ଟ୍ୟୁବ୍‌ରୁ ‘ମାକ୍ରୋମ୍‌’ ବୁଣା କୌଶଳ ଶିଖିଥିଲେ। ପଶ୍ଚିମବଙ୍ଗରୁ ‘ମାକ୍ରୋମ୍‌’ ଆଣି ସେଥିରେ ଭ୍ୟାନିଟି ବ୍ୟାଗ୍‌, ବୋତଲ, ଝୁମୁରୁ, ଚାବି ହ୍ୟାଙ୍ଗର, ମୋବାଇଲ ଖୋଳ, ବିଭିନ୍ନ ପ୍ରକାର ମୂର୍ତ୍ତି, ଫୁଲଡାଲା ଆ‌ଦି ଘରୋଇ ସାଜସଜ୍ଜା ଉପକରଣଗୁଡ଼ିକର ବୁଣାକାମ ଆରମ୍ଭ କଲେ। ପରେ ତାଙ୍କୁ ଓଡ଼ିଶା ଜୀବିକା ମିସନ୍‌ ତରଫରୁ କଷିପଦା ପଞ୍ଚାୟତର ଏମ୍‌ବିକେ (ଦକ୍ଷ ନଥିପତ୍ର ପରିଚାଳିକା) ଭାବେ ନିଯୁକ୍ତି କରାଗଲା। ଆଙ୍କ, କଷିପଦା, ରୂପ୍‌ସା, ହଳଦୀପଦା ଆଦି ପଞ୍ଚାୟତର ବିଭିନ୍ନ ମହିଳା ସ୍ବୟଂ ସହାୟକ ଗୋଷ୍ଠୀରୁ ୧୫୦ରୁ ଅଧିକ ମହିଳାଙ୍କୁ ଚିହ୍ନଟ କରି ସେମାନଙ୍କୁ ହାତବୁଣା କାମ ସଂପର୍କରେ ପ୍ରଶିକ୍ଷଣ ଦେଲେ। ସମ୍ପୃକ୍ତ ମହିଳାମାନଙ୍କୁ ମାକ୍ରୋମ୍‌ ଯୋଗାଇଦେବା ଓ ସେମାନେ ବୁଣିସାରିବା ପରେ ବଜାରରେ ବିକ୍ରି କରିବାକୁ ପ୍ରମିଳା ଇତିମଧ୍ୟରେ ‘କ୍ରିଷ୍ଣା ମାକ୍ରୋମ୍‌’ ନାଁରେ ଏକ ସଂସ୍ଥା ମଧ୍ୟ ଖୋଲିଛନ୍ତି। ଏବେ ସେହି ମହିଳାମାନଙ୍କ ହାତବୁଣା ଉପକରଣଗୁଡ଼ିକ ଓର୍‌ମାସ ଓ ମିସନ୍‌ ଶକ୍ତି ଜରିଆରେ ରାଜ୍ୟ ତଥା ରାଜ୍ୟ ବାହାରେ ପ୍ରଦର୍ଶିତ ହେବା ସହ ବିକ୍ରି ହେଉଛି।

‘ମାକ୍ରୋମ୍‌’ ହାତବୁଣା କାମ କରୁଥିବା ମହିଳାମାନେ ଏବେ ମାସକୁ ୫ ହଜାରରୁ ୧୦ ହଜାର ଲେଖା ରୋଜଗାର କରୁଛନ୍ତି। ‌ମାତ୍ର ୫ ହଜାର ପୁଞ୍ଜିରୁ ଆରମ୍ଭ କରିଥିବା ପ୍ରମିଳାଙ୍କ ଏହି ଛୋଟିଆ ବ୍ୟବସାୟ ଏବେ ୨୦ ଲକ୍ଷରେ ପହଞ୍ଚିଛି। ଖାଲି ସେତିକି ନୁହେଁ, ଆଖପାଖ ଅଞ୍ଚଳର ଶତାଧିକ ମହିଳାମାନଙ୍କୁ ସେ ସ୍ବାବଲମ୍ବୀ କରାଇ ପାରିଛନ୍ତି। ଅଧିକ ପ୍ରୋତ୍ସାହନ ମିଳିଲେ ମହିଳାମାନଙ୍କୁ ନେଇ ଏକ କଂପାନି ପ୍ରତିଷ୍ଠା କରିବାକୁ ସେ ଲକ୍ଷ୍ୟ ରଖିଥିବା କହିଛନ୍ତି।

ସମ୍ବନ୍ଧିତ ଖବର