ଜାତୀୟ କ୍ଷମତା କେନ୍ଦ୍ରରେ ଓଡ଼ିଆ ଅଧିକାରୀ ଡ. ପ୍ରମୋଦ ମିଶ୍ର

ମାଟିକୁ ଭୁଲି ନାହାନ୍ତି

ସମ୍ବଲପୁର, (ଗାର୍ଗୀ ଶତପଥୀ): ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଭାବେ ଓଡ଼ିଆ ଅଧିକାରୀ ଡ. ପ୍ରମୋଦ ମିଶ୍ରଙ୍କ ପୁନଃନିଯୁକ୍ତି ପରେ ସମ୍ବଲପୁର ସମେତ ସମଗ୍ର ରାଜ୍ୟରେ ଆନନ୍ଦ ପ୍ରକାଶ ପାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଥମ ପାଳିରେ ଅତିରିକ୍ତ ପ୍ରମୁଖ ସଚିବ ଭାବରେ କାର୍ଯ୍ୟ କରି ଦେଶର ୧୦ କ୍ଷମତାଶାଳୀ ଅଧିକାରୀ ଥିଲେ। ଦ୍ବିତୀୟ ପାଳିରେ ମଧ୍ୟ ଅତିରିକ୍ତ ପ୍ରମୁଖ ସଚିବ ଭାବେ ଦୁଇ ମାସ ଦାୟିତ୍ବ ତୁଲାଇବା ପରେ ଏବେ ବୁଧବାର ପ୍ରମୁଖ ସଚିବ ପଦକୁ ଉନ୍ନୀତ ହୋଇଛନ୍ତି। ଡ.ପ୍ରମୋଦ ମିଶ୍ର କାର୍ଯ୍ୟ କ୍ଷେତ୍ରରେ ତାଙ୍କର ନିଷ୍ଠା ଓ ପ୍ରତିବଦ୍ଧତା ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରିୟଭାଜନ ହୋଇ ଜାତୀୟ ସ୍ତରର କ୍ଷମତା କେନ୍ଦ୍ରର ଶୀର୍ଷକୁ ପହଞ୍ଚିପାରିଛନ୍ତି।

ପଟ୍ଟନାୟକ ପଡ଼ା ସ୍କୁଲ ଛାତ୍ର ଦେଶର ପ୍ରମୁଖ ସଚିବ
ସମ୍ବଲପୁର ସହର ପଟ୍ଟନାୟକ ପଡ଼ା ପ୍ରାଥମିକ ବିଦ୍ୟାଳୟ, ଚନ୍ଦ୍ରଶେଖର ବେହେରା ଜିଲ୍ଲା ସ୍କୁଲ ତଥା ଗଙ୍ଗାଧର ମେହେର କଲେଜ ଛାତ୍ର ଆଜି ଦେଶର ପ୍ରମୁଖ ସଚିବ। ଯାହାକୁ ନେଇ ଆଜି ସମ୍ବଲପୁର ଉତ୍‌ଫୁଲ୍ଲିତ। ନିଜ ସ୍କୁଲକୁ ଡ. ମିଶ୍ର କେତେ ଯେ ଭଲ ପାଆନ୍ତି ଏହା ଚନ୍ଦ୍ରଶେଖର ବେହେରା ଜିଲ୍ଲା ସ୍କୁଲର ନୂତନ କଳେବର ଦେଖିଲେ ବାରି ହୋଇ ପଡ଼େ। ଏହା କେବଳ ଉଦାହରଣ ମାତ୍ର। ନିଜ ସ୍କୁଲ ପଟ୍ଟନାୟକ ପଡ଼ା ସ୍କୁଲକୁ ମଡେଲ ସ୍କୁଲ କରିବା ପାଇଁ ମଧ୍ୟ ସେ ଉଦ୍ୟମ କରିଛନ୍ତି। ଏଥିପାଇଁ ୨ କୋଟି ଟଙ୍କା ଅନୁମୋଦନ ହୋଇଛି। କାର୍ଯ୍ୟକାରୀ ହେବା ବାକି ରହିଛି।

ବନ୍ଧୁ ବତ୍ସଳ ପ୍ରମୋଦ
ବିଭିନ୍ନ ସମୟରେ ଆଇନ ସଙ୍ଗତ ପ୍ରତ୍ୟେକ ବିଷୟରେ ବ୍ୟକ୍ତିଗତ ଭାବରେ ମଧ୍ୟ ବନ୍ଧୁମାନଙ୍କୁ ଡ. ମିଶ୍ର ସହାୟତା କରନ୍ତି ବୋଲି ତାଙ୍କର ଅନ୍ୟତମ ବାଲ୍ୟବନ୍ଧୁ ତଥା ପ୍ରସାର ଭାରତୀର ଅବସରପ୍ରାପ୍ତ ଅତିରିକ୍ତ ମହାନିର୍ଦେଶକ ଅଭୟ ପାଢ଼ୀ କହନ୍ତି । ୧୯୬୫-୭୦ ସମୟରେ ଜିଏମ୍‌ କଲେଜରେ ପାଠ ପଢ଼ିଲା ବେଳେ ସେ (ଅଭୟ ପାଢ଼ୀ), ପ୍ରମୋଦ ମିଶ୍ର ଏବଂ ହରିଶଙ୍କର ପଣ୍ଡାଙ୍କ ସମେତ ଅନେକ ବନ୍ଧୁ ମିଳିତ ଭାବରେ ‘କ୍ବେଷ୍ଟ’ ଅନୁଷ୍ଠାନ ଗଠନ କରିଥିଲେ। କଲେଜ ପକ୍ଷରୁ ଏହି ଅନୁଷ୍ଠାନକୁ ଏକ ଛୋଟ କକ୍ଷ ଦିଆଯାଇଥିଲା। ଏଥିରେ ପ୍ରତି ଶନିବାର ଏକ ଘଣ୍ଟା ଧରି ଜାତୀୟ, ଅନ୍ତର୍ଜାତୀୟ ସ୍ତରରେ ପ୍ରସଙ୍ଗ ଉପରେ ଆଲୋଚନା ହେଉଥିଲା। କାର୍ଯ୍ୟକ୍ରମରେ ବିଶିଷ୍ଟ ବ୍ୟକ୍ତିଭାବରେ ଶ୍ରଦ୍ଧାକର ସୂପକାରଙ୍କ ସମେତ ନିକଟସ୍ଥ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ଏବଂ ଅଧ୍ୟାପକଙ୍କୁ ଆମନ୍ତ୍ରଣ କରାଯାଇ ଆଲୋଚନା କରାଯାଉ ଥିଲା ବୋଲି ଶ୍ରୀ ପାଢୀ କହନ୍ତି। ସମ୍ବଲପୁରରେ ଉଚ୍ଚ ଶିକ୍ଷା ସମାପ୍ତ କରି ଦିଲ୍ଲୀ ସ୍କୁଲ ଅଫ ଇକୋନୋମିକ୍ସରେ ପଢିବା ପାଇଁ ଦିଲ୍ଲୀ ଯାଇଥିଲେ। ୧୯୭୨ ମସିହାରେ ପ୍ରଥମ ପ୍ରଚେଷ୍ଟାରେ ଆଇଏଏସ୍‌ ପାଇ ଗୁଜରାଟ କ୍ୟାଡରରେ ଯୋଗଦାନ କରିଥିଲେ। (ସେହି ବର୍ଷ ଓଡ଼ିଶା କ୍ୟାଡରରେ ଆଇଏଏସ ପଦ ଖାଲିନଥିଲା ଓ ଓଡ଼ିଶାର ବିବି ମହାନ୍ତି ଆଇପିଏସ୍‌ ପାଇଥିଲେ)। ୧୯୮୨ରୁ ୮୪ ମଧ୍ୟରେ ଗୁଜରାଟରୁ ଡେପୁଟେସନରେ ଆସି ରେଙ୍ଗାଲି ବନ୍ଧ ଯୋଜନାର ଡେପୁଟି କମିସନର ହୋଇଥିଲେ। ଏହି ଅବସରରେ ବିସ୍ଥାପନ ଥଇଥାନର ବିଭିନ୍ନ ଦିଗ ନେଇ ପୁସ୍ତକ ଲେଖିଥିଲେ। ୫ ବର୍ଷ ମଧ୍ୟରେ ଓଡ଼ିଶାର ବିଭିନ୍ନ ବିକାଶ କାର୍ଯ୍ୟରେ ତାଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ନେଇ ଚର୍ଚା ହୋଇ ଆସିଛି। ତାଙ୍କ ପୁନଃନିଯୁକ୍ତି ସମ୍ବଲପୁର ପାଇଁ ଗୌରବର ବିଷୟ ନିଶ୍ଚିତ।

ମୋଦୀଙ୍କ ପସନ୍ଦ
୨୦୦୧ ମସିହାରେ ହୋଇଥିବା ଗୁଜରାଟ ଭୁଜର ଭୂମିକମ୍ପ ପରର ଉଦ୍ଧାର ଓ ଥଇଥାନ ପରିଚାଳନା ହିଁ ମୋଦିଙ୍କ ସହିତ ପ୍ରମୋଦ ମିଶ୍ରଙ୍କ ସମ୍ପର୍କର ଖିଅ ଯୋଡ଼ି ଥିଲା। ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଦିଗରେ ତାଙ୍କ ଲିଖିତ ପୁସ୍ତକ (ଦ କଛ୍ ଆର୍ଥକ୍ବେକ୍୨୦୦୧: ଲେସନ ଆଣ୍ଡ ଇନସାଇଟ ୨୦୦୫) ଅନ୍ତର୍ଜାତୀୟ ସ୍ତରରେ ସର୍ବାଧିକ ଅନୁକରଣୀୟ ପୁସ୍ତକ। ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ନେଇ ଡ.ମିଶ୍ରଙ୍କୁ ଜାତିସଂଘ ପକ୍ଷରୁ ପୁରସ୍କୃତ କରାଯାଇଥିଲା। ୨୦୧୫ ନେପାଳ ଭୂମିକମ୍ପଠାରୁ ଆରମ୍ଭ କରି ୨୦୧୮ କେରଳ ବନ୍ୟା ଓ ୨୦୧୯ ଓଡ଼ିଶା ବାତ୍ୟା ଭଳି ଅଧିକାଂଶ ପ୍ରାକୃତିକ ବିପର୍ଯ୍ୟୟର ପରିଚାଳନାରେ ତାଙ୍କର ପ୍ରମୁଖ ଭୂମିକା ରହିଆସିଛି। ୨୦୨୨ ମସିହା ସୁଦ୍ଧା ଦେଶରେ ଚାଷୀଙ୍କ ଆୟ ଦ୍ବିଗୁଣିତ କରିବା ମୋଦୀ ସରକାରଙ୍କ ପ୍ରମୁଖ ଲକ୍ଷ୍ୟ ଥିବା ବେଳେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଗଠିତ ଜାତୀୟ କୃଷି ବିକାଶ କାର୍ଯ୍ୟକ୍ରମ(ଆରକେଭିଓ୍ବାଏ) ଏବଂ ଜାତୀୟ ଖାଦ୍ୟ ମିସନରେ ମଧ୍ୟ ତାଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ତେବେ କ୍ଷମତା ବଳୟ ମଧ୍ୟରେ ଥିଲେ ବି ସେ ବିବାଦଠାରୁ ନିଜକୁ ଦୂରରେ ରଖି ପାରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ନିଯୁକ୍ତି କମିଟିରେ ରହି ଅଧିକାଂଶ ଗୁରୁତ୍ବପୂର୍ଣ୍ଣ ନିଯୁକ୍ତି କରିଥିଲେ ମଧ୍ୟ ଅପବାଦର ଛିଟା ଆଜି ପର୍ଯ୍ୟନ୍ତ ତାଙ୍କ ଉପରେ ପଡ଼ି ନାହିଁ। ବରଂ ବିଭିନ୍ନ ସମୟରେ କ୍ୟାବିନେଟ କିମ୍ବା ସଚିବଙ୍କ ମଧ୍ୟରେ ସୃଷ୍ଟି ବିବାଦ ସମାଧାନରେ ସେ ସଙ୍କଟ ମୋଚକର ଭୂମିକା ନିର୍ବାହ କରିଛନ୍ତି। ଏଥିଯୋଗୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବିତୀୟ ପାଳିରେ ମଧ୍ୟ ଡ. ମିଶ୍ର ଅତିରିକ୍ତ ପ୍ରମୁଖ ସଚିବ ଦାୟିତ୍ବରେ ରହିଥିବାବେଳେ ପ୍ରଧାନମନ୍ତ୍ରୀଙ୍କ ଆସ୍ଥା ଭାଜନ ହୋଇ ପ୍ରମୁଖ ସଚିବ ଭାବରେ ନିଯୁକ୍ତି ପାଇଛନ୍ତି।

ସମ୍ବନ୍ଧିତ ଖବର