ଶିମିଳିପାଳରେ ବିଜେଡି ସଂଗଠନ ସଂପାଦକ: ଜଙ୍ଗଲର ନିଆଁ ସ୍ଥିତି ପରଖିବେ

ବାରିପଦା: ଶିମିଳିପାଳରେ ବନାଗ୍ନି ସ୍ଥିତି ପରଖିବା ପାଇଁ ଗ୍ରାଉଣ୍ଡ ଜିରୋରେ ପହଞ୍ଚିଛନ୍ତି ବିଜେଡି ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ। ଏ ନେଇ ସେ ଗତକାଲି ଟୁଇଟ୍ କରି ସୂଚନା ଦେଇଥିଲେ। ସେ ଶିମିଳିପାଳ ଜାତୀୟ ଉଦ୍ୟାନ  ଉପନିର୍ଦ୍ଦେଶକଙ୍କ ସହ ଆଲୋଚନା ପରେ ଆଜି ବିଭିନ୍ନ ଅଞ୍ଚଳ ବୁଲି ଦେଖିଥିବା ଜଣାପଡ଼ିଛି। ତାଙ୍କ ସହ ରାଜ୍ୟସଭା ସାଂସଦ ମମତା ମହନ୍ତ, ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି, କୃଷି ନିଗମ ଅଧ୍ୟକ୍ଷ ଦେବାଶିଷ ମହାନ୍ତି ଓ ପୂର୍ବତନ ବାଚସ୍ପତି ସାନନ୍ଦ ମାରାଣ୍ଡି ପ୍ରମୁଖ ଅଛନ୍ତି।

ଗତକାଲି ବର୍ଷା ପରେ ଶିମିଳିପାଳ ଅଭୟାରଣ୍ୟ ତଥା ନିକଟବର୍ତ୍ତୀ ବନାଞ୍ଚଳର ୬ଟି ରେଞ୍ଜରେ ନିଆଁ ଲିଭିଯାଇଥିବା ସୂଚନା ମିଳିଛି। ଏସବୁ ଭିତରେ ବର୍ତ୍ତମାନ ସେଠି କେଉଁଭଳି ସ୍ଥିତି ରହିଛି ଏବଂ କ’ଣ କଲେ ନିଆଁକୁ ସମ୍ପୂର୍ଣ୍ଣ ଭାବେ ଆୟତ୍ତ କରାଯିବ ସେ ଦିଗରେ ପଦକ୍ଷେପ ନେବା ପାଇଁ ଶିମିଳିପାଳ ଗସ୍ତରେ ଅଛନ୍ତି ପ୍ରଣବ ପ୍ରକାଶ ଦାସ।

ଶିମିଳିପାଳରେ ଲାଗିଥିବା ନିଆଁକୁ ଲିଭାଇବାକୁ ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ନେଉଥିବାବେଳେ ଶାସକ ବିଜେଡି ମଧ୍ୟ ‘ବିଜେଡି ଆଟ୍ ଶିମିଳିପାଳ’ ଅଭିଯାନ ଆରମ୍ଭ କରିଥିଲା। ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ତଥା ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସ ଓରଫ୍ ବବିଙ୍କ ନର୍ଦେଶକ୍ରମେ ଆଜି ବାରିପଦା, ବଡ଼ସାହି, ଉଦଳା, ବାଙ୍ଗିରିପୋଷି, ସାରସକଣା, କରଞ୍ଜିଆ, ଯଶୀପୁର ଓ ରାଇରଙ୍ଗପୁର ନିର୍ବାଚନମଣ୍ଡଳୀସ୍ତରୀୟ ଯୁବ ଓ ଛାତ୍ର ବିଜେଡି କର୍ମକର୍ତ୍ତା ପୃଥକ ପୃଥକ ଭାବେ ଶିମିଳିପାଳରେ ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ହୋଇଥିଲେ।

ସମ୍ବନ୍ଧିତ ଖବର